ରାଜ୍ୟ ସ୍ୱାସ୍ଥ୍ୟ ନୀତିକୁ ନେଇ ଚାଲିଛି ପ୍ରହସନ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ନୂଆ ସ୍ୱାସ୍ଥ୍ୟ ନୀତି ପ୍ରଣୟନକୁ ନେଇ ରାଜ୍ୟ ସରକାର ଗତ ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟବାସୀଙ୍କୁ ଗୋଲାପୀ ସ୍ୱପ୍ନ ଦେଖାଇବାରେ ଲାଗିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ସରକାରୀ ହସ୍ପିଟାଲରେ ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ ଘରୋଇ ହସ୍ପିଟାଲରେ ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିବା ରାଜ୍ୟ ସରକାରଙ୍କ ବିଫଳତା ପଦାରେ ପଡ଼ିବା ପରେ ଏବେ ପୁଣିଥରେ ସ୍ୱାସ୍ଥ୍ୟ ନୀତି କଥା ମନେପଡ଼ିଛି। […]

state-govt-show-new-health-policy

Manoranjan Sial
  • Published: Tuesday, 27 August 2019
  • , Updated: 27 August 2019, 09:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ନୂଆ ସ୍ୱାସ୍ଥ୍ୟ ନୀତି ପ୍ରଣୟନକୁ ନେଇ ରାଜ୍ୟ ସରକାର ଗତ ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟବାସୀଙ୍କୁ ଗୋଲାପୀ ସ୍ୱପ୍ନ ଦେଖାଇବାରେ ଲାଗିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ସରକାରୀ ହସ୍ପିଟାଲରେ ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ ଘରୋଇ ହସ୍ପିଟାଲରେ ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିବା ରାଜ୍ୟ ସରକାରଙ୍କ ବିଫଳତା ପଦାରେ ପଡ଼ିବା ପରେ ଏବେ ପୁଣିଥରେ ସ୍ୱାସ୍ଥ୍ୟ ନୀତି କଥା ମନେପଡ଼ିଛି। କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଏପର୍ଯ୍ୟନ୍ତ ରାଜ୍ୟରେ ଲାଗୁ କରିବାରେ ଟାଳଟୂଳ ନୀତି ଅବଲମ୍ବନ କରୁଥିବା ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାର ବିଫଳତା ଲୁଚାଇବା ପାଇଁ ପୁଣିଥରେ ନୂଆ ସ୍ୱାସ୍ଥ୍ୟ ନୀତିକୁ ଚୂଡ଼ାନ୍ତ କରିବା କଥା କହିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର କେ.ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ୱାସ୍ଥ୍ୟ ନୀତିର ଚିଠା ପ୍ରସ୍ତାବ ପାଇଁ ଗଠିତ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଡାକ୍ତର ରେଡ୍ଡୀଙ୍କ ନେତୃତ୍ୱରେ ଗଠିତ ୨୮ଜଣିଆ ବିଶେଷଜ୍ଞ କମିଟିକୁ ଏହି ଚିଠା ସ୍ୱାସ୍ଥ୍ୟ ନୀତି ଉପରେ ନିଜର ମତାମତ ରଖିବାକୁ କୁହାଯାଇଛି। ଏହି ମତାମତ ମିଳିବା ପରେ ତାକୁ ତର୍ଜମା କରାଯାଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଚୂଡ଼ାନ୍ତ ସ୍ୱାସ୍ଥ୍ୟ ନୀତି ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ସ୍ୱାସ୍ଥ୍ୟ ସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡ଼ୁଥିବାବେଳେ ଏହି ‘ନୂଆ ସ୍ୱାସ୍ଥ୍ୟ ନୀତି’କୁ ନେଇ ଏଭଳି ପ୍ରହସନ କାହିଁକି? ୨୦୧୬ ମସିହାରେ ଦାନ ମାଝୀ ନିଜର ପତ୍ନୀର ଶବକୁ ୧୦କିମି କାନ୍ଧରେ ବୋହି ନେବାର ଲଜ୍ଜାରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାର ‘ନୂଆ ସ୍ୱାସ୍ଥ୍ୟ ନୀତି’ ଆଣି ସବୁସ୍ତରରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବେ ବୋଲି ବାହାସ୍ଫୋଟ ମାରିଥିଲେ। ୨୦୧୭ ମାର୍ଚ୍ଚ ୭ତାରିଖରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର କେ. ଶ୍ରୀନାଥ ରେଡ୍ଡୀଙ୍କୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କଲେ। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମଧ୍ୟ ଦେଲେ। ସେହିବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ଡାକ୍ତର ରେଡ୍ଡୀ ଭୁବନେଶ୍ୱର ଆସି ନୂଆ ସ୍ୱାସ୍ଥ୍ୟ ନୀତିର ଡ୍ରାଫ୍ଟ ଉପରେ ବିଚାରବିମର୍ଶ କଲେ। ଖୁବଶୀଘ୍ର ରାଜ୍ୟରେ ନୂଆ ସ୍ୱାସ୍ଥ୍ୟ ନୀତିକୁ କ୍ୟାବିନେଟର ଅନୁମୋଦନ ମିଳିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଲେ।

କିନ୍ତୁ ତା’ପରେ କ’ଣ ହେଲା କେଜାଣି ରାଜ୍ୟ ସରକାର ଓ ତାଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର ରେଡ୍ଡୀ ଏହି ସ୍ୱାସ୍ଥ୍ୟ ନୀତିକୁ ଭୁଲିଗଲେ। ଏବେ ପ୍ରାୟ ୨ବର୍ଷ ପରେ ପୁଣିଥରେ ସେହି ଚିଠା ସ୍ୱାସ୍ଥ୍ୟ ନୀତି କଥା ସରକାର ଓ ତାଙ୍କ ପରାମର୍ଶଦାତାଙ୍କ ମନେପଡ଼ିଲା। ଆଜି ସେହି ସ୍ୱାସ୍ଥ୍ୟ ନୀତି ଉପରେ ବୈଠକ କରି ତାହା ଖୁବଶୀଘ୍ର ରାଜ୍ୟସରକାରଙ୍କୁ ପ୍ରଦାନ କରାଯିବ ବୋଲି ଡାକ୍ତର ରେଡ୍ଡୀ ସୂଚନା ଦେଇଛନ୍ତି। ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ନଗ୍ନ ଚିତ୍ର ପଦାରେ ପଡ଼ିବା ଭୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶାର ଗରିବ ଲୋକମାନଙ୍କୁ ବଞ୍ଚିତ କରିଥିବା ରାଜ୍ୟ ସରକାର ଏହି ସ୍ୱାସ୍ଥ୍ୟ ନୀତିର ପ୍ରହେଳିକା ବାରମ୍ବାର ଦେଖାଉଛନ୍ତି କାହିଁକି ବୋଲି ପ୍ରଶ୍ନ ଉଠିଛି। ସ୍ୱାସ୍ଥ୍ୟସେବା ନାଁରେ ନିଜର କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ପରାମର୍ଶଦାତାଙ୍କ ମୁହଁରେ କେବଳ ଆଶ୍ୱାସନା ନଦେଇ ବାସ୍ତବ କ୍ଷେତ୍ରରେ ରାଜ୍ୟବାସୀଙ୍କୁ ସଠିକ୍ ଓ ସମୟୋପଯୋଗୀ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।

Related story