ଏଏସଆଇଙ୍କ ଚିଠିକୁ ଟାଳୁଛନ୍ତି ସରକାର, ମନ୍ତ୍ରୀ କହିଲେ-ରତ୍ନ ଭଣ୍ଡାର କିଏ ଦେଖିଛି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରତ୍ନ ଭଣ୍ଡାରରେ କ’ଣ ଅଛି ? ସେଥିରେ କେତେ ପରିମାଣର ମହାପ୍ରଭୁଙ୍କ ସମ୍ପତ୍ତି ଅଛି ? ସବୁ ଠିକ୍‌ ଅଛି ନା ନାହିଁ?  ରତ୍ନ ଭଣ୍ଡାର ଖୋଲି ଏହି ସବୁ ଉତ୍ତର ପାଇବାକୁ ପ୍ରାୟ ୧୫ ଦିନ ହେବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଲେଣି ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ । ହେଲେ ଏନେଇ ନିଷ୍ପତ୍ତି ନେଇ ପାରୁ ନାହାନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷିତ ଥିବା ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ […]

puri

  • Published: Friday, 23 September 2022
  • , Updated: 23 September 2022, 05:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରତ୍ନ ଭଣ୍ଡାରରେ କ’ଣ ଅଛି ? ସେଥିରେ କେତେ ପରିମାଣର ମହାପ୍ରଭୁଙ୍କ ସମ୍ପତ୍ତି ଅଛି ? ସବୁ ଠିକ୍‌ ଅଛି ନା ନାହିଁ?  ରତ୍ନ ଭଣ୍ଡାର ଖୋଲି ଏହି ସବୁ ଉତ୍ତର ପାଇବାକୁ ପ୍ରାୟ ୧୫ ଦିନ ହେବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଲେଣି ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ । ହେଲେ ଏନେଇ ନିଷ୍ପତ୍ତି ନେଇ ପାରୁ ନାହାନ୍ତି ରାଜ୍ୟ ସରକାର।

ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷିତ ଥିବା ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ରତ୍ନ ଭଣ୍ଡାରକୁ କିଏ ଦେଖିଛି ? ମୁଁ ଦେଖିଛି ନା ଆଉ କିଏ ଦେଖିଛନ୍ତି ? ASI ଯେଉଁ ଚିଠି ଲେଖିଛି, ତାକୁ ତର୍ଜମା କରାଯିବା ପରେ ନିଷ୍ପତ୍ତି ନିଆଯିବ । ସବୁ ପକ୍ଷ ସହ ଆଲୋଚନା ପରେ ରତ୍ନଭଣ୍ଡାର ନେଇ କୌଣସି ନିଷ୍ପତ୍ତି ହେବ । ହେଲେ ରତ୍ନ ଭଣ୍ଡାରକୁ କେହି ଦେଖି ନାହାନ୍ତି ବୋଲି ହସି ହସି କହିଛନ୍ତି ଆଇନ ମନ୍ତ୍ରୀ ।

ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଏନେଇ ସେ କହିଛନ୍ତି, କିଛି ଅଜଣା କାରଣକୁ ନେଇ ସରକାର ଭୟଭୀତ ହୋଇ ପଡ଼ିଛନ୍ତି। ନିର୍ବାଚନ ଆସୁଛି, ତେଣୁ ଅଧିକ ଭୟଭୀତ ସରକାର । ସେଥିନିମନ୍ତେ ସେ ସଠିକ ଉତ୍ତର ଦେଉ ନାହାନ୍ତି କି ପଦକ୍ଷେପ ନେଉ ନାହାନ୍ତି। ଏଏସ୍‌ଆଇ ଚିଠି ଲେଖି ସାରିବା ପରେ ରତ୍ନ ଭଣ୍ଡାର ମରାମତି କରିବାକୁ ସରକାର ଆଇନତଃ ବାଧ୍ୟ। କାରଣ ଏଏସଆଇର କାର୍ଯ୍ୟ ହେଉଛି ରକ୍ଷଣାବେକ୍ଷଣ କରିବା । ବହୁ ବର୍ଷ ହେଲା ରତ୍ନ ଭଣ୍ଡାରର ପୁନରୁଦ୍ଧାର, ଗଣତି, ଓଜନ ହୋଇନି। ଲୋକେ ଆଶଙ୍କା କରୁଛନ୍ତି ଚୋରି ହୋଇଛି। ହେଲେ ସରକାର ସତ ପଦାକୁ ଆଣିବାରେ ପଛଘୁଞ୍ଚା ଦେଉଛନ୍ତି।

ସୂଚନାଯୋଗ୍ୟ, ଗତ ୮ ତାରିଖରେ ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ ଅରୁଣ ମଲ୍ଲିକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରତ୍ନ ଭଣ୍ଡାର ଅନୁଧ୍ୟାନ ପାଇଁ ଚିଠି ଲେଖିଥିଲେ । ହେଲେ ଏଯାଏ ରାଜ୍ୟ ସରକାର କିଛି ପଦକ୍ଷେପ ଗ୍ରହଣ କରି ନାହାନ୍ତି।

Related story