ନିଜସ୍ୱ ଅଣଟିକସ କମୁଛି, କେନ୍ଦ୍ର ଭରସାରେ ରାଜ୍ୟ ଅର୍ଥନୀତି

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟର ବଜେଟ ଆକାରକୁ ନିୟମିତ ବଢ଼ାଇ ଚାଲିଥିବା ରାଜ୍ୟ ସରକାରଙ୍କ ପାଇଁ କେନ୍ଦ୍ର ସରକାରଙ୍କଠୁ ଅର୍ଥ ହିଁ ‘ସଞ୍ଜିବନୀ’ ପାଲଟିଛିି। ନିଜସ୍ୱ ସମ୍ବଳ ବୃଦ୍ଧି ଦିଗରେ ପଦକ୍ଷେପ ନେଇପାରୁନଥିବାରୁ ନିଜସ୍ୱ ଟିକସ ଆଦାୟ ହାର ସ୍ଥିର ରହିଛି। ଆଉ ଏଇ କାରଣରୁ ରାଜ୍ୟକୁ ରାଜସ୍ୱ ସଂଗ୍ରହରେ କେନ୍ଦ୍ର ଉପରେ ଅଧିକ ନିର୍ଭର ହେବାକୁ ପଡ଼ୁଛି। ରାଜ୍ୟର କ୍ଷମତାସୀନ ବିଜେଡି ସରକାର କେନ୍ଦ୍ରୀୟ ଅବହେଳା କଥା କହୁଥିବାବେଳେ ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ-୨୦୨୦-୨୧ ଉପରୋକ୍ତ ତଥ୍ୟକୁ […]

indian economy

Manoranjan Sial
  • Published: Saturday, 20 February 2021
  • , Updated: 20 February 2021, 09:23 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟର ବଜେଟ ଆକାରକୁ ନିୟମିତ ବଢ଼ାଇ ଚାଲିଥିବା ରାଜ୍ୟ ସରକାରଙ୍କ ପାଇଁ କେନ୍ଦ୍ର ସରକାରଙ୍କଠୁ ଅର୍ଥ ହିଁ ‘ସଞ୍ଜିବନୀ’ ପାଲଟିଛିି। ନିଜସ୍ୱ ସମ୍ବଳ ବୃଦ୍ଧି ଦିଗରେ ପଦକ୍ଷେପ ନେଇପାରୁନଥିବାରୁ ନିଜସ୍ୱ ଟିକସ ଆଦାୟ ହାର ସ୍ଥିର ରହିଛି। ଆଉ ଏଇ କାରଣରୁ ରାଜ୍ୟକୁ ରାଜସ୍ୱ ସଂଗ୍ରହରେ କେନ୍ଦ୍ର ଉପରେ ଅଧିକ ନିର୍ଭର ହେବାକୁ ପଡ଼ୁଛି। ରାଜ୍ୟର କ୍ଷମତାସୀନ ବିଜେଡି ସରକାର କେନ୍ଦ୍ରୀୟ ଅବହେଳା କଥା କହୁଥିବାବେଳେ ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ-୨୦୨୦-୨୧ ଉପରୋକ୍ତ ତଥ୍ୟକୁ ଉଜାଗର କରିଛି।

ଆଜି ବିଧାନସଭାରେ ଉପସ୍ଥାପିତ ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ,ରାଜ୍ୟକୁ ମିଳୁଥିବା ରାଜସ୍ୱର ସିଂହଭାଗ କେନ୍ଦ୍ର ସରକାରଙ୍କଠୁ ଟିକସ, ଅନୁଦାନ ଓ ଟ୍ରାନ୍ସଫର ଆକାରରେ ମିଳୁଥିବାବେଳେ ୨୦୧୫-୧୬ ଆର୍ଥିକ ବର୍ଷ ପରଠୁ ଏହି ପରିମାଣ ଆଖିଦୃଶିଆ ଭାବେ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ୨୦୧୨-୧୩ରୁ ରାଜ୍ୟର ଅଣଟିକସ ରାଜସ୍ୱ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ନିଜସ୍ୱ ରାଜସ୍ୱ ସଂଗ୍ରହ ଉପରେ ରାଜ୍ୟର ନିର୍ଭରଶୀଳତା ସ୍ଥିର ରହିଥିବାବେଳେ କେନ୍ଦ୍ରରୁ ମିଳୁଥିବା ଅର୍ଥ ଉପରେ ନିର୍ଭରତା ବୃଦ୍ଧି ପାଇଛି। ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଅବଧିରେ କେନ୍ଦ୍ରୀୟ ଅର୍ଥ ମିଳିବାରେ ବୃଦ୍ଧି ଘଟିଛି । ୨୦୧୧-୧୨ରେ ମୋଟ ରାଜସ୍ୱ ସଂଗ୍ରହର ୫୦.୬ ପ୍ରତିଶତ ଅର୍ଥ(ରାଜ୍ୟ ଜିଡିପିର ୮.୮%) କେନ୍ଦ୍ର ସରକାରଙ୍କଠୁ ମିଳୁଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ପରିମାଣ ବୃଦ୍ଧି ପାଇ ମୋଟ ରାଜ୍ୟ ରାଜସ୍ୱ ସଂଗ୍ରହର ୫୭ ପ୍ରତିଶତ ହୋଇଛି, ଯାହାକି ରାଜ୍ୟ ଜିଡିପିର ୧୨.୨%।

ସେହିପରି ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ଟିକସରେ ପ୍ରତ୍ୟକ୍ଷ କର ଯଥା- ଟିକସ ଓ ଆୟକର ଟିକସ ଓ ପ୍ରମୁଖ ଭାଗିଦାରୀ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଟିକସ ବାବଦରେ ୧୮,୧୧୯.୨୭କୋଟି ଟଙ୍କା ଓ ଅନୁଦାନ ବାବଦରେ ୩୩,୨୮୨କୋଟି ଟଙ୍କା ମିଳିଛି। କେନ୍ଦ୍ରୀୟ ସହାୟତାପ୍ରାପ୍ତ ଯୋଜନା ଓ ବୈଧାନିକ ଅନୁଦାନ ଭାବେ ମିଳୁଥିବା ଅର୍ଥ ମଧ୍ୟ ରାଜ୍ୟ ରାଜସ୍ୱରେ ପ୍ରମୁଖ ଭାଗିଦାରୀ ତୁଲାଉଛି।

ଅନ୍ୟପକ୍ଷରେ ରାଜ୍ୟର ନିଜସ୍ୱ ସମ୍ବଳ ସଂଗ୍ରହ ସ୍ଥିର ରହିଥିବାରୁ କେନ୍ଦ୍ର ଅର୍ଥ ଉପରେ ଅଧିକ ନିର୍ଭର କରିବାକୁ ପଡ଼ୁଛି। ୨୦୧୧-୧୨ ଆର୍ଥିକ ବର୍ଷରେ ମୋଟ ରାଜ୍ୟ ଜିଡିପିର ୫.୮% ନିଜସ୍ୱ ଟିକସ ଓଡ଼ିଶା ସଂଗ୍ରହ କରୁଥିବାବେଳେ ୨୦୧୯-୨୦ରେ ଏହା ବୃଦ୍ଧି ପାଇ ୬.୪% ହୋଇଛି। ୨୦୧୫-୧୬ରେ ଏହି ନିଜସ୍ୱ ଟିକସ ସଂଗ୍ରହ ପରିମାଣ ରାଜ୍ୟ ଜିଡିପିର ୬.୯% ଛୁଇଁଥିଲା। ତେବେ ୨୦୧୨-୧୩ ଆର୍ଥିକ ବର୍ଷରୁ ଅଣଟିକସ ରାଜସ୍ୱ ସଂଗ୍ରହ କମିବାରେ ଲାଗିଛି। ୨୦୧୭-୧୮ରେ ଏହି ଅଣଟିକସ ରାଜସ୍ୱ ପରିମାଣ ମୋଟ ରାଜ୍ୟ ଜିଡିପିର ୧.୯% ଥିଲା। ଅବଶ୍ୟ ୨୦୧୯-୨୦ରେ ଏହି ପରିମାଣ ୨.୮%କୁ ବୃଦ୍ଧି ପାଇଛି। ସେହିପରି ପଂଚଦଶ ଅର୍ଥ କମିଶନ ସୁପାରିସ୍ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କଠୁ ମିଳିବାକୁ ଥିବା ଅର୍ଥ ପରିମାଣ ୫୫ ପ୍ରତିଶତକୁ ହ୍ରାସ ପାଇବ,ଯାହାକି ୨୦୧୯-୨୦ରେ ୫୭ ପ୍ରତିଶତ ଥିଲା ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

Related story