/odisha-reporter/media/post_attachments/uploads/2021/06/crime-branch.jpg)
crime-branch
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକରୁ ଜବତ ହୋଇଥିଲା ବିପୁଳ ପରିମାଣର ନକଲି କରୋନା ଔଷଧ ‘ଫେବିପିରାଭିର୍’ ଓ ଅନ୍ୟାନ୍ୟ ମେଡିସିନ୍। ଏହି ମାମଲାର ଖୋଳତାଡ଼ କରିବା ପାଇଁ ମୁମ୍ୱାଇ ଗଲା କ୍ରାଇମ୍ ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍। ଏହି ଟିମ୍ ମୁମ୍ୱାଇ ପୁଲିସ ହାତରେ ଧରାପଡ଼ିଥିବା ନକଲି ମେଡିସିନ୍ କମ୍ପାନୀ ମାକ୍ସ ରିଲିଫ୍ ହେଲ୍ଥ କେୟାର ମୁଖ୍ୟ ସୁଦୀପ ମୁଖାର୍ଜୀଙ୍କୁ ଜେରା କରିବ। ଡ୍ରଗ୍ସ ଲାଇସେନ୍ସ ଠକେଇ ମାମଲାରେ ଗିରଫ ହୋଇଥିଲା ସୁଦୀପ। ଏବେ ସେ ଜେଲ୍ରେ ରହିଛି। ସୁଦୀପର ମାକ୍ସ କମ୍ପାନୀରୁ ନକଲି ଔଷଧ ଆଣିଥିଲା କଟକ ସଂସ୍ଥା।
ଗତ ୧୧ ତାରିଖରେ କଟକ କନିକା ଛକରେ ଥିବା ଏକ ମେଡିସିନ୍ ଷ୍ଟୋରରୁ ୧୭ ହଜାର ଫାଭିପିରାଭିର୍ ଟାବଲେଟ୍ ସହିତ ଅନ୍ୟାନ୍ୟ ମେଡିସିନ୍ ଜବତ ହୋଇଥିଲା। ଏହାର ଚେର ରାଜ୍ୟ ଓ ରାଜ୍ୟ ବାହାରକୁ ଲମ୍ୱିଥିଲା। ପରେ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍ ରାଉରକେଲା, ବଲାଙ୍ଗିର, ବୌଦ୍ଧ, ରାୟଗଡ଼ା, ବାଲେଶ୍ୱରରେ ବିଭିନ୍ନ ମେଡିସିନ୍ ଷ୍ଟୋରରେ ଚଢ଼ଉ କରିଥିଲା। ଏହି ସମୟରେ ବିପୁଳ ପରିମାଣରେ ନକଲି ଔଷଧ ଜବତ କରିଥିଲା।
କରୋନା ବେଳେ ନକଲି ମେଡିସିନ୍ କାରବାର ରାଜ୍ୟ ସରକାରଙ୍କ ଦିନ ହଜାଇ ଦେଇଥିଲା। ବିରୋଧ କଥା କଥାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିଲା। ସ୍ଥିତି ବାହାରକୁ ଯାଉଥିବା ଦେଖି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ମାମଲାର ତଦନ୍ତ କରୁଛି। ଆଜି ଏହି ଟିମ୍ ମୁମ୍ୱାଇ ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
