ପୁରୀ(ଓଡ଼ିଶା ରିପୋର୍ଟର): ଆଉ କେଇ ଦିନ ପରେ ପତିତପାବନ ଯାତ୍ରାରେ ବାହାରିବେ ମହାବାହୁ। ଖୁସିରେ ଝୁମିବ ପୁରୀ। କିନ୍ତୁ ବିଡ଼ମ୍ବନା, ବହୁ ପୁରୀ ଜିଲ୍ଲା ବାସୀଙ୍କ ପାଖରେ ଏତେ ସୁଖ ପାଇଁ ବେଳ ନାହିଁ। କାରଣ ବିଜୁଳି ଆସିନଥିବାରୁ ସେମାନଙ୍କ ଘର, ଗାଁ ଏବେବି ଅନ୍ଧାରରେ। ଉଜୁଡ଼ା ଘର ସଜଡ଼ା ହୋଇନି । ବାତ୍ୟା ଫୋନିକୁ ଦେଢ଼ମାସ ବିତିବା ପରେ ବି ସତେ ଯେମିତି ସେମାନଙ୍କ ଗୁହାରି, କାଳିଆ କାନରେ ପଡ଼ିନି ।
ପୁରୀରେ ଆରମ୍ଭ ହେଲାଣି ରଥଯାତ୍ରା ଋତୁ। ସେପଟେ ବ୍ରହ୍ମଗିରିରେ କାଲିଠୁ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ। କିନ୍ତୁ ନା ପୁରୀ ବାସୀଙ୍କ ମନରେ ଖୁସି ଅଛି, ନା ବ୍ରହ୍ମଗିରି ବାସୀଙ୍କ ମନରେ ।
ଏବେବି ଅନାଥଙ୍କ ଭଳି ମାଟିରେ ଲୋଟୁଛି ବିଦ୍ୟୁତ ତାର। କାଶିଆ ଗାଁରେ ବିଦ୍ୟୁତ ଖୁଣ୍ଟ ଆସି ଗଦା ହୋଇଥିଲେ ବି ତାର ଟଣା ହୋଇନି । ବଳଙ୍ଗା ଅଞ୍ଚଳରେ ଏବେସୁଦ୍ଧା ମାତ୍ର ୭ ପ୍ରତିଶତ ଲୋକଙ୍କୁ ବିଜୁଳି ମିଳିଥିବା ବିଦ୍ୟୁତ୍ କର୍ମଚାରୀ କହିଛନ୍ତି।