ଛାତ୍ରାବାସରେ ଖାଇବାକୁ ମିଳିଲାନି, ବର୍ଷାରେ ଭିଜି ଗୁହାରି କରିବାକୁ ଗଲେ ପିଲା

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଛାତ୍ରାବାସରେ ରାତିରେ ଖାଇବାକୁ ମିଳିଲା ନାହିଁ। ଆଜି ଦିନରେ ମଧ୍ୟ ଖାଇବାକୁ ମିଳିଲା ନାହିଁ। ପ୍ରଧାନଶିକ୍ଷୟିତ୍ରୀ ମାଡ଼ାମ କିଛି ବୁଝିଲେ ନାହିଁ। କଅଁଳ ବୟସରେ ପିଲାମାନେ କେତେ ସମୟ ଉପବାସ ରହିବେ? ଶେଷରେ କିଛି ଉପାୟ ନପାଇ ପିଲାମାନେ ବର୍ଷାରେ ଓଦା ହୋଇ ଚାଲି ଚାଲି ବିଡିଓଙ୍କ ପାଖରେ ଗୁହାରି କରିବାକୁ ଆସିଥିଲେ। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲାରୁ। ନନ୍ଦପୁର ଉଚ୍ଚ ବିଦ୍ୟାଳୟର ଛାତ୍ରାବାସକୁ […]

Koraput

  • Published: Friday, 29 July 2022
  • , Updated: 29 July 2022, 06:30 PM IST

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଛାତ୍ରାବାସରେ ରାତିରେ ଖାଇବାକୁ ମିଳିଲା ନାହିଁ। ଆଜି ଦିନରେ ମଧ୍ୟ ଖାଇବାକୁ ମିଳିଲା ନାହିଁ। ପ୍ରଧାନଶିକ୍ଷୟିତ୍ରୀ ମାଡ଼ାମ କିଛି ବୁଝିଲେ ନାହିଁ। କଅଁଳ ବୟସରେ ପିଲାମାନେ କେତେ ସମୟ ଉପବାସ ରହିବେ? ଶେଷରେ କିଛି ଉପାୟ ନପାଇ ପିଲାମାନେ ବର୍ଷାରେ ଓଦା ହୋଇ ଚାଲି ଚାଲି ବିଡିଓଙ୍କ ପାଖରେ ଗୁହାରି କରିବାକୁ ଆସିଥିଲେ। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲାରୁ।

ନନ୍ଦପୁର ଉଚ୍ଚ ବିଦ୍ୟାଳୟର ଛାତ୍ରାବାସକୁ ଆସିଥିବା ଓଦା କାଠକୁ ନେଇ ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଲତା ଗରଡ଼ା ଓ ରୋଷେୟାଙ୍କ ମଧ୍ୟରେ ଗୁରୁବର ରାତିରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରୋଷେୟା ହଷ୍ଟେଲ୍‌ ଛାଡ଼ି ଘରକୁ ପଳାଇ ଯାଇଥିଲେ। ଯେଉଁଥିପାଇଁ ରାତିରେ ହଷ୍ଟେଲ୍‌ରେ ରୋଷେଇ ହୋଇନଥିଲା। ଯାହାଫଳରେ ଛାତ୍ରାବାସରେ ରହୁଥିବା ୬୦ ପିଲା ଖାଇବାକୁ ପାଇଲେ ନାହିଁ। ହଷ୍ଟେଲ୍‌ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷୟିତ୍ରୀ ମଧ୍ୟ ପିଲାଙ୍କ ଖାଇବା କଥା ବୁଝିଲେ ନାହିଁ।

ଶେଷରେ କଥା ଯାଇ ପହଞ୍ଚିଥିଲା ବ୍ଲକ୍‌ WEOଙ୍କ ପାଖରେ। ସେ ରାତିରେ ପିଲାମାନଙ୍କୁ ବିସ୍କୁଟ୍‌ ଖାଇବାକୁ ଦେଇଥିଲେ। ପିଲାମାନେ ପାଣି ପିଇ ଓ ବିସ୍କୁଟ ଖାଇ ରାତିରେ ଶୋଇ ପଡ଼ିଥିଲେ। ଭାବିଥିଲେ, ରାତିଟା ତ ଗଲା, ସକାଳେ ଓ ମଧ୍ୟାହ୍ନରେ ଖାଇବାକୁ ମିଳିବ। ହେଲେ ଖାଇବାକୁ ମିଳିଲା ନାହିଁ। ପିଲାମାନେ ଉପବାସରେ ରହିଥିଲେ ମଧ୍ୟ ପ୍ରଧାନଶିକ୍ଷୟିତ୍ରୀ ସବୁ ଦେଖୁ ନିରବଦ୍ରଷ୍ଟା ସାଜିଥିଲେ। ପିଲାଙ୍କ ଖାଇବା କଥା ବୁଝିନଥିଲେ।

ଶେଷରେ ପିଲାମାନେ ନନ୍ଦପୁର ବିଡିଓଙ୍କ ପାଖରେ ଅଭିଯୋଗ କରିବା ପାଇଁ ବାହାରିଲେ। ଅଧା ରାସ୍ତାରେ ବର୍ଷା ହୋଇଥିଲା। ବର୍ଷାକୁ ଖାତିର ନକରି ପିଲାମାନେ ଓଦା ହୋଇ ଚାଲି ଚାଲି ବ୍ଲକ ଅଫିସ୍‌ରେ ପହଞ୍ଚିଥିଲେ। ମାତ୍ର ସେତେବେଳେ ଅଫିସ୍‌ରେ ବିଡିଓ ନଥିଲେ। ପରେ ବିଡିଓ ରଜନୀ କାନ୍ତ ଦାସଙ୍କ ନିର୍ଦ୍ଦେଶରେ ଜିପିଇଓ ବେଦାନ୍ତ ମାଝି ପିଲାଙ୍କୁ ବିସ୍କୁଟ ଦେଇ ବୁଝାଇଥିଲେ। ଏହା ପରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁବ୍ରତ କୁମାର ପରିଡ଼ା ସବୁ ପିଲାଙ୍କୁ ଧରି ବିଦ୍ୟାଳୟକୁ ଫେରି ଥିଲେ। ରନ୍ଧନ ଗ୍ୟାସ୍‌ ଯୋଗାଡ଼ କରି ତୁରନ୍ତ ପିଲାଙ୍କୁ ରନ୍ଧାଖାଦ୍ୟ ଦେବାର ବ୍ୟବସ୍ଥା କରିଥିଲେ। ଆଗକୁ ଯେପରି ଏଭଳି ଘଟଣା ନଘଟେ, ସେଥିପ୍ରତି ଯତ୍ନବାନ ହେବାକୁ ପ୍ରଧାନଶିକ୍ଷୟିତ୍ରୀ ଅଞ୍ଜୁଲତା ଗରଡା, ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ୨ ରୋଷେୟା ଓ ଅନ୍ତେବାସୀଙ୍କୁ ତାଗିଦ କରିଛନ୍ତି।

Related story