ସୁନ୍ଦରଗଡ଼: ସୁନ୍ଦରଗଡ଼ ରାଉଳଗେଡା ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି। ଝାଡଖଣ୍ଡ ଅଞ୍ଚଳରୁ ଆସିଥିବା ଏକ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିବା ସହ ପ୍ରାୟ ୩୦ରୁ ଅଧିକ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପ୍ରାୟ ୧୫ଟି ହାତୀ ଗତ ଶୁକ୍ରବାର ରାତିରେ ରାମପୁର ପଞ୍ଚାୟତର ଗୌଡେ଼ନଢିପା ଗାଁରେ ପଶି ୧୧ଟି ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ କରିଛନ୍ତି। ସେହିପରି ବାଲିଶଙ୍କରା ବ୍ଲକର ବରାହଡେମା, ଟାଙ୍ଗରଗାଁ, ଠେଠେଇଟାଙ୍ଗର ଆଦି ଗାଁରେ ପ୍ରାୟ ୩୦ଟି ଘର ଭାଙ୍ଗିଛନ୍ତି। ହାତୀପଲ ଆଖପାଖ ଜଙ୍ଗଲରେ ରହୁଥିବା ଯୋଗୁଁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀ ପଲକୁ ସ୍ଥାନୀୟ ଅଞ୍ଚଳରୁ ଘଉଡ଼ାଇବା ସହ କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ କରାଯିବ ବୋଲି ସୁନ୍ଦରଗଡ଼ ଡିଏଫଓ କହିଛନ୍ତି।