ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ନିର୍ବାଚନମଣ୍ଡଳୀର ଦୁଇଟି ସମସ୍ୟାର ସମାଧାନ ନହେଲେ ଆସନ୍ତା ଜାନୁୟାରୀ ୨୭ତାରିଖରେ ନବୀନ ନିବାସ ଆଗରେ ଅଞ୍ଚଳବାସୀଙ୍କ ସହ ସେ ନିଜେ ଆତ୍ମହୂତି ଦେବେ ବୋଲି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଚେତାବନୀ ଦେଇଛନ୍ତି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ, ୨୦୧୨ ମସିହାରେ ଜଟଣୀ ଅଞ୍ଚଳରେ ୨୭ଟି ଗ୍ରାମର ସ୍ଥିତିବାନ ସମ୍ପତ୍ତିକୁ ହଠାତ୍ ଜଗନ୍ନାଥ ମହାପ୍ରଭୁଙ୍କ ଜମି ଘୋଷଣା କରାଯାଇ ସେଠାରେ ପୂର୍ବପୁରୁଷରୁ ରହୁଥିବା ସାଧାରଣ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ôଚତ କରାଯାଇଛି। ସେମାନଙ୍କୁ ସରକାରୀ ଯୋଜନା ଯଥା: ସ୍କୁଲ ଘର, ଡାକ୍ତରଖାନା, ଅଙ୍ଗନବାଡ଼ି, ଆରଆଇ ଅଫିସ, ରାସ୍ତା, ପୋଖରୀ, ଇନ୍ଦିରା ଆବାସ, ବିଜୁ ପକ୍କାଘର ଏପରିକି ବାତ୍ୟାବେଳେ ମିଳୁଥିବା ସରକାରୀ ସହାୟତାରୁ ମଧ୍ୟ ବଞ୍ôଚତ କରାଯାଇଛି। ଉକ୍ତ ଜମିକୁ ବିକ୍ରୟ କିମ୍ବା ବନ୍ଧକ ସୂତ୍ରରେ ବ୍ୟବହାର କରି, ସୁଧଘର, ଝିଅ ବାହାଘର, ଉଚ୍ଚ ଶିକ୍ଷା, ନୂତନ ଗୃହ ନିର୍ମାଣରୁ ବଞ୍ôଚତ ହୋଇ ବହୁ ଅସୁବିଧାରେ ଜୀବନ ବିତାଉଛନ୍ତି। ଜନସାଧାରଣଙ୍କ ଅସୁବିଧାକୁ ବିଚାରକୁ ନେଇ ହାଇକୋର୍ଟ ମଧ୍ୟ ଏ ଦିଗରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶ ଶିଥିଳ ଗତିରେ ଚାଲିଛି।
ସେହିପରି ଭୁବନେଶ୍ୱରରୁ ସମସ୍ତ ଅଳିଆ ଆବର୍ଜନାକୁ ଦାରୁଠେଙ୍ଗ ଠାରେ ଡମ୍ପିଂୟାର୍ଡରେ ପକାଇବା ଦ୍ୱାରା ଦାରୁଠେଙ୍ଗ ଅଞ୍ଚଳବାସୀ ବାୟୁ ପ୍ରଦୂଷଣ ଓ ଜଳ ପ୍ରଦୂଷଣ ଦ୍ୱାରା ଚର୍ମରୋଗ, ଶ୍ୱାସରୋଗ, ଅଜଣା ଜ୍ୱରରେ ବହୁଲୋକ ଆକ୍ରାନ୍ତ ହେଉଛନ୍ତି। ଉକ୍ତ ପ୍ରଦୂଷଣ ଦ୍ୱାରା ନନ୍ଦନ କାନନ, ଚନ୍ଦକା ଅଭୟାରଣ୍ୟରେ ଥିବା ହାତୀ, ବାଘ, ସିଂହ, ହରିଣ, ମୟୂରପକ୍ଷୀ ଇତ୍ୟାଦି ବହୁ ପଶୁପକ୍ଷୀ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସରକାରଙ୍କ ଜ୍ଞାତସାରରେ ଘଟିଛି।
ତେଣୁ ଆସନ୍ତା ୩୫ଦିନ ମଧ୍ୟରେ ଜଟଣୀ ଅଞ୍ଚଳର ସ୍ଥିତିବାନ ଜମିକୁ ଫେରସ୍ତ କରାଇବା ଏବଂ ଦାରୁଠେଙ୍ଗଠାରେ ଥିବା ଡମ୍ପିଂୟାର୍ଡ଼କୁ ସ୍ଥାନାନ୍ତର କରାନଗଲେ ଅଞ୍ଚଳବାସୀ ଆସନ୍ତାମାସ ୨୭ତାରିଖରେ ନବୀନ ନିବାସ ଘେରାଉ ସହିତ ଆତ୍ମାହୁତି ଦେବେ ବୋଲି ଶ୍ରୀ ରାଉତରାୟ ସତର୍କ କରାଇ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।