ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲାର କେତେକ ସ୍ଥାନରେ ଆନ୍ଧ୍ରପ୍ରେଦଶ ପଞ୍ଚାୟତ ନିର୍ବାଚନ କରିଛି। କେବଳ ଆନ୍ଧ୍ର ନୁହେଁ, ପଡ଼ୋଶୀ ଛତିଶଗଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସହ ମଧ୍ୟ ରହିଛି ଓଡ଼ିଶାର ସୀମା ବିବାଦ। ଚାରିଆଡୁ ସମାଲୋଚନା ଓ ଚାପ ପଡ଼ିବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ। ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ।
ଚିଠି ଉଲ୍ଲେଖ ରହିଛି, ଏଣିକି ପ୍ରତି ୧୫ ଦିନରେ ସୀମାବର୍ତ୍ତୀ ଗାଁ ଗୁଡ଼ିକର ବିକାଶ ଓ ସେ ଅଞ୍ଚଳରେ ପଡ଼ୋଶୀ ରାଜ୍ୟର କାର୍ଯ୍ୟକଳାପ ବିଷୟରେ ଅବଗତ କରାଇବେ ଜିଲ୍ଲାପାଳ। ସୀମାନ୍ତ ଗାଁ ବାବଦରେ ପ୍ରତି ୧୫ ଦିନରେ ଗୁପ୍ତ ରିପୋର୍ଟ ଦେବାକୁ ଦିଆଯାଇଛି ନିର୍ଦ୍ଦେଶ। ପୂର୍ବରୁ ଏଭଳି ନିର୍ଦ୍ଦେଶ ଥିଲେ ମଧ୍ୟ ତାହା ଆଦୌ କାର୍ଯ୍ୟକାରୀ ହେଉନଥିଲା।
ସେହିପରି ବାର୍ଷିକ ସୀମା ଯାଞ୍ଚ ମଧ୍ୟ ହେଉନଥିଲା। ତେଣୁ ସୀମାକୁ ଚିହ୍ନଟ କରୁଥିବା ଖୁଣ୍ଟିକୁ ନିୟମିତ ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଯଦି କେଉଁଠି ଖୁଣ୍ଟି ନଥିବ, ତା’ହେଲେ ତହସିଲଦାରମାନେ ଆବଶ୍ୟକ ପଦକ୍ଷେପ ନେବେ।
ସେପଟେ ବହୁ ଚର୍ଚ୍ଚିତ କୋଟିଆ ବିବାଦ ମାମଲା ଏବେ ସୁପ୍ରିମକୋର୍ଟରେ ରହିଛି। ଅଦାଲତରେ ନିଜ ପକ୍ଷ ଦୃଢ଼ କରିବାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କଠାରୁ ଆଇନଗତ ପରାମର୍ଶ ନେବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ, ସୀମା ବିବାଦର ସମାଧାନ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି।
ସେପଟେ ସୀମା ବିବାଦ ନେଇ ରାଜ୍ୟ ସରକାର ଯେତେ ସତର୍କ ହୋଇ ପଦକ୍ଷେପ ନେଲେ ମଧ୍ୟ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ ରହିଛି। ଏବେ ମଧ୍ୟ ସୀମା ବିବାଦର ପୂଳା ପୂଳା ଚିତ୍ର ସାମ୍ନାକୁ ଆସୁଛି।
ମୟୂରଭଂଜ ରରୁଆଁ ବ୍ଲକ୍ର ଡେଣୁଆ ଗାଁ। ରାସ୍ତାର ଏପଟେ ଓଡ଼ିଶା, ସେପଟେ ଝରଖଣ୍ଡ ଡେଣୁଆ ଗାଁକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଚାଲିଛି ଟଣାଓଟରା। ସେହିପରି ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଶେଷ ଗାଁ ନୂଆଁମାଲପଡ଼ା ଗାଁ ଆରପଟେ ରହିଛି ଛତିଶଗଡ଼ର ବୁର୍ଜାବହାଲ। ଦୁଇ ଗାଁ ଭିତରେ ଜମିକୁ ନେଇ ଲାଗି ରହିଛି ବିବାଦ। ସେପଟେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲର ଓଡ଼ିଶାର ୯ଟି ଏବଂ ପଶ୍ଚିମବଙ୍ଗର ୧୩ଟି ଗାଁ ବିବାଦରେ ରହିଛି। ଉଭୟ ରାଜ୍ୟର ଅଧିକାରୀ ସୀମା ଚିହ୍ନଟ କରିବା ପରେ ସେଠାରେ ୪୨ଟି ଖୁଣ୍ଟି ପୋତା ଯାଇଛି।