ଟାଟା ହାତକୁ ଗଲା ସାଉଥକୋ, ୱେସ୍କୋ

ଭୁବନେଶ୍ୱର(ପ୍ରକାଶ ସେଠୀ): ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ‘ସେସୁ’କୁ ଅଧିଗ୍ରହଣ କରିବାପରେ ଟାଟା ପାୱାର ଆଜି ୱେସ୍କୋ ଓ ସାଉଥକୋ କମ୍ପାନୀକୁ ଅଧିଗ୍ରହଣ କରିବା ନିମନ୍ତେ ମନୋନୀତ ହୋଇଛି। ଆଜି ଫାଇନାନ୍ସିଆଲ ବିଡ୍ ଉନ୍ମୁକ୍ତ ହେବାପରେ ଟାଟା ପାୱାର ଓଡ଼ିଶାର ଏହି ଦୁଇଟି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀକୁ ଅଧିଗ୍ରହଣ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛି। ଯଦିଓ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ପକ୍ଷରୁ ଏନେଇ ଟାଟା ପାୱାରକୁ (ଏଲଓଏ) ଲେଟର ଅଫ ଆୱାର୍ଡ ଦିଆଯାଇନାହିଁ କିନ୍ତୁ ୱେସ୍କୋ ଓ […]

tata

Niharika Rout
  • Published: Friday, 04 December 2020
  • , Updated: 04 December 2020, 05:21 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ‘ସେସୁ’କୁ ଅଧିଗ୍ରହଣ କରିବାପରେ ଟାଟା ପାୱାର ଆଜି ୱେସ୍କୋ ଓ ସାଉଥକୋ କମ୍ପାନୀକୁ ଅଧିଗ୍ରହଣ କରିବା ନିମନ୍ତେ ମନୋନୀତ ହୋଇଛି। ଆଜି ଫାଇନାନ୍ସିଆଲ ବିଡ୍ ଉନ୍ମୁକ୍ତ ହେବାପରେ ଟାଟା ପାୱାର ଓଡ଼ିଶାର ଏହି ଦୁଇଟି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀକୁ ଅଧିଗ୍ରହଣ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛି। ଯଦିଓ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ପକ୍ଷରୁ ଏନେଇ ଟାଟା ପାୱାରକୁ (ଏଲଓଏ) ଲେଟର ଅଫ ଆୱାର୍ଡ ଦିଆଯାଇନାହିଁ କିନ୍ତୁ ୱେସ୍କୋ ଓ ସାଉଥକୋକୁ ଅଧିଗ୍ରହଣ କରିବାର ସମସ୍ତ ଆଇନଗତ ମାର୍ଗ ପ୍ରଶସ୍ତ ହୋଇଥିବା ଜଣାପଡ଼ିଛି। ଏହି ଦୁଇ କମ୍ପାନୀକୁ ଅଧିଗ୍ରହଣ ପାଇଁ ନିଲାମ ପ୍ରକ୍ରିୟାରେ ଇଣ୍ଡିଆ ପାୱାର କର୍ପୋରେସନ ଓ ଫ୍ରାନ୍ସ ସରକାରଙ୍କ ଏକ କମ୍ପାନୀ ସାମିଲ ହୋଇଥିଲେ ମଧ୍ୟ ଉଭୟ ଯୋଗ୍ୟ ବିବେଚିତ ହୋଇପାରିନଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ୩ଟି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ୱେସ୍କୋ, ନେସ୍କୋ ଓ ସାଉଥକୋର ଘରୋଇକରଣ ନିମନ୍ତେ ଓଇଆଇସିଙ୍କ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ନେସ୍କୋ ପାଇଁ ଟାଟା ପାୱାର ଏକମାତ୍ର କମ୍ପାନୀ ଭାବେ ଟେଣ୍ଡର ଦାଖଲ କରିଥିବାରୁ ଏନେଇ ଆଇନଗତ ତର୍ଜମା ଜାରି ରହିଥିବାବେଳେ ୱେସ୍କୋ ଓ ସାଉଥକୋକୁ ଅଧିଗ୍ରହଣ ନିମନ୍ତେ ଆଜି ଫାଇନାନ୍ସିଆଲ ବିଡ୍ (ଆର୍ଥିକ ଟେଣ୍ଡର) ଖୋଲା ଯିବାପରେ ଟାଟା ପାୱାର ଯୋଗ୍ୟ ବିବେଚିତ ହୋଇଛି। ଅବଶ୍ୟ ଏହି ଦୁଇ କମ୍ପାନୀ ନିମନ୍ତେ ଇଣ୍ଡିଆ ପାୱାର କର୍ପୋରେସନ୍ ଓ ଫ୍ରାନ୍ସ ସରକାରଙ୍କ କମ୍ପାନୀ ଇଲେକ୍ଟ୍ରିସାଇଟ ଡି ଫ୍ରାନ୍ସ ସା(ଇଡିଏସ) କମ୍ପାନୀ ବୈଷୟିକ କାରଣରୁ ଏହି ଦୌଡ଼ରୁ ବାଦ୍ ପଡ଼ିଛନ୍ତି। ସୂତ୍ର ଅନୁସାରେ ୱେସ୍କୋ ଓ ସାଉଥକୋକୁ ୨୫ବର୍ଷ ପାଇଁ ଟାଟା ପାୱାର ଅଧିଗ୍ରହଣ କରିବ। ଏହି ଦୁଇ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀରେ ଓଡ଼ିଶା ସରକାରଙ୍କ ୪୯ପ୍ରତିଶତ ଓ ଟାଟା ପାୱାରର ୫୧ ପ୍ରତିଶତ ଅଂଶଧନ ରହିବ। ତେବେ ଏହି ଅଧିଗ୍ରହଣ ପ୍ରାଇସ୍ କ’ଣ ରହିଛି ତାହା ଜଣାପଡ଼ିନି। ୱେସ୍କୋ କମ୍ପାନୀ ନିମନ୍ତେ ପିଡବ୍ଲ୍ୟୁସି ଓ ସାଉଥକୋ ନିମନ୍ତେ ଡେଲୋଲାଇଟ୍ ଦ୍ୱାରା ବିଡିଂ ପରିଚାଳନା କରାଯାଇଥିଲା। ସେସୁକୁ ଅଧିଗ୍ରହଣ ନିମନ୍ତେ ଧାର୍ଯ୍ୟ ଦରଠୁ ଏହି ଦୁଇ କମ୍ପାନୀର ଦର ବହୁତ କମ୍ ରହିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଟାଟା ପାୱାର ୧୭୫ କୋଟି ଟଙ୍କା ବ୍ୟୟରେ ସେସୁର ୫୧ ପ୍ରତିଶତ ଅଂଶଧନ କ୍ରୟ କରିଥିଲା। ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ୱେସ୍କୋ ଏବେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ବିଦ୍ୟୁତ ବଣ୍ଟନ କରୁଛି। ସେହିପରି ସାଉଥକୋ ଏବେ ୮ଟି ଜିଲ୍ଲା ଯଥା- ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ବିଦ୍ୟୁତ ବଣ୍ଟନ କରୁଛି।

ଏହି ଦୁଇ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀର ୫୧ ପ୍ରତିଶତ ଅଂଶଧନକୁ ରିଲାଏନ୍ସ କ୍ରୟ କରିଥିଲା। ମାତ୍ର ରାଜ୍ୟ ସରକାର ୩ବର୍ଷ ପୂର୍ବେ ରିଲାଏନ୍ସର ଲାଇସେନ୍ସକୁ ବାତିଲ କରିଦେଇ ଏସବୁ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥାର ମାଲିକାନା ଦାୟିତ୍ୱ ଓଇଆରସିଙ୍କ ଉପରେ ନ୍ୟସ୍ତ କରିଥିଲେ। ୱେସ୍କୋ ଓ ସାଉଥକୋକୁ ଅଧିଗ୍ରହଣ କରିଥିବା ଟାଟା ପାୱାର ଯଦି ନେସ୍କୋକୁ ଅଧିଗ୍ରହଣ କରେ ତା’ହେଲେ ରାଜ୍ୟର ସମସ୍ତ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ଟାଟା ପାୱାର ହାତରେ ରହିବ।

Related story