ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ତଥାଗତ ସତପଥୀଙ୍କ ଟ୍ୱିଟ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସ୍ୱାଧୀନତା ଦିବସର ଶୁଭକାମନା ଜଣାଇବାକୁ ଯାଇ ସାଂସଦଙ୍କ କାର୍ଯ୍ୟାଳୟ ଟ୍ୱିଟ୍ରେ ‘ହ୍ୟାପି ଡିପେଣ୍ଡେନ୍ସ ଡେ’ ଲେଖିଛନ୍ତି। ତେବେ ଦେଶ ସ୍ୱାଧୀନ ହେବାର ୭୧ ବର୍ଷ ପରେ ମଧ୍ୟ ସାଂସଦ କାହା ଉଦ୍ଦେଶ୍ୟରେ ଏଭଳି ଟ୍ୱିଟ୍ କରିଛନ୍ତି ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
ସବୁବେଳେ ରୋକ୍ଠୋକ୍ ମତ ରଖୁଥିବା ସାଂସଦ ଶ୍ରୀ ସତପଥୀ, ଆଜି ‘ଇଣ୍ଡିପେଣ୍ଡେନ୍ସ’ (ସ୍ୱାଧୀନ) ବଦଳରେ ‘ଡିପେଣ୍ଡେନ୍ସ’ (ନିର୍ଭରଶୀଳ) ଦିନର ଶୁଭକାମନା ଜଣାଇ ବିଜେଡିରେ ବଢ଼ୁଥିବା ‘ପର’ ଉପରେ ନିର୍ଭରଶୀଳତା ପ୍ରତି ଇଙ୍ଗିତ କରିଥିବା ଚର୍ଚ୍ଚା ହେଉଛି।
ବିଜେଡିରେ ଏବେ ନେତାମାନେ ପ୍ରତ୍ୟେକଟି ପ୍ରସଙ୍ଗରେ ନିଜସ୍ୱ ମତ ରଖିବା ବଦଳରେ, ତୃତୀୟ ମହଲାର ନିର୍ଦ୍ଦେଶକୁ ଅପେକ୍ଷା କରୁଛନ୍ତି। ତା’ ଛଡ଼ା ଦଳୀୟ ନେତାମାନଙ୍କୁ ରାଜ୍ୟ ସ୍ୱାର୍ଥ ଓ ଦଳୀୟ ସଂଗଠନ ସହ ଜଡ଼ିତ ପ୍ରସଙ୍ଗରେ ମଧ୍ୟ ନିଜସ୍ୱ ମତ ରଖିବାକୁ ଅନୁମତି ମିଳୁନି।
ଏଭଳି ସ୍ଥଳେ ସ୍ୱାଧୀନତା ଦିବସ ଅବସରରେ ବିଜେଡି ସାଂସଦ ଶ୍ରୀ ସତପଥୀଙ୍କ ଏହି ‘ଡିପେଣ୍ଡେନ୍ସ’ ଟ୍ୱିଟ୍ ପ୍ରାସଙ୍ଗିକତା ବହନ କରୁଛି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।