ସ୍ୱାଧୀନତା ଦିବସରେ ସ୍କୁଲ ଆସିଲେନି ଶିକ୍ଷକ, ପିଲାମାନେ ଉଡ଼ାଇଲେ ଜାତୀୟ ପତାକା

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ଆଜି ହେଉଛି ସ୍ୱାଧୀନତା ଦିବସ। ହେଲେ ଜାତୀୟ ପତାକା ଉତ୍ତୋଳନ କରିବାକୁ ସ୍କୁଲ ଆସିଲେ ନାହିଁ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ। ବହୁ ସମୟ ଅପେକ୍ଷା କରି ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ଉତ୍ତୋଳ କରିଦେଲେ। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲାରେ। ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତର ସରବାପୁଟ ପ୍ରକଳ୍ପ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଆଜି ସ୍ୱାଧୀନତା ଦିବସ ଥିବାରୁ […]

Koraput

  • Published: Monday, 15 August 2022
  • , Updated: 15 August 2022, 10:41 PM IST

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ଆଜି ହେଉଛି ସ୍ୱାଧୀନତା ଦିବସ। ହେଲେ ଜାତୀୟ ପତାକା ଉତ୍ତୋଳନ କରିବାକୁ ସ୍କୁଲ ଆସିଲେ ନାହିଁ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ। ବହୁ ସମୟ ଅପେକ୍ଷା କରି ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ଉତ୍ତୋଳ କରିଦେଲେ। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲାରେ।

ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତର ସରବାପୁଟ ପ୍ରକଳ୍ପ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଆଜି ସ୍ୱାଧୀନତା ଦିବସ ଥିବାରୁ ସ୍କୁଲର ଛାତ୍ରଛାତ୍ରୀ ଓ ପରିଚାଳନା କମିଟିର ସଦସ୍ୟାମାନେ ସକାଳେ ସ୍କୁଲରେ ପହଞ୍ଚିଥିଲେ। ହେଲେ ପ୍ରଧାନ ଶିକ୍ଷକ ବୀଙ୍ଗୁ କିର୍ଷାନୀ ଓ ଶିକ୍ଷୟିତ୍ରୀ ସୁଚିତ୍ରା ବିଲୁଙ୍ଗ ସ୍କୁଲକୁ ଆସିନଥିଲେ।

ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କ ଗହଣରେ ପିଲାମାନେ ଗୋଟିଏ ୪ ଫୁଟିଆ ଖୁଣ୍ଟ ପୋତି ସେଥିରେ ଜାତୀୟ ପତାକା ଟାଙ୍ଗି ଦେଇଥିଲେ। ଏହାର ଭିଡ଼ିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଉକ୍ତ ଭିଡିଓଟି ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଟଙ୍କଧର ଶୁକ୍ରି, ଗ୍ରାମବାସୀ, ମଧୁ ଦୋରା, ରମେଶ ଖେମୁଣ୍ଡୁ ପ୍ରମୁଖ।

ତେବେ ଏନେଇ ପ୍ରଧାନ ଶିକ୍ଷକ ବୀଙ୍ଗୁ କିର୍ଷାନୀ ଓ ଶିକ୍ଷୟିତ୍ରୀ ସୁଚିତ୍ରା ବିଲୁଙ୍ଗଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଅନ୍ୟପକ୍ଷରେ ନନ୍ଦପୁର ଏବିଓ ଗୁରୁନାଥ ମାଝିଙ୍କୁ ପଚାରିବାରୁ ସେ କହିଛନ୍ତି, ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଛି। କେଉଁ କାରଣ ପାଇଁ ସେମାନେ ଜାତୀୟ ପତାକା ଉତ୍ତୋଳନ କରିବାକୁ ସ୍କୁଲ ଆସିପାରିଲେ ନାହିଁ, ସେ ସମ୍ପର୍କରେ ଲିଖିତ ଆକାରରେ ଦେବାକୁ କୁହାଯାଇଛି।

Related story