ରାତିରେ ଦେବୀ ପଠାଇବୁ... ତୁମର ଅନିଷ୍ଟ କରିବୁ, ମିଳୁଥିଲା ଏମିତି ଧମକ!

ଟିଟିଲାଗଡ଼ (ମାନସ ମହାନ୍ତି): ରାତିରେ ଦେବୀ ପଠାଇ ତୁମର ଅନିଷ୍ଟ କରିଦେବୁ…। ଏପରି ଧମକ ପାଇବା ପରେ ଗାଁର ଯୁବତୀମାନେ ଦେବୀ ମନ୍ଦିର ଆଗରେ ଅସ୍ୱାଭାବିକ ଆଚରଣ ଦେଖାଉଛନ୍ତି। କେତେବେଳେ କିଏ ମୁଣ୍ଡ ହଲାଇ କାଳିଶି ଲାଗିଲା ପରି ହେଉଛି ଆଉ କେତେବେଳେ କିଏ ଗର୍ଜନ ଛାଡ଼ୁଛି। ଗୁଣିଗାରେଡ଼ି ଯୋଗୁ ଯୁବତୀମାନେ ଏପରି ହେଉଥିବା ଅଭିଯୋଗ ହେଉଛି। ଯାହା ଏବେ ଗୋଟିଏ ପରିବାର ଆଗରେ ଟାଣିଛି ଲକ୍ଷ୍ମଣ ରେଖା। ବିଜ୍ଞାନ ଯୁଗରେ ଏପରି ଅନ୍ଧ ବିଶ୍ୱସର ଅନ୍ଧାରୀ […]

titlagarh

Manoranjan Sial
  • Published: Friday, 02 July 2021
  • , Updated: 02 July 2021, 05:38 PM IST

ଟିଟିଲାଗଡ଼ (ମାନସ ମହାନ୍ତି): ରାତିରେ ଦେବୀ ପଠାଇ ତୁମର ଅନିଷ୍ଟ କରିଦେବୁ...। ଏପରି ଧମକ ପାଇବା ପରେ ଗାଁର ଯୁବତୀମାନେ ଦେବୀ ମନ୍ଦିର ଆଗରେ ଅସ୍ୱାଭାବିକ ଆଚରଣ ଦେଖାଉଛନ୍ତି। କେତେବେଳେ କିଏ ମୁଣ୍ଡ ହଲାଇ କାଳିଶି ଲାଗିଲା ପରି ହେଉଛି ଆଉ କେତେବେଳେ କିଏ ଗର୍ଜନ ଛାଡ଼ୁଛି। ଗୁଣିଗାରେଡ଼ି ଯୋଗୁ ଯୁବତୀମାନେ ଏପରି ହେଉଥିବା ଅଭିଯୋଗ ହେଉଛି। ଯାହା ଏବେ ଗୋଟିଏ ପରିବାର ଆଗରେ ଟାଣିଛି ଲକ୍ଷ୍ମଣ ରେଖା। ବିଜ୍ଞାନ ଯୁଗରେ ଏପରି ଅନ୍ଧ ବିଶ୍ୱସର ଅନ୍ଧାରୀ ଚିତ୍ର ଆସିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡରୁ।

ଗାଁ ଲୋକଙ୍କ କହିବା ଅନୁସାରେ ଟିଟିଲାଗଡ଼ ବ୍ଲକ ନିମୁର୍ଲା ଗ୍ରାମର ଯୁବରାଜ ଭୋଇଙ୍କ ପରିବାର ସହିତ କାହାର ତିକ୍ତତା ହେଲେ ମିଳୁଛି ଧମକ। ଦେବୀ ପଠାଇ ତୁମର ଅନିଷ୍ଠ କରିବୁ ବୋଲି ଧମକ ଦିଆଯାଉଛି। ତାହାର ଫଳସ୍ୱରୂପ ଗାଁର କେତେକ ଯୁବତୀମାନେ ଅସ୍ୱାଭାବିକ ଆଚରଣ ଦେଖାଉଛନ୍ତି। କେତେବେଳେ କିଏ ହାମ୍ୱୁଡାଇ ଚୁଟି ଖୋଲି ମୁଣ୍ଡ ହଲାଉଛନ୍ତି ତ ଆଉ କେତେ ବେଳେ ରଡି ଛାଡ଼ୁଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିମୁର୍ଲା ଗାଁର ଯୁବତୀଙ୍କ ଶରୀରରେ ଦେବୀ ସବାର ହେଲେ, ସେମାନେ ପଡ଼ୋଶୀ ନରେନ ଗାଁର ମଠଖାଇ ଡଙ୍ଗର ମନ୍ଦିର ସାମ୍ନାକୁ ଯାଉଛନ୍ତି। ସେହି ମନ୍ଦିର ଆଗରେ ସେମାନେ ଅସ୍ୱାଭାବିକ ଆଚରଣ ଦେଖାଉଛନ୍ତି। ଅସ୍ୱାଭାବିକ ଆଚରଣ ଦେଖାଇବା ବେଳେ ଯୁବତୀମାନେ ଯୁବରାଜ ଭୋଇ ଓ ତାଙ୍କ ପରିବାର ଲୋକଙ୍କ ନାଁ ନେଉଛନ୍ତି। ଯାହାର ଭିଡିଓ ଭାଇରାଲ୍‌ ହୋଇଛି। ଏହାକୁ ନେଇ ଗାଁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି।

 ଦିନକୁ ଦିନ ସ୍ଥିତି ବାହାରକୁ ଯାଉଥିବା ଦେଖି ଗୁରୁବାର ସନ୍ଧ୍ୟାରେ ଗାଁରେ ବସିଥିଲା ବୈଠକ। ଏଥିରେ ପଞ୍ଚାୟତର ସରପଞ୍ଚଙ୍କ ସମେତ ବୁଦ୍ଧିଜୀବୀ ଓ କାଳିଶୀ ଲାଗିଥିବା ଯୁବତୀମାନଙ୍କୁ ଡକା ଯାଇଥିଲା। ସେମାନଙ୍କୁ ପ୍ରଥମ ଭାଇରାଲ୍‌ ହୋଇଥିବା ଭିଡିଓ ଦେଖାଯାଇଥିଲା। ତା’ପରେ ଦୀର୍ଘ ସମୟ ଧରି ତାହା ଉପରେ ତର୍ଜମା ହୋଇଥିଲା। ପରେ ଉକ୍ତ ପରିବାରକୁ ଗାଁରୁ ବାହାର କରିଦେବା ପାଇଁ ନିଷ୍ପତ୍ତି ହୋଇଥିଲା।

ନିଷ୍ପତ୍ତି ମୁତାବକ ଯୁବରାଜ ଭୋଇଙ୍କ ପରିବାର ଗାଁ ଛାଡ଼ି ସିନ୍ଧେକେଲା ଥାନାରେ ଲଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ପୁଲିସ ଗାଁକୁ ଆସି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ଗୁଣିଗାରେଡି ପରି ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ ନକରିବାକୁ କହିଥିଲା। ବିଜ୍ଞାନ ଯୁଗରେ ଗୁଡ଼ି ବୋଲି କିଛି ନାହିଁ ବୋଲି ପୁଲିସ ବୁଝାଇଥିଲା। ଏହା ପରେ ଗାଁରେ ଦେଖାଦେଇଥିବା ଉତ୍ତେଜନା ପରିସ୍ଥିତି ଶାନ୍ତ ପଡ଼ିଛି। ମାତ୍ର ଗାଁ ଲୋକଙ୍କ ବିରୋଧରେ ଅଭିଯୋଗ କରିଥିବା ଉକ୍ତ ପରିବାର ଏବେ ଥାନାରେ ରହିଛି।

ବିଦ୍ର: ଓଡ଼ିଶା ରିପୋର୍ଟର କୌଣସି ଅନ୍ଧବିଶ୍ୱସକୁ ପ୍ରଶ୍ରୟ ଦିଏ ନାହିଁ।

Related story