ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଣୀବିହାର ବିଶ୍ୱବିଦ୍ୟାଳୟ ଖୋଲୁ ଖୋଲୁ ଦେଖାଦେଲାଣି ଛାତ୍ର ଅଶାନ୍ତି। କୋଭିଡ କଟକଣା ପରେ ଗତ ୧୧ ତାରିଖରେ ବିଶ୍ୱବିଦ୍ୟାଳୟ ଖୋଲିଥିବା ବେଳେ ନିମ୍ନମାନର ଖାଦ୍ୟ ଓ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ମୁହାଁମୁହିଁ ହୋଇଛନ୍ତି ୨ ଛାତ୍ର ଗୋଷ୍ଠି।
କ୍ୟାଣ୍ଟିନ୍ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ପରେ ଗୋପବନ୍ଧୁ ଛାତ୍ରାବାସର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ସହ ଏହା ଉଗ୍ର ରୂପ ଧାରଣ କରିଛି । ଗୋଟିଏ ଗୋଷ୍ଠୀ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରି ସେମାନଙ୍କ ସହ ପାଟିତୁଣ୍ଡ କରିଥିଲେ । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ଛାତ୍ର ଗୋଷ୍ଠୀ । ଏହା ପ୍ରତିବାଦରେ ଗୋଟିଏ ଗୋଷ୍ଠି ଗୋପବନ୍ଧୁ ହଷ୍ଟେଲ୍ ସାମ୍ନାରେ ଧାରଣାରେ ବି ବସିଥିଲେ ।
ଏନେଇ ଜଣେ ଛାତ୍ର ନେତା କହିଛନ୍ତି, ଅଣଛାତ୍ରମାନେ କଲେଜରେ ଅବାଧରେ ପ୍ରବେଶ କରୁଛନ୍ତି। ରାତିରେ ହାତରେ ବାଡ଼ି ଧରି ବୁଲୁଛନ୍ତି। ଗାଳିଗୁଲକ କରୁଛନ୍ତି। ପ୍ରତିବାଦରେ ଛାତ୍ର ସଂଘ ରାସ୍ତାରେ ବସିଛି। ଦାବି ପୂରଣ ନ ହେଲେ, ପୁଲିସ୍ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଅନଶନରେ ବସିବୁ ।
ଘଟଣା ପରେ ପିଜି କାଉନସିଲ୍ ଚେୟାରମ୍ୟାନ୍ ହଷ୍ଟେଲ୍ ସାମ୍ନାକୁ ଆସି ଧାରଣାରତ ଅନ୍ତେବାସୀଙ୍କୁ ବୁଝାସୁଝା କରିଥିଲେ । ପିଜି କାଉନସିଲର ଚେୟାରମ୍ୟାନ ବସନ୍ତ ମଲ୍ଲିକ କହିଛନ୍ତି, ପିଲାଙ୍କ ଅଭିଯୋଗ ଶୁଣିବୁ। କିପରି ଶାନ୍ତି ଫେରିବ ଆଲୋଚନା କରବୁ। ଅଣଛାତ୍ର କିପରି ନ ରହିବେ ସେ ନେଇ ଆଲୋଚନା କରିବୁ।
ଛାତ୍ର ଅଶାନ୍ତି ପରେ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । କୋଭିଡ୍ କଟକଣା ପରେ ବନ୍ଦ ଥିବା ବିଶ୍ୱବିଦ୍ୟାଳୟ ଗତ ୧୧ ତାରିଖରେ ଖୋଲିଥିଲା ।