ଧର୍ମାନ୍ତୀକରଣରୁ ଉତ୍ତେଜନା: ଗାଁ ଶ୍ମଶାନରେ ବୃଦ୍ଧଙ୍କ ଶବକୁ ମିଳୁନି ଜାଗା

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଧର୍ମାନ୍ତୀକରଣ ହେଲା କାଳ। ଗ୍ରାମବାସୀଙ୍କ ଆକଟ ନ ଶୁଣି ଅନ୍ୟ ଧର୍ମରେ ସାମିଲ ହୋଇଥିବା ଜଣେ ବୃଦ୍ଧଙ୍କ ମୃତଦେହକୁ ଗାଁ ମଶାଣିରେ ସତ୍କାର କରିବାକୁ ମିଳୁନି ଜାଗା। ଫଳରେ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ମୃତଦେହ ପଡ଼ି ରହିଥିବା ବେଳେ ଗାଁ ମୁଣ୍ଡରେ ଜଗି ରହିଛନ୍ତି ଲୋକେ। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଗୁଲିବଡ଼ନା ଗାଁରେ ଗତକାଲିଠୁ ମୃତଦେହ ପୋଡ଼ିବାକୁ ନେଇ ବିବାଦ ଲାଗି ରହିଥିବା ବେଳେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନ […]

pic

  • Published: Saturday, 29 October 2022
  • , Updated: 29 October 2022, 10:02 AM IST

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଧର୍ମାନ୍ତୀକରଣ ହେଲା କାଳ। ଗ୍ରାମବାସୀଙ୍କ ଆକଟ ନ ଶୁଣି ଅନ୍ୟ ଧର୍ମରେ ସାମିଲ ହୋଇଥିବା ଜଣେ ବୃଦ୍ଧଙ୍କ ମୃତଦେହକୁ ଗାଁ ମଶାଣିରେ ସତ୍କାର କରିବାକୁ ମିଳୁନି ଜାଗା। ଫଳରେ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ମୃତଦେହ ପଡ଼ି ରହିଥିବା ବେଳେ ଗାଁ ମୁଣ୍ଡରେ ଜଗି ରହିଛନ୍ତି ଲୋକେ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଗୁଲିବଡ଼ନା ଗାଁରେ ଗତକାଲିଠୁ ମୃତଦେହ ପୋଡ଼ିବାକୁ ନେଇ ବିବାଦ ଲାଗି ରହିଥିବା ବେଳେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି। ପରିବାର ଲୋକେ ଶବ ପୋତିବାକୁ ଜିଦ୍‌ ଧରିଥିବା ବେଳେ ଗାଁ ଲୋକେ କିନ୍ତୁ ମୃତଦେହ ପୋଡ଼ିଲେ ହିଁ ଶ୍ମଶାନରେ ଜାଗା ମିଳିବ ବୋଲି ସଫା ସଫା ଶୁଣାଇଛନ୍ତି।

ଗୁଲିବଡ଼ନା ଗାଁର ଜିତ୍ରୁ ଭତ୍ରା ନାମକ ବୃଦ୍ଧଙ୍କ ପରିବାର ପ୍ରାୟ ୩, ୪ ବର୍ଷ ପୂର୍ବେ ଧର୍ମ ପରିବର୍ତ୍ତନ କରିଥିଲେ। ସେତେବେଳେ ଗ୍ରାମବାସୀ ଧର୍ମାନ୍ତୀକରଣକୁ ବିରୋଧ କରିବା ସତ୍ତ୍ୱେ ଜିତ୍ରୁ ଭତ୍ରା ସେମାନଙ୍କ ଆକଟ ଶୁଣି ନ ଥିଲେ।  ଏହାକୁ ନେଇ ସେବେଠୁ ଗ୍ରାମବାସୀ ଓ ଜିତୁଙ୍କ ପରିବାର ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା।

ଗତକାଲି ସକାଳେ ଜିତୁ ଆଖି ବୁଜିଥିଲେ। ଏହାପରେ ପରିବାର ଲୋକେ ଗାଁ ଶ୍ମଶାନରେ ନିଜ ଧର୍ମ ଅନୁଯାୟୀ ତାଙ୍କ ଶବ ସତ୍କାର କରିବା ସହ ମୃତଦେହକୁ ପୋତିବାକୁ ପ୍ରସ୍ତୁତି ଆରମ୍ଭ କରିଦେଲେ। ଯାହାକୁ ତୀବ୍ର ବିରୋଧ କଲେ ଗ୍ରାମବାସୀ। ଗ୍ରାମର ସମସ୍ତେ ଗୋଟିଏ ଧର୍ମର ହୋଇଥିବାରୁ ସେମାନଙ୍କ ଧର୍ମ ଅନୁଯାୟୀ ମୃତଦେହକୁ ପୋଡ଼ିବାକୁ ପଡ଼ିବ ବୋଲି ଗ୍ରାମବାସୀ ସଫା ସଫା ଶୁଣାଇ ଦେଇଥିଲେ।

ଏହାକୁ ନେଇ ଉଭୟ ପକ୍ଷ ନିଜ ଜିଦ୍‌ରେ ଅଟଳ ଥିବା ବେଳେ ଗାଁରେ ଉତ୍ତେଜନା ଲାଗି ରହିଛି। ଗତକାଲି ରାତି ସାରା ଗାଁ ଲୋକେ ଗ୍ରାମର ପ୍ରବେଶ ପଥରେ ପଇଁତରା ମାରି କାହାକୁ ଭିତରେ ପ୍ରବେଶ କରାଇ ଦେଇନ ଥିଲେ।

ଫଳରେ ଗତକାଲି ବିଳମ୍ବିତ ରାତିରେ ଗାଁକୁ ଯିବାକୁ ଚେଷ୍ଟା କରୁଥିବା ଝରିଗାଁ ଆଡିସନାଲ ତହସିଲଦାର, ଉମରକୋଟ ଥାନା ଅଧିକାରୀ ଉତ୍ତ୍ୟକ୍ତ ଲୋକଙ୍କୁ ଦେଖି ଗାଁରେ ପହଞ୍ଚିବା ପୂର୍ବରୁ ଫେରି ଆସିଥିଲେ। ଆଜି ଫୋର୍ସ ସହ ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ପହଞ୍ଚିବା ପରେ ଘଟଣାର ସମାଧାନ ହେବ ବୋଲି ଆଶା କରାଯାଉଛି।

ମୃତକଙ୍କ ପୁଅ ଗୋପୀନାଥ ଭତ୍ରା କହିଛନ୍ତି, ବାପା ମରିଯିବା ପରେ ଗାଁ ଶ୍ମଶାନରେ ପୋତିବାକୁ ଗାଁ ଲୋକେ ମନା କଲେ। ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଗାଁ ଲୋକେ ହଇରାଣ କରୁଛନ୍ତି।

ଗ୍ରାମବାସୀ କହିଛନ୍ତି, ଗାଁରେ ଆମେ ସମସ୍ତେ ଗୋଟିଏ ଧର୍ମର ଲୋକେ। ହେଲେ ସେ ଏକା ଅନ୍ୟ ଧର୍ମର ହୋଇଯାଇଛି। ଫଳରେ ଆମେ ଆମ ଶ୍ମଶାନରେ ତାକୁ ଜାଗା ଦେଇପାରିବୁନି।

Related story