ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ବରଗଡ଼/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନରେ ବୁଣାକାର ରାଜନୀତି। ରାଜ୍ୟ ସରକାରଙ୍କ ଦାବି ଯୋଗୁଁ କେନ୍ଦ୍ର ସରକାର ବୁଣାକାରଙ୍କ ହାତି ତିଆରି ଜିନିଷ ଉପରେ ଲାଗିଥିବା ଜିଏସ୍‌ଟିକୁ ୧୮%ରୁ ୫%କୁ କମାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିବା ବେଳେ କେନ୍ଦ୍ର ବୟନଶିଳ୍ପମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଅଲଗା କଥା।

ଆଜି ବରପାଲି ବଡ଼ଗାଁରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ-“ବୁଣାକାରଙ୍କ ଦ୍ୱାରା ତିଆରି ହାତ ତିଆରି ଜିନିଷ ଉପରେ କେନ୍ଦ୍ର ସରକାର ୧୮% ଜିଏସ୍‌ଟି ଲଗାଇ ଥିଲେ। ରାଜ୍ୟ ସରକାରଙ୍କ ଦାବି କ୍ରମେ ଏହାକୁ ୫% କୁ କମାଇଛନ୍ତି। ତେବେ ବୁଣାକାରଙ୍କ ହାତ ତିଆରି ଜିନିଷକୁ ଜିଏସ୍‌ଟିରୁ ସମ୍ପୂର୍ଣ୍ଣ ବାଦ ଦେବାକୁ ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରାଯାଇଛି।”

ଏହାର ଜବାବରେ ଗାଇସିଲାଟରେ ଆୟୋଜିତ ନିର୍ବାଚନୀ ସଭାରେ ସ୍ମୃତି କହିଛନ୍ତି-“ଜିଏସ୍‌ଟିକୁ ନେଇ ନବୀନବାବୁ ବୁଣାକାରଙ୍କୁ ଭ୍ରମିତ କରୁଛନ୍ତି। ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ହାତ ତିଆରି ଜିନିଷ ଉପରୁ ଜିଏସ୍‌ଟି ୧୮ରୁ ୫%କୁ କମାଇବା ପାଇଁ ନବୀନ ବାବୁ ଥରେ ହେଲେ ମୋ ସହିତ କଥା ହୋଇନାହାନ୍ତି। ନବୀନ ବାବୁଙ୍କ ଏପରି ଭାଷଣକୁ ନେଇ ମୁଁ ଆଶ୍ଚର୍ଯ୍ୟ ଚକିତ ହୋଇଛି। ଜଣେ ମୁଖ୍ୟମନ୍ତ୍ରୀ ଭାଷଣରେ ମିଛ କହୁଛନ୍ତି, ତେବେ କାମରେ କେତେ ମିଛ କରୁଥିବେ? ବର୍ଷକ ଭିତରେ ଯେଉଁ ବୁଣାକାର ଆୟ ୨୦ ଲକ୍ଷ ଟଙ୍କରୁ କମ୍‌ ହୋଇଥାଏ, ତାହା ଉପରେ ଜିଏସ୍‌ଟି ଲାଗୁ ହୋଇନଥାଏ। ଏଥିରୁ ଜଣାପଡ଼ୁଛି ନବୀବ ବାବୁ ଜାଣିନାହାନ୍ତି ଜଣେ ବୁଣାକାର ମାସକ କେତେ ଟଙ୍କା ଉପାର୍ଜନ କରୁଛି?”

ସେ ଆହୁରି କହିଛନ୍ତି-“୧୮ ବର୍ଷ ଧରି ବିଜେଡି ସରକାର ଗାଦିରେ ବସିଛନ୍ତି। କିନ୍ତୁ ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ସଫଳ ହୋଇନାହିଁ। ଲୋକେ ନିର୍ଯାତନାରେ ଶିକାର ହେଉଛନ୍ତି। ଏହି ୧୮ ବର୍ଷ ଭିତରେ ରାଜ୍ୟ ସରକାର ବୁଣାକାର କଥା ଥରେ ହେଲେ ଚିନ୍ତା କରି ନାହାନ୍ତି। ଯେତେବେଳେ ଉପନିର୍ବାଚନ ଆସିଲା, ସେତେବେଳେ ନବୀନ ପଟ୍ଟନାୟକଙ୍କର ବୁଣାକାରଙ୍କ କଥା ମନେ ପଡ଼ିଲା। କେନ୍ଦ୍ର ସରକାର ବୁଣାକାରଙ୍କୁ ତାଲିମ ଦେବା ପାଇଁ ୯୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବା ପାଇଁ ଘୋଷଣା କରିଛନ୍ତି। ଏହାଛଡ଼ା ବୁଣାକାରଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ହେଲେ ଦେଢ଼ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ଏନେଇ ଥରେ ହେଲେ ବୟନଶିଳ୍ପ ମନ୍ତ୍ରୀ ହିସାବରେ ମୋ ସହିତ ଥରେ ହେଲେ ଫୋନ୍‌ରେ କଥା ହୋଇନାହାନ୍ତି। ଏପରିକି ବୁଣାକାରଙ୍କ ବିକାଶ ସମ୍ପର୍କରେ ମୋ ସହିତ ଆଲୋଚନା କରିନାହାଁନ୍ତି। ବରଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ବାରମ୍ୱାର ବୁଣାକାରଙ୍କ ଉନ୍ନତି ପାଇଁ ମୋତେ ଅନୁରୋଧ କରିଛନ୍ତି। ଯେତେବେଳେ ଉପନିର୍ବାଚନ ଆସିଲା, ସେତେବେଳେ ନବୀନ ବାବୁଙ୍କର ବୁଣାକାରଙ୍କ କଥା ମନେ ପଡ଼ିଲା।”

ବିଜେପି କର୍ମୀଙ୍କ ଘରେ ପୋଲିସ ଚଢ଼ଉ ନେଇ ସ୍ମୃତି କହିଛନ୍ତି-“ଘରେ କେହି ନାହାନ୍ତି। କେବଳ ମହିଳାମାନେ ଅଛନ୍ତି। ଏହି ସମୟରେ ପୋଲିସ ଘରେ ଚଢ଼ାଉ କରୁଛି। ଏଥିରୁ ଜଣାପଡ଼ୁଛି ଉପନିର୍ବାଚନକୁ ଜିତିବା ପାଇଁ ବିଜେଡି ସରକାର କେତେ ବିଚଳିତ ହୋଇପଡ଼ିଛି। ବିନା ୱାରେଣ୍ଟରେ ପୋଲିସକୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଘର ଚଢ଼ାଉ କରିବା ପାଇଁ ପଠାଉଛି। କ’ଣ ବିଜେପୁରର ଭାଇମାନେ ମହିଳାଙ୍କୁ ଏପରି ଅପମାନକୁ ସ୍ୱୀକାର କରିବେ?”

ସେ କହିଛନ୍ତି-“୧୮ ବର୍ଷ ଭିତରେ ରାଜ୍ୟର ସବୁ ଗାଁକୁ ସ୍ୱଚ୍ଛ ପାଣି ଓ ବିଜୁଳି ପହଞ୍ଚି ପାରିନି। ବିଜେପି ଶାସନକୁ ଆସିଲେ, ବିକାଶର ଲକ୍ଷ୍ମୀ ନେଇ ଆସିବ। ଲକ୍ଷ୍ମୀ ପଦ୍ମରେ ଆସନ୍ତି। ୨୪ ତାରିଖରେ ହେବାକୁ ଥିବା ମତଦାନରେ ପଦ୍ମ ବଟନ୍ ଦବାନ୍ତୁ ଓ ଲକ୍ଷ୍ମୀଙ୍କୁ ଆଣିବାକୁ ପଦ୍ମରେ ଭୋଟ୍ ଦିଅନ୍ତୁ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।