ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ତ୍ରୁଟିକୁ ଉଜାଗର ନିମନ୍ତେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ମାସ୍କ ନପିନ୍ଧିବା ଏକ ବିଡ଼ମ୍ବନା ବୋଲି କହି ସମାଲୋଚନା କରିଥିବା ଶାସକ ବିଜେଡି ନିଜ ନେତାମାନେ ଖୋଲାଖୋଲି ଭାବେ କୋଭିଡ୍ ନିୟମକୁ ଉଲ୍ଲଘଂନ କରୁଥିବାକୁ ନେଇ ଚୁପ୍ ରହିଛି। ଭବାନୀପାଟଣାରେ ଆଜି ବିଜେଡି ଜିଲ୍ଲା କାର୍ଯ୍ୟାଳୟର ଉଦଘାଟନ ଅବସରରେ କୋଭିଡ୍ ନିୟମର ଖୋଲା ଉଲ୍ଲଘଂନ ହୋଇଥିବାର ଫଟୋଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି। କିନ୍ତୁ ବିଜେଡି ଏବେ ନିଜ ନେତାଙ୍କ ନିୟମ ଭଙ୍ଗାକୁ ନେଇ ଚୁପ୍ ଥିବାବେଳେ ବିଜେପିକୁ ନୀତିବାଣୀ ଶୁଣାଇବାରେ ଲାଗିଛି।
ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ମାସ୍କ ପିନ୍ଧି ନଥିବା ଓ ସାମାଜିକ ଦୂରତ୍ୱ କଟକଣା ପାଳନ ହୋଇନଥିବାରୁ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ସମାଲୋଚନା କରିବାକୁ ପଛାଇ ନଥିଲେ। ଏପରିକି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା କୋଭିଡ୍ ନିୟମ ଉଲ୍ଲଘଂନ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ। ତେଣୁ ଏହି କାରଣରୁ ରାଜ୍ୟରେ କରୋନା ବିଫଳତା ସମ୍ପର୍କରେ କହିବାର ନୈତିକତା ବିଜେପିର ନାହିଁ ବୋଲି ବିଜେଡି କହିଛି।
ମାତ୍ର ଏପଟେ ବିଜେଡି ନିଜର ମୁଖପାତ୍ରଙ୍କ ମାଧ୍ୟମରେ ବିଜେପିକୁ କୋଭିଡ୍ ନିୟମ ପାଳନର ନୀତିବାଣୀ ଶୁଣାଇବାରେ ବ୍ୟସ୍ତ।