ସିଏଜି ମାଗିଲେ କୋଭିଡ୍ ଖର୍ଚ୍ଚର ହିସାବ, ଅର୍ଥ ବିଭାଗ ଅଡ଼ୁଆରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଗତ ପ୍ରାୟ ୧୬ମାସ ଧରି କୋଭିଡ-୧୯ ମହାମାରୀର ମୁକାବିଲା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତା’ର ନିର୍ଦ୍ଦିଷ୍ଟ ହିସାବ ରାଜ୍ୟ ଅର୍ଥ ବିଭାଗ ପାଖରେ ନାହିଁ। କୋଭିଡ୍ ମୁକାବିଲା ନାଁରେ କେଉଁ ବିଭାଗ କେତେ ଟଙ୍କା ଖର୍ଚ୍ଚ କଲାଣି, ତା’ର ହିସାବ ରାଜ୍ୟ ଅର୍ଥ ବିଭାଗ ପାଖରେ ନଥିବାବେଳେ ସିଏଜି( କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ) କୋଭିଡ୍ ମୁକାବିଲା ବାବଦରେ ଏପର୍ଯ୍ୟନ୍ତ କେତେ ଖର୍ଚ୍ଚ ହେଲାଣି ବୋଲି […]

covid

Ordigital Desk
  • Published: Tuesday, 13 July 2021
  • , Updated: 13 July 2021, 10:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଗତ ପ୍ରାୟ ୧୬ମାସ ଧରି କୋଭିଡ-୧୯ ମହାମାରୀର ମୁକାବିଲା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତା’ର ନିର୍ଦ୍ଦିଷ୍ଟ ହିସାବ ରାଜ୍ୟ ଅର୍ଥ ବିଭାଗ ପାଖରେ ନାହିଁ। କୋଭିଡ୍ ମୁକାବିଲା ନାଁରେ କେଉଁ ବିଭାଗ କେତେ ଟଙ୍କା ଖର୍ଚ୍ଚ କଲାଣି, ତା’ର ହିସାବ ରାଜ୍ୟ ଅର୍ଥ ବିଭାଗ ପାଖରେ ନଥିବାବେଳେ ସିଏଜି( କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ) କୋଭିଡ୍ ମୁକାବିଲା ବାବଦରେ ଏପର୍ଯ୍ୟନ୍ତ କେତେ ଖର୍ଚ୍ଚ ହେଲାଣି ବୋଲି ହିସାବ ମାଗିବା ପରେ ରାଜ୍ୟ ସରକାରଙ୍କ ସମସ୍ୟା ବଢ଼ି ଯାଇଛି। ୨୦୨୦ ମାର୍ଚ୍ଚ ୧୩ରେ ରାଜ୍ୟ ସରକାର କୋଭିଡ୍‌-୧୯କୁ ମହାମାରୀ ଘୋଷଣା କରି ତା’ର ମୁକାବିଲା ଜୋରଦାର ଢଙ୍ଗରେ କରିଥିଲେ ମଧ୍ୟ ରାଜ୍ୟ ବଜେଟରୁ ଏବାବଦରେ କେତେ ଖର୍ଚ୍ଚ ହେଉଛି ସେ ନେଇ ଏପର୍ଯ୍ୟନ୍ତ କୌଣସି ‘ନିର୍ଦ୍ଦିଷ୍ଟ ହେଡ୍‌’ ଅର୍ଥ ବିଭାଗ ପ୍ରସ୍ତୁତ କରିନଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ସରକାର ଏପର୍ଯ୍ୟନ୍ତ ରାଜ୍ୟ ବଜେଟରୁ କୋଭିଡ-୧୯ ପାଇଁ କେତେ ଖର୍ଚ୍ଚ କରିଛନ୍ତି ଓ କେଉଁ ବାବଦରେ ଖର୍ଚ୍ଚ କରିଛନ୍ତି ତାହା ନିର୍ଦ୍ଦିଷ୍ଟ ଭାବେ ବଜେଟ ବ୍ୟୟ ‘ହେଡ୍‌’ରେ ଉଲ୍ଲେଖ କରିନାହାନ୍ତି। ତେଣୁ କୋଭିଡ ଖର୍ଚ୍ଚର ହିସାବ ଜାଣିବା ସିଏଜିଙ୍କ ପକ୍ଷେ ସମ୍ଭବପର ନହେବାରୁ ରାଜ୍ୟ ଅର୍ଥ ବିଭାଗକୁ ଏନେଇ ବିସ୍ତୃତ ତଥ୍ୟ ଦେବାକୁ କହିଛନ୍ତି। ଓଡ଼ିଶାରେ ଅବସ୍ଥାପିତ ସିନିୟର ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ ସିରାଜ ଅଶୋକ ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନାଙ୍କୁ ଚିଠି ଲେଖି କୋଭିଡ୍ ଖର୍ଚ୍ଚର ହିସାବ ମାଗିବା ସହ ୨୦୨୧ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ କେତେ ପରିମାଣର ସରକାରୀ ଅର୍ଥ ବିଭିନ୍ନ ସ୍ଥାନ(ଡିଡିତ୍ତ୍ୱଓ / ସିଓ ଏବଂ ଏଜେନ୍ସି) ରେ ଗଚ୍ଛିତ ରହିଛି ତା’ର ତଥ୍ୟ ଦେବାକୁ ମଧ୍ୟ କହିଛନ୍ତି।

ସିଏଜିଙ୍କ ଏହି ଚିଠି ପରେ ରାଜ୍ୟ ଅର୍ଥ ବିଭାଗର ଯୁଗ୍ମ ସଚିବ ସତ୍ୟପ୍ରିୟ ରଥ ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି କୋଭିଡ-୧୯ ବାବଦରେ ହୋଇଥିବା ଖର୍ଚ୍ଚ ଏବଂ ଡିଡିଓ(ଆହରଣ ଓ ବିତରଣ ଅଧିକାରୀ) ଆକାଉଣ୍ଟରେ କେତେ ସରକାରୀ ଅର୍ଥ ଗଚ୍ଛିତ ରହିଛି ତା’ର ହିସାବ ଦେବାକୁ କହିଛନ୍ତି। କେଉଁ ‘ହେଡ୍ ଅଫ ଆକାଉଣ୍ଟ’ରୁ କୋଭିଡ-୧୯ ବାବଦରେ ଖର୍ଚ୍ଚ ହୋଇଛି ସେ ନେଇ ସିଏଜି ମାଗିଥିବା ତଥ୍ୟକୁ ନିର୍ଦ୍ଦିଷ୍ଟ ଫର୍ମାଟରେ ଦେବାକୁ କହିଛନ୍ତି।

ତେବେ ଆଶ୍ଚର୍ଯ୍ୟର କଥା, ୨୦୨୦ ମାର୍ଚ୍ଚ ୧୩ତାରିଖରେ ରାଜ୍ୟ ସରକାର ‘କୋଭିଡ-୧୯’ ଭାଇରସକୁ ମହାମାରୀ ଘୋଷଣା କରିବା ସହ ଶିକ୍ଷାନୁଷ୍ଠାନ, ସିନେମା ହଲ୍‌, ଜିମ୍ ଓ ସର୍ବସାଧାରଣ ସ୍ଥଳଗୁଡ଼ିକରେ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ୍ -୧୯ ମହାମାରୀ ଚିକିତ୍ସା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ମାର୍ଚ୍ଚ ୨୭ତାରିଖରେ ୨୨୦୦କୋଟି ଟଙ୍କାର ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ୟାକେଜ, ଏପ୍ରିଲରେ ୧୦୦କୋଟି, ଅଗଷ୍ଟରେ ୨୦୦କୋଟି ଟଙ୍କା, ଡିସେମ୍ବରରେ ୨୮୯ କୋଟି, ୨୦୨୧ ଜୁନ୍ ୧୧ରେ ୨୫କୋଟି, ଜୁନ ୧୮ରେ ୧୬୯୦କୋଟିରେ ସହାୟତା ପ୍ୟାକେଜ୍ ଘୋଷଣା କରିଥିଲେ। ଏହା ବ୍ୟତୀତ କୋଭିଡ୍ ଚିକିତ୍ସା ପାଇଁ ଓ ଅନ୍ୟାନ୍ୟ କୋଭିଡ୍ ସହାୟତା ବାବଦରେ ମଧ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇଛି । କିନ୍ତୁ ଏସବୁର କୌଣସି ହିସାବ ନିର୍ଦ୍ଦିଷ୍ଟ ଭାବେ ଅର୍ଥ ବିଭାଗ ପାଖରେ ନାହିଁ, ଯଦିଓ କରୋନା ଆସିବା ପରଠୁ ରାଜ୍ୟ ସରକାର ୨ଟି ବାର୍ଷିକ ବଜେଟ୍ ଓ ଗୋଟିଏ ଅତିରିକ୍ତ ବଜେଟ ଉପସ୍ଥାପିତ କରିସାରିଛନ୍ତି।

Related story