ବିଜେଡି ସୁପ୍ରିମୋଙ୍କ ପରାମର୍ଶଦାତା ତଥା ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମ୍ଭାବ୍ୟ ମନ୍ତ୍ରିମଣ୍ଡଳର ରୂପରେଖ ଚୂଡ଼ାନ୍ତ ହୋଇଛି । ଏହି ପ୍ରକ୍ରିୟାରେ ଅନ୍ୟ କୌଣସି ନେତା ଓ ଅଫିସରଙ୍କ ଲବି କିମ୍ବା ପରାମର୍ଶ ବିଶେଷକିଛି ଗୁରୁତ୍ୱ ବହନ କରୁନଥିବାବେଳେ ଗ୍ରହ ଓ ନକ୍ଷତ୍ର ଗଣନା ଉପରେ ମନ୍ତ୍ରିମଣ୍ଡଳ ଅଦଳବଦଳର ସମୟ ନିର୍ଭର କରୁଛି ।
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପଂଚମ ପାଳି ସରକାରର ୩ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ କରିବାକୁ ଯାଉଛନ୍ତି। ମନ୍ତ୍ରିମଣ୍ଡଳରେ ପ୍ରାୟ ୭୦ ପ୍ରତିଶତ ନୂଆ ମୁହଁଙ୍କୁ ଦେଖିବାକୁ ମିଳିବ। ଏଥିପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହେବା ସହ କାଉଣ୍ଟଡାଉନ୍ ମଧ୍ୟ ଆରମ୍ଭ ହୋଇଯାଇଛି। ଯଦି ସବୁକିଛି ଠିକଠାକ୍ ରୁହେ, ତା’ହେଲେ ଓଡ଼ିଆ ନବବର୍ଷ ବା ପଣାସଂକ୍ରାନ୍ତି ପରେ ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର ହେବାର ସମ୍ଭାବନା ଅଧିକ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍ ପ୍ରସ୍ତୁତି ଶେଷ କରିଛନ୍ତି। ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ଅଶାତୀତ ସଫଳତା ମିଳିଥିବାରୁ ଏବଂ ଏବେ ବିଧାନସଭାର ଅଧିବେଶନ ନଥିବାରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ନିମନ୍ତେ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ପ୍ରସ୍ତୁତ ହୋଇଛି। ଦୀର୍ଘ ପ୍ରାୟ ଏକବର୍ଷ ଧରି ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ବିଜେଡି ମହଲରେ ଲବି ଓ ଚାପ ସୃଷ୍ଟି ହେଉଥିଲା।
ନବୀନ ନିଜର ମନ୍ତ୍ରିମଣ୍ଡଳରୁ ପ୍ରାୟ ୭୦ ପ୍ରତିଶତ ମନ୍ତ୍ରୀଙ୍କୁ ବିଭିନ୍ନ କାରଣ ପାଇଁ ବାଦ୍ ଦେଇ ସେମାନଙ୍କ ସ୍ଥାନରେ ନୂଆ ସହଯୋଗୀଙ୍କୁ ନେବେ। ଦଳ ଓ ନେତାଙ୍କ ପ୍ରତି ସମ୍ପୂର୍ଣ୍ଣ ଆନୁଗତ୍ୟ ହିଁ ଏହି ନୂଆ ସହଯୋଗୀମାନଙ୍କ ଏକମାତ୍ର ମାପକାଠି। ଅବଶ୍ୟ ନିର୍ବାଚନ ଫଳାଫଳ ଓ ସାଂଗଠନିକ ଆବଶ୍ୟକତାକୁ କେତେକାଂଶରେ ବି ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି। ବିଜେଡି ସୁପ୍ରିମୋଙ୍କ ପରାମର୍ଶଦାତା ତଥା ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମ୍ଭାବ୍ୟ ମନ୍ତ୍ରିମଣ୍ଡଳର ରୂପରେଖ ଚୂଡ଼ାନ୍ତ ହୋଇଛି। ଏହି ପ୍ରକ୍ରିୟାରେ ଅନ୍ୟ କୌଣସି ନେତା ଓ ଅଫିସରଙ୍କ ଲବି କିମ୍ବା ପରାମର୍ଶ ବିଶେଷକିଛି ଗୁରୁତ୍ୱ ବହନ କରୁନଥିବାବେଳେ ଗ୍ରହ ଓ ନକ୍ଷତ୍ର ଗଣନା ଉପରେ ମନ୍ତ୍ରିମଣ୍ଡଳ ଅଦଳବଦଳର ସମୟ ନିର୍ଭର କରୁଛି। ନିଜ ଜ୍ୟୋତିଷଙ୍କ ସବୁଜ ସଙ୍କେତ ବିନା କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁନଥିବା ବିଜେଡିର ଏହି କ୍ଷମତାକେନ୍ଦ୍ର ପ୍ରସ୍ତାବିତ ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ମଧ୍ୟ ଅନୁରୂପ ନୀତି ଆପଣାଇଥିବା ଜଣାପଡ଼ିଛି। ଏପ୍ରିଲ ୧୬ରୁ ୨୧ତାରିଖ ମଧ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ତିଥିବାର ଧାର୍ଯ୍ୟ ନିମନ୍ତେ ସମ୍ପୃକ୍ତ ଜ୍ୟୋତିଷଙ୍କୁ କୁହାଯାଇଥିବା ସୂଚନା ମିଳିଛି। ଆଉ ତାଙ୍କର ସବୁଜ ସଙ୍କେତ ମିଳିଲେ ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆସନ୍ତା ୬ରୁ ୧୬ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ କାର୍ଯ୍ୟରେ ରାଜ୍ୟ ବାହାରେ ରହିବେ। ସେହିପରି ମନ୍ତ୍ରିମଣ୍ଡଳ ଅଦଳବଦଳ କାର୍ଯ୍ୟ ସମ୍ପାଦନରେ ସଂସଦୀୟ ବ୍ୟାପାର ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହୁଥିବାରୁ ସମ୍ପୃକ୍ତ ବିଭାଗୀୟ ସଚିବ ଜି. ମାଥିଭାଥାନନଙ୍କୁ ନିଜର ଛୁଟି କାଣ୍ଟଛାଣ୍ଟ୍ କରି ଆସନ୍ତା ସପ୍ତାହ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ କେତେକ ମନ୍ତ୍ରୀଙ୍କୁ ନିଜର ବିଭାଗୀୟ ଫାଇଲ୍ କାର୍ଯ୍ୟ ନକରିବାକୁ କୁହାଯାଇଛି ଓ କେତେକ ମନ୍ତ୍ରୀଙ୍କୁ ଜରୁରୀ ନଥିଲେ ରାଜଧାନୀ ଭୁବନେଶ୍ୱର ଛାଡ଼ିବାକୁ ମଧ୍ୟ ବାରଣ କରାଯାଇଛି । ନୂଆ ମନ୍ତ୍ରିମଣ୍ଡଳରେ ସବୁ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି।
ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ମୟୂରଭଞ୍ଜ ଜିଲ୍ଲାରୁ ଅନୁସୂଚିତ ଜନଜାତି ବର୍ଗର ବାସନ୍ତୀ ହେମ୍ବ୍ରମଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲାରୁ ଉଭୟ ପ୍ରତାପ କେଶରୀ ଦେବ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ମଧ୍ୟ ଆଡଜଷ୍ଟ୍ କରାଯିବ। ସେହିପରି ଜଗତସିଂହପୁର ଜିଲ୍ଲାରୁ ପ୍ରଶାନ୍ତ କୁମାର ମୁଦୁଲି ଓ ଯାଜପୁର ଜିଲ୍ଲାରୁ ପ୍ରଣବ ବଳବନ୍ତରାୟ, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ୍ , କେନ୍ଦୁଝର ଜିଲ୍ଲାରୁ ବଦ୍ରିନାରାୟଣ ପାତ୍ରଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବାର ସମ୍ଭାବନା ରହିଛି ।
ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ଦିବ୍ୟଶଙ୍କର ମିଶ୍ର,ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ତୁଷାରକାନ୍ତି ବେହେରା, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ୍ , ପ୍ରେମାନନ୍ଦ ନାଏକଙ୍କ ସମେତ ଅନ୍ୟ କିଛି ମନ୍ତ୍ରୀଙ୍କୁ ନିଜ ପଦବୀ ହରାଇବାକୁ ପଡ଼ିପାରେ ବୋଲି ସୂଚନା ମିଳିଛି ।