ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ୨ ଜିଲ୍ଲାପାଳଙ୍କ ସମେତ ୫ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରିଛନ୍ତି। ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବଦଳି କରି ସେଠାରେ ପୁଣିଥରେ ୨ଜଣ ଓଏଏସ ଅଫିସରଙ୍କୁ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରିଛନ୍ତି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଂଚାୟତିରାଜ ବିଭାଗର ନିର୍ଦ୍ଦେଶକ ଓ ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେହିପରି ଓଡ଼ିଶା ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍ ସରୋଜ କୁମାର ସେଠୀଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଏବଂ ଆୟୁଷ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।
ସୂଚନାଯୋଗ୍ୟ, ଜ୍ଞାନରଞ୍ଜନ ଦାସ ଭଦ୍ରକ ଜିଲ୍ଲାପାଳ ଭାବେ ୨୦୧୭ ମସିହାରୁ ଓ ଭୂମେଶ ଚନ୍ଦ୍ର ବେହେରା ୨୦୧୯ ମସିହାରୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଜ୍ଞାନରଞ୍ଜନଙ୍କୁ ସରକାର ପଂଚାୟତିରାଜ ବିଭାଗକୁ ଆଣି ପଂଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।