ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୨୦ କୋଟି ଟଙ୍କା ବାକି ଶୁଝି ପାରିଲେନି ସରକାର। ଶେଷରେ ସରକାରୀ ଅଫିସରୁ ଦରକାରୀ ଉପକରଣ ନେଇଗଲା ସଂପୃକ୍ତ କମ୍ପାନୀ । ଏଥିନିମନ୍ତେ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଉପସ୍ଥିତ ଥିଲା ପୁଲିସ୍ । ଏପରି ଏକ ଘଟଣା ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଘଟିଛି ।
ଏହା କୌଣସି ଛୋଟ ମୋଟ କମ୍ପାନୀ କି କାର୍ଯ୍ୟାଳୟର ମାମଲା ନୁହେଁ । ଏଲଆଣ୍ଡଟି ଭଳି ଏକ ବଡ଼ ଘରୋଇ ନିର୍ମାଣକାରୀ କମ୍ପାନୀ ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଫିସରେ ପଶି ଏସି, କମ୍ପ୍ୟୁଟର, ଆଲମାରୀ ଓ ଟେବୁଲ ଆଦି ସାମଗ୍ରୀ ନେଇଯାଇଛି ।
ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଉପରେ ଏଲଆଣ୍ଡଟିର ୧୨୦ କୋଟି ଟଙ୍କା ବାକି ପଡିଛି । ୨୦୦୪ ରେ ସମ୍ବଲପୁରରୁ ରାଉରକେଲା ସଂଯୋଗ କରୁଥିବା ରାଜପଥ ନିର୍ମାଣ ପାଇଁ ଏଲଆଣ୍ଡଟିକୁ ୨୦ କୋଟି ଟଙ୍କା ଆରଆଣ୍ଡବି ବିଭାଗ ଦେବା ପାଇଁ ଫଇସଲା ହୋଇଥିଲା। ଟଙ୍କା ନ ଦେବା ପାଇଁ ସରକାର ଜିଲ୍ଲା ଜଜ୍ଙ୍କଠାରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲେ । ହେଲେ ସୁପ୍ରିମକୋର୍ଟ ମାମଲା ଖାରଜ କରି ଦେଇଥିଲେ।
ସୁଧ ମୂଳ ମିଶି ୧୨୦ କୋଟି ହେବା ପରେ ମଧ୍ୟ ସରକାରଙ୍କ ଚେତା ପଶିଲା ନାହିଁ। ଶେଷରେ ଖୋର୍ଦ୍ଧା ବାଣିଜ୍ୟ କର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ କୋର୍ଟ କର୍ମଚାରୀମାନେ ଆସି ୯ ଟିଏସି , ୧୮ ଟି କମ୍ପ୍ୟୁଟର, ୧୫ଟି ଆଲମୀରା ଓ ୯ଟି ଟେବୁଲ ଜବତ କରି ନେଇ ଯାଇଛନ୍ତି। ଏନେଇ କୌଣସି ସରକାରୀ ଅଧିକାରୀଙ୍କ ନିର୍ଦ୍ଦେଶ ମିଳିନାହିଁ।