ସରକାରଙ୍କୁ ଶିଳ୍ପ ଚିନ୍ତା, ଏଣିକି ଜିଲ୍ଲାସ୍ତରରେ ରହିବ ତଦାରଖ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ତଥା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ରାଜ୍ୟ ସରକାର ଜିଲ୍ଲାସ୍ତରରେ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କମିଟି ବିଭିନ୍ନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣଠୁ ଆରମ୍ଭ କରି ଜଙ୍ଗଲ କ୍ଲିଅରାନ୍ସ, ଆଇନଶୃଙ୍ଖଳା ଓ ବିଭିନ୍ନ କୋଠା,ରାସ୍ତାଘାଟ ଅବା କାର୍ଯ୍ୟାଳୟ ସ୍ଥାନାନ୍ତର ଆଦି କାର୍ଯ୍ୟର ତଦାରଖ କରିବେ। ଆଜି ପୂର୍ତ୍ତ ବିଭାଗ ଏନେଇ ଯୋଜନା ଓ ସଂଯୋଜନ ବିଭାଗକୁ ଚିଠି […]

odisha-industries-are-forget-their-duties

Manoranjan Sial
  • Published: Tuesday, 03 March 2020
  • , Updated: 03 March 2020, 10:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ତଥା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ରାଜ୍ୟ ସରକାର ଜିଲ୍ଲାସ୍ତରରେ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କମିଟି ବିଭିନ୍ନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣଠୁ ଆରମ୍ଭ କରି ଜଙ୍ଗଲ କ୍ଲିଅରାନ୍ସ, ଆଇନଶୃଙ୍ଖଳା ଓ ବିଭିନ୍ନ କୋଠା,ରାସ୍ତାଘାଟ ଅବା କାର୍ଯ୍ୟାଳୟ ସ୍ଥାନାନ୍ତର ଆଦି କାର୍ଯ୍ୟର ତଦାରଖ କରିବେ।

ଆଜି ପୂର୍ତ୍ତ ବିଭାଗ ଏନେଇ ଯୋଜନା ଓ ସଂଯୋଜନ ବିଭାଗକୁ ଚିଠି ଲେଖି କହିଛି ଯେ, କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ଆନୁସଙ୍ଗିକ କାର୍ଯ୍ୟ ଯଥା-ଜମି ଅଧିଗ୍ରହଣଠୁ ଆରମ୍ଭ କରି ଆଇନଶୃଙ୍ଖଳା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ମଧ୍ୟରେ ସମନ୍ୱୟ ପାଇଁ ନିର୍ଦ୍ଦିଷ୍ଟ ଭାବେ ଜିଲ୍ଲାସ୍ତରରେ କୌଣସି କମିଟି ଏବେ ନାହିଁ। ଅବଶ୍ୟ ଜିଲ୍ଲାସ୍ତରରେ ଏବେ ଜିଲ୍ଲା କ୍ଷତିପୂରଣ ପରାମର୍ଶଦାତା କମିଟି (ଡିସିଏସି) ରହିଛି ଯାହା ସିଧାସଳଖ ଜମି କ୍ରୟ କାର୍ଯ୍ୟ ସଂକ୍ରାନ୍ତ କ୍ଷତିପୂରଣ ପ୍ରସ୍ତାବକୁ ଅନୁମୋଦନ କରିଥାଏ। ଏହି କମିଟିରେ ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ ଥିବାବେଳେ ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଇଞ୍ଜନିୟର ସଦସ୍ୟ ଆବାହକ ଭାବେ କାର୍ଯ୍ୟ କରନ୍ତି। ଅନ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ଏଥିରେ ପ୍ରତିନିଧିତ୍ୱ କରିଥାନ୍ତି। ଏହି କମିଟି କ୍ଷତିପୂରଣ ଓ ପୁନର୍ବାସ ଆଇନ-୨୦୧୩ର ଧାରା-୧୫ କାର୍ଯ୍ୟ ଆଧାରରେ ଗଠନ ହୋଇଥାଏ ଓ କେବଳ ଜମି ଅଧିଗ୍ରହଣ କାର୍ଯ୍ୟର ତଦାରଖ କରିଥାଏ।

ତେଣୁ ଜିଲ୍ଲାସ୍ତର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରିବାକୁ ପୂର୍ତ୍ତ ବିଭାଗ ପ୍ରସ୍ତାବ ଦେଇଛି। ଏହି କମିଟି ସମସ୍ତ ପ୍ରକାରର ଉନ୍ନୟନମୂଳକ କାର୍ଯ୍ୟ (ନିର୍ମାଣ ପୂର୍ବରୁ ଆନୁସଙ୍ଗିକ କାର୍ଯ୍ୟ)ର ତଦାରଖ କରିବ। ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏସବୁ କାର୍ଯ୍ୟ ପାଇଁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦେବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।
ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଗତିଶୀଳ କରିବା ଓ ଅଟକି ରହିଥିବା ବିଭିନ୍ନ ଶିଳ୍ପ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ସରକାର ଏବେ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।

Related story