ଏସ୍‌ସିବିରେ ଷ୍ଟାଫ୍‌ ନାହାନ୍ତି, ଚିଠି ଲେଖିଲେ ବଡ଼ ମେଡିକାଲ୍‌ କର୍ତ୍ତୃପକ୍ଷ

କଟକ(ଓଡ଼ିଶା ରିପୋର୍ଟର): ‘କରୋନା’ ମୁକାବିଲା ପାଇଁ କଟକ ଏସ୍‌ସିବି ମେଡିକାଲ୍‌ରେ ସ୍ୱତନ୍ତ୍ର ୱାର୍ଡ଼ ଖୋଲା ଯାଇଛି। ହେଲେ ଆବଶ୍ୟକ ସଂଖ୍ୟକ ଷ୍ଟାଫ୍‌ ନାହାନ୍ତି। ସେଥିପାଇଁ ଏସ୍‌ସିବି ମେଡିକାଲ ଅଧୀକ୍ଷକ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ ରହିଛି, ‘କରୋନା’ର ମୁକାବିଲା ପାଇଁ ୧୦୦୦ N95 ମାସ୍କ, ୧୦୦୦ ପିପି କିଟ୍‌, ଥର୍ମୋ ସେନସର ଆଦି ଯନ୍ତ୍ରାଂଶ ଦରକାର। ଏହାଛଡ଼ା ରୋଗୀଙ୍କୁ ଚିକିତ୍ସା ପାଇଁ ୨୭ ଷ୍ଟାଫ୍‌ ନର୍ସ, ୪ ଫାର୍ମାସିଷ୍ଟ, ୧୨ ଗ୍ରୁପ୍‌ ଡି, ୪ […]

cuttack-medical

Manoranjan Sial
  • Published: Friday, 13 March 2020
  • , Updated: 13 March 2020, 06:30 PM IST

କଟକ(ଓଡ଼ିଶା ରିପୋର୍ଟର): ‘କରୋନା’ ମୁକାବିଲା ପାଇଁ କଟକ ଏସ୍‌ସିବି ମେଡିକାଲ୍‌ରେ ସ୍ୱତନ୍ତ୍ର ୱାର୍ଡ଼ ଖୋଲା ଯାଇଛି। ହେଲେ ଆବଶ୍ୟକ ସଂଖ୍ୟକ ଷ୍ଟାଫ୍‌ ନାହାନ୍ତି। ସେଥିପାଇଁ ଏସ୍‌ସିବି ମେଡିକାଲ ଅଧୀକ୍ଷକ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ଉଲ୍ଲେଖ ରହିଛି, ‘କରୋନା’ର ମୁକାବିଲା ପାଇଁ ୧୦୦୦ N95 ମାସ୍କ, ୧୦୦୦ ପିପି କିଟ୍‌, ଥର୍ମୋ ସେନସର ଆଦି ଯନ୍ତ୍ରାଂଶ ଦରକାର। ଏହାଛଡ଼ା ରୋଗୀଙ୍କୁ ଚିକିତ୍ସା ପାଇଁ ୨୭ ଷ୍ଟାଫ୍‌ ନର୍ସ, ୪ ଫାର୍ମାସିଷ୍ଟ, ୧୨ ଗ୍ରୁପ୍‌ ଡି, ୪ ସୁରକ୍ଷା କର୍ମୀ ଆବଶ୍ୟକ ରହିଛି। ଏହି ସବୁ ସରଞ୍ଜାମ ଯୋଗାଇ ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି।

କଟକ ବଡ଼ ମେଡ଼ିକାଲକୁ ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ହେଲେ ‘କରୋନା’ ସାରା ବିଶ୍ୱରେ ଆତଙ୍କ ଖେଳାଇ ଥିବା ବେଳେ ଏସସିବିର ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ମେଡ଼ିକାଲର ଯେଉଁଠାରେ ‘କରୋନା’ ପାଇଁ ସ୍ୱତନ୍ତ୍ର ଓ୍ୱାର୍ଡ ଖୋଲାଯାଇଛି, ସେହି ବିଲଡ଼ିଂ ତଳେ ରହିଛି ଆଉଟଡ଼ୋର। ତେଣୁ ସେହି ବାଟ ଦେଇ ‘କରୋନା’ ସନ୍ଦିଗ୍ଧ ରୋଗୀ ସ୍ୱତନ୍ତ୍ର ଓ୍ୱାର୍ଡକୁ ଯାଇଥାନ୍ତି। ଏପରିକ୍ଷେତ୍ରରେ ଆଉଟ୍‌ଡୋରକୁ ଆସୁଥିବା ରୋଗୀ କିମ୍ବା ସମ୍ପର୍କୀୟ କାଁ ଭାଁ ମାସ୍କ ପିନ୍ଧୁଥିବା ବେଳେ ସଂକ୍ରମଣ ନେଇ ଆଶଙ୍କା ଉପୁଜିଛି।

ଏପଟେ ‘କରୋନା’ ରୋଗୀଙ୍କ ଚିକିତ୍ସା ଲାଗି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେସନ ୱାର୍ଡ ଖୋଲାଯାଇଛି। ବିଭିନ୍ନ ସମୟରେ ଏଠାକୁ ଆସୁଥିବା ସନ୍ଦିଗ୍ଧଙ୍କ ପରୀକ୍ଷା ନିରୀକ୍ଷା କରାଯାଉଛି। ନୟାଗଡ଼ରୁ ଆସିଥିବା ଜଣେ ‘କରୋନା’ ସନ୍ଦିଗ୍ଧଙ୍କ ସ୍ୱାବ ନମୂନା ପରୀକ୍ଷା ପାଇଁ ଆର୍‌ଏମ୍‌ଆସିକୁ ପଠାଯାଇଛି। ସେ ତାମିଲନାଡ଼ୁରେ ରହି କାମ କରୁଥିଲେ। ତେବେ ସେଠାରୁ ଫେରିବା ପରେ ତାଙ୍କୁ ଜ୍ୱର ଓ କାଶ ହେବାରୁ ଭାପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ କ୍ୟାପିଟାଲ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

Related story