ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧାଠାରେ ପିଲାମାନଙ୍କୁ ବିଜେପି ପତକା ଧରି ଠିଆ କରାଇବା ଅଭିଯୋଗରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି ।
କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଗତକାଲି ଏହି ନୋଟିସ ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କୁ ଜାରି କରିବା ସହ ୨୬ତାରିଖ ମଧ୍ୟରେ ନିଜ ପକ୍ଷ ରଖିବାକୁ କହିଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଖବର ଓ ଫଟୋଚିତ୍ର ଆଧାରରେ କମିଶନ ଅଧ୍ୟକ୍ଷା ଏହି ନୋଟିସ୍ ଜାରି କରିଥିବା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତ ୧୨ତାରିଖରେ ଖୋର୍ଦ୍ଧାଠାରେ ଏକ କାର୍ଯ୍ୟକ୍ରମରେ ବିଜେପି ପତାକା ଧରି ପିଲାମାନେ ଖରାରେ ଛିଡ଼ା ହୋଇଥିବା ଓ ପିଲାମାନଙ୍କୁ ର୍ୟାଲିରେ ନିଆଯାଇଥିବାରୁ ତାହା ପିଲାମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେଥିପାଇଁ ବିଜେପି ରାଜ୍ୟ ସଭାପତିଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇ ଜବାବ ରଖିବାକୁ କୁହାଯାଇଛି। ଏହାସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ଉକ୍ତ ଘଟଣାରେ କମିଶନ ପକ୍ଷଭୁକ୍ତ କରିଛନ୍ତି।