ୟୁଜିସି ଅନୁମତି ମିଳିବା ପୂର୍ବରୁ ୟୁଜି-ପିଜି ପରୀକ୍ଷା ଅବଧି ଅକ୍ଟୋବର ୧୦କୁ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ୟଜି-ପିଜି ଶ୍ରେଣୀ ପାଇଁ ସେମିଷ୍ଟାର ଓ ବାର୍ଷିକ ପରୀକ୍ଷା ଚଳିତମାସ ୨୦ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ତାରିଖ ମଧ୍ୟରେ ଶେଷ ହେବ। ୟୁଜିସି କର୍ତ୍ତୃପକ୍ଷଙ୍କ ଅନୁମତି ମିଳିବା ପୂର୍ବରୁ ପରୀକ୍ଷା ସାରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ସେପ୍ଟେମ୍ବର ୩୦ତାରିଖର ସମୟସୀମା ଉପରେ ରାଜ୍ୟ ସରକାର ଅଧିକ ୧୦ଦିନ ନେଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଗତକାଲି ୟୁଜିସି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ୟୁଜି-ପିଜି ପରୀକ୍ଷା ଶେଷ […]

SCHOOL STUDENT

Manoranjan Sial
  • Published: Thursday, 03 September 2020
  • , Updated: 03 September 2020, 08:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ୟଜି-ପିଜି ଶ୍ରେଣୀ ପାଇଁ ସେମିଷ୍ଟାର ଓ ବାର୍ଷିକ ପରୀକ୍ଷା ଚଳିତମାସ ୨୦ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ତାରିଖ ମଧ୍ୟରେ ଶେଷ ହେବ। ୟୁଜିସି କର୍ତ୍ତୃପକ୍ଷଙ୍କ ଅନୁମତି ମିଳିବା ପୂର୍ବରୁ ପରୀକ୍ଷା ସାରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ସେପ୍ଟେମ୍ବର ୩୦ତାରିଖର ସମୟସୀମା ଉପରେ ରାଜ୍ୟ ସରକାର ଅଧିକ ୧୦ଦିନ ନେଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଗତକାଲି ୟୁଜିସି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ୟୁଜି-ପିଜି ପରୀକ୍ଷା ଶେଷ ପାଇଁ ଅକ୍ଟୋବର ୧୦ତାରିଖ ପର୍ଯ୍ୟନ୍ତ ସମୟ ଦେବାକୁ ଅନୁରୋଧ କରିଥିଲେ।

ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ଆଜି ସମସ୍ତ ଜିଲ୍ଲାପାଳ, ସମସ୍ତ ମହାନଗର ନିଗମର କମିଶନରମାନଙ୍କୁ ଚିଠି ଲେଖି ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ପରୀକ୍ଷାର ସୁପରିଚାଳନା ନିମନ୍ତେ ଅନୁରୋଧ କରିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ନିଜର ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ସେମିଷ୍ଟାର ଓ ବାର୍ଷିକ ପରୀକ୍ଷା ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୦ତାରିଖ ମଧ୍ୟରେ କରିବେ। ପ୍ରାୟ ୧୦୦୦ କଲେଜ ଓ ବିଶ୍ୱବିଦ୍ୟାଳୟର ୨ଲକ୍ଷ ପିଲା ଏହି ପରୀକ୍ଷା ଦେବେ। ପରୀକ୍ଷାବେଳେ କୋଭିଡ-୧୯ର ସଂକ୍ରାନ୍ତ ସମସ୍ତ ନିରାପତ୍ତା ପ୍ରୋଟୋକଲକୁ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ପାଳନ କରିବେ। ସେଥିପାଇଁ ପରୀକ୍ଷା ଦିନଗୁଡ଼ିକରେ ଛାତ୍ରଛାତ୍ରୀ, କଲେଜ କର୍ମଚାରୀମାନେ ଯେଭଳି ଅବାଧରେ ଯାତାୟତ କରିପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ପୁଲିସ ଓ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି। ଏହାସହିତ ଶ୍ରୀ ମିଶ୍ର କହିଛନ୍ତି ଯେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ଦ୍ୱାରା ୟୁଜିସି-ଏନଇଟି(ନ୍ୟାସନାଲ ଇଲିଜିବିଲିଟି ଟେଷ୍ଟ) ପରୀକ୍ଷା ସେପ୍ଟେମ୍ବର ୧୬-୧୮ ଓ ୨୧ରୁ ୨୫ତାରିଖ ମଧ୍ୟରେ ରାଜ୍ୟର ୭ଟି ସହରରେ ଅନୁଷ୍ଠିତ ହେବ। ପ୍ରାୟ ୫ହଜାର ପିଲା ଏହି ପରୀକ୍ଷା ଦେବେ।

ସେହିପରି ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କମନ୍ ଏଣ୍ଟ୍ରାନ୍ସ ପରୀକ୍ଷା ଚଳିତମାସ ୧୮ରୁ ୨୦ତାରିଖ ମଧ୍ୟରେ ରାଜ୍ୟର ୧୫ଟି ସହରରେ ହେବ। ଏଥିରେ ପ୍ରାୟ ୨୯ହଜାର ପିଲା ପରୀକ୍ଷା ଦେବେ। କୋଭିଡ୍ ଗାଇଡଲାଇନ ପାଳନ କରି ଏସବୁ ପରୀକ୍ଷାକୁ ଅବାଧ ଓ ନିର୍ଦ୍ଧାରିତ ଅବଧିରେ ସମ୍ପନ୍ନ କରାଇବା ନିମନ୍ତେ ସହଯୋଗ କରିବାକୁ ସେ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରମାନଙ୍କୁ ଅନୁରୋଧ କରିଛନ୍ତି। ଯେହେତୁ ସ୍ୱତନ୍ତ୍ର ରିଲିଫ କମିଶନର ଅଗଷ୍ଟ ୩୧ତାରିଖରେ ଜାରି ନିର୍ଦ୍ଦେଶରେ ଅକ୍ଟୋବର ୩୦ତାରିଖ ପର୍ଯ୍ୟନ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ପାଠପଢ଼ା ପାଇଁ ବନ୍ଦ ରହିବ ବୋଲି କହିଛନ୍ତି। ତେଣୁ ସେପର୍ଯ୍ୟନ୍ତ ପରୀକ୍ଷା, ଖାତା ମୂଲ୍ୟାୟନ ଓ ଅନ୍ୟ ପ୍ରଶାସନିକ ଗତିବିଧି ପାଇଁ ଅନୁମତି ରହିଛି। ସେହି ଆଧାରରେ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ପରୀକ୍ଷା ନିମନ୍ତେ ଚଳିତମାସ ମଧ୍ୟଭାଗରୁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ।

ସୂଚନାଯୋଗ୍ୟ, ବିନା ପରୀକ୍ଷାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିପାରିବେ ନାହିଁ ଓ ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ପରୀକ୍ଷା ସାରିବା ନିମନ୍ତେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ। ଅବଶ୍ୟ ରାଜ୍ୟ ସରକାରମାନେ ଚାହିଁଲେ ୟୁଜିସିକୁ ଅନୁରୋଧ କରି ଅଧିକ ସମୟ ନେଇପାରିବେ ବୋଲି ତାଙ୍କ ରାୟରେ କହିଥିଲେ। ଯେଉଁ ଆଧାରରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ଗତକାଲି ୟୁଜିସିକୁ ଚିଠି ଲେଖି ସେପ୍ଟେମ୍ବର ୩୦ପରିବର୍ତ୍ତେ ଅଧିକ ୧୦ଦିନ ସମୟ ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ସେହି ଅନୁମତି ମିଳିବା ପୂର୍ବରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ପରୀକ୍ଷା ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୦ତାରିଖ ମଧ୍ୟରେ ସାରିବା ପାଇଁ ସହଯୋଗ କରିବାକୁ ଅନୁରୋଧ କହିଛନ୍ତି।

Related story