ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ରହସ୍ୟଜନକ ମୃତ୍ୟୁ ମାମଲାରେ ରହିଛି ଆହୁରି ଅନେକ ଅସମାହିତ ପ୍ରଶ୍ନ । ଯାହା ଆଜି ଯାଏଁ ଉନ୍ମାଚନ ହୋଇପାରିନି । ଯାହାର ରହସ୍ୟଭେଦ କରିବା ପାଇଁ ପୂର୍ଣ୍ଣାଙ୍ଗ ତଦନ୍ତଭାର ନିଜ ହାତକୁ ନେଇଛି କ୍ରାଇମବ୍ରାଞ୍ଚ । ତାହେଲେ କଣ ଏହି ମାମଲାର ତଦନ୍ତରେ ରହିଥିଲା କି ପୁଲିସର ଢିଲାପଣ ? ଏବେ ଏଭଳି ପ୍ରଶ୍ନ ଉଠିଥିବାବେଳେ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ମଧ୍ୟ ଟ୍ୱିଟ୍ କରି ସେଭଳି ଆଶଙ୍କା କରିବା ସହ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ।
ଗତକାଲିଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେବା ପରେ ସୌମ୍ୟଙ୍କ କ୍ୱାର୍ଟରକୁ ଏକ୍ସପର୍ଟ ଟିମ୍ ସହାୟତାରେ ତନ୍ନତନ୍ନ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ଡିଏସ୍ପି ଜ୍ଞାନରଂଜନ ମିଶ୍ରଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ସୌମ୍ୟଙ୍କ ସରକାରୀ କ୍ୱାର୍ଟରରେ ଯାଞ୍ଚ କରିଛି। ତଦନ୍ତରେ ସହାୟତା ପାଇଁ ରହିଛି ଏକ ୬ ଜଣିଆ ବିଶେଷଜ୍ଞ ଟିମ୍ ।
ଯେଉଁଥିରେ ଅଛନ୍ତି ଫିଙ୍ଗର୍ ପ୍ରିଣ୍ଟ ଏକ୍ସପର୍ଟ, ଫିଜିକ୍ସ, କେମେଷ୍ଟ୍ରି, ଭିଡିଓ ଓ ଷ୍ଟିଲ୍ ଫଟୋଗ୍ରାଫି ଏକ୍ସପର୍ଟ। ଅଗ୍ନିଶମ ବାହିନୀର ଫାୟାର ଏକ୍ସପର୍ଟ ଏହି ଟିମ୍ ସୌମ୍ୟଙ୍କ ମୃତଦେହ ମିଳିଥିବା କୋଠରୀରେ ତନ୍ନତନ୍ନ ଯାଞ୍ଚ କରି ନମୁନା ସଂଗ୍ରହ କରିଛି । ଏଫ୍ଆଇଆରରେ ନାଁ ଥିବା ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କୁ ପୁଣିଥରେ ଜେରା ହେବ । ଖାଲି ସେତିକି ନୁହେଁ, ଯେଉଁମାନଙ୍କ ନାଁ ପୂର୍ବରୁ ଉଠିଥିଲା ସେମାନେ ସମସ୍ତେ ସ୍କାନରରେ ରହିବେ ବୋଲି କହିଛି କ୍ରାଇମବ୍ରାଞ୍ଚ ।