ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଭେଟ ପାଉନାହାନ୍ତି କ୍ୟାବିନେଟ ମନ୍ତ୍ରୀ: ପିସିସି ପ୍ରଭାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଗଣତାନ୍ତ୍ରିକ ବ୍ୟବସ୍ଥା ନିଖୋଜ ହୋଇଯାଇଛି ଓ ଗଣତନ୍ତ୍ରକୁ ଜାଣିଶୁଣି ହତ୍ୟା କରାଯାଇଛି। ଯେଉଁଠି ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନେ ଚାହିଁଲେ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରୁନାହାନ୍ତି, ସେଠାରେ ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ ଅବା ଲୋକ ପ୍ରତିନିଧିଙ୍କୁ ପଚାରେ କିଏ ବୋଲି ଓଡ଼ିଶା ପିସିସି ପ୍ରଭାରୀ ତଥା ସାଂସଦ ଏ.ଚେଲ୍ଲାକୁମାର କହିଛନ୍ତି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚେଲ୍ଲାକୁମାର ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ରାଜ୍ୟରେ ଯାହାକିଛି […]

congress

Manoranjan Sial
  • Published: Friday, 09 October 2020
  • , Updated: 09 October 2020, 09:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଗଣତାନ୍ତ୍ରିକ ବ୍ୟବସ୍ଥା ନିଖୋଜ ହୋଇଯାଇଛି ଓ ଗଣତନ୍ତ୍ରକୁ ଜାଣିଶୁଣି ହତ୍ୟା କରାଯାଇଛି। ଯେଉଁଠି ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନେ ଚାହିଁଲେ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରୁନାହାନ୍ତି, ସେଠାରେ ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ ଅବା ଲୋକ ପ୍ରତିନିଧିଙ୍କୁ ପଚାରେ କିଏ ବୋଲି ଓଡ଼ିଶା ପିସିସି ପ୍ରଭାରୀ ତଥା ସାଂସଦ ଏ.ଚେଲ୍ଲାକୁମାର କହିଛନ୍ତି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚେଲ୍ଲାକୁମାର ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ରାଜ୍ୟରେ ଯାହାକିଛି ବିକାଶ ହୋଇଛି ତାହା କେବଳ କଂଗ୍ରେସ ଶାସନ ଅମଳରେ ହୋଇଛି ବୋଲି କହିଛନ୍ତି। ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱାରା ଶାସନ ବ୍ୟବସ୍ଥା ଚାଲିବା ପରିବର୍ତ୍ତେ ଓଡ଼ିଶାରେ କିଛି ମୁଷ୍ଟିମେୟ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଉଛି। ରାଜ୍ୟରେ ପଂଚାୟତିରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଫେଲ୍ ମାରିଛି ଏବଂ ବିଧାୟକ ତଥା ମନ୍ତ୍ରୀମାନଙ୍କରପ୍ରଶାସନିକ କାର୍ଯ୍ୟରେ କୌଣସି ଭୂମିକା ରହୁନାହିଁ।

ରାଜ୍ୟରେ କଂଗ୍ରେସ ଶାସନର ସଫଳତା ସମ୍ପର୍କରେ ଆଲୋକପାତ କରି ସେ କହିଥିଲେ ଯେ ରାଜ୍ୟରେ ସମସ୍ତ ବୃହତ୍ ଶିଳ୍ପ କଂଗ୍ରେସ ଶାସନ ସମୟରେ ହିଁ ହୋଇଥିଲା। ସେ ଦିବଂଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନାଁ ନେଇ କହିଥିଲେ ଯେ, ତାଙ୍କ ସମୟରେ ରାଜ୍ୟରେ ପର୍ଯ୍ୟଟନର ବିକାଶ ହେବା ସହ ଶିଳ୍ପାୟନ ଗତିଶୀଳ ହୋଇଥିଲା। ତାଙ୍କ ସମୟରେ ‘ହଜାର ଦିନରେ ହଜାର ଶିଳ୍ପ’ ଓଡିଶାର ଶିଳ୍ପାୟନ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା। କଂଗ୍ରେସ ସରକାର ଅମଳରେ ଅଢ଼େଇ ଲକ୍ଷ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା। କଂଗ୍ରେସ ସରକାର ସମୟରେ ଓଡିଶାରେ ୯ଟି ସୂତାକଳ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ବର୍ତ୍ତମାନ ବିଜେଡି ସରକାର ସମୟରେ ସମସ୍ତ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇଯାଇଛି। ଓଡ଼ିଶା ଭଳି ପ୍ରାକୃତିକ ସଂପଦରେ ଭରପୁର ରାଜ୍ୟର ଲୋକେ କର୍ମନିଯୁକ୍ତି ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଦୀର୍ଘ ୨୧ ବର୍ଷ ଧରି ଶାସନ କ୍ଷମତାରେ ଥିବା ଦଳ ରାଜ୍ୟରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିନପାରିବା ଚରମ ଅପାରଗତାକୁ ପଦାରେ ପକାଉଛି। ରାଜ୍ୟର ଆର୍ଥିକ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ଅଛି। ଋଣବୋଝ ୨୧ବର୍ଷ ମଧ୍ୟରେ ୧୮ହଜାର ଟଙ୍କାରୁ ୧.୩୦ଲକ୍ଷ କୋଟି ଟଙ୍କାରେ ପହଂଚିଲାଣି। ବିଗତ ୨୦ବର୍ଷ ମଧ୍ୟରେ ରାଜ୍ୟରେ ଶିଳ୍ପାୟନ ବାଟବଣା ହୋଇଛି ଓ ଅନେକ ଶିଳ୍ପ ବନ୍ଦ ହୋଇଯାଇଛି। ଯାହାକିଛି ଶିଳ୍ପ ଚାଲିଛି ସେଥିରେ ହୋଟେଲ ଶିଳ୍ପ ସର୍ବାଧିକ ରହିଛି। ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୩୫ ପ୍ରତିଶତ ଜମି ମଧ୍ୟ ଜଳସେଚିତ ହୋଇପାରୁନାହିଁ। ଏହା ବିଜେଡି ସରକାରଙ୍କ ପ୍ରଶାସନିକ ବିଫଳତାର ନଗ୍ନ ଉଦାହରଣ। ଓଡିଶାରେ ବେକାରୀ ସମସ୍ୟା ଅନ୍ୟ ରାଜ୍ୟ ତୁଳନାରେ ଅତି ଉତ୍କଟ ଏବଂ ଏହା ୨୪ ପ୍ରତିଶତ। ଯାହାକି ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ। କୋଭିଡ୍ ସମୟରେ ରାଜ୍ୟକୁ ଫେରିଥିବା ୧୫ ଲକ୍ଷ ପ୍ରବାସୀ ଶ୍ରମିକ ରୋଜଗାର ନପାଇ ପୁନର୍ବାର କର୍ମସଂସ୍ଥାନ ଆଶାରେ ବାହାର ରାଜ୍ୟକୁ ଯିବା ଆରମ୍ଭ କଲେଣି। ଓଡ଼ିଶା ସରକାରଙ୍କର ସ୍କିଲ୍ ମ୍ୟାପିଂ କାର୍ଯ୍ୟ କେବଳ ଘୋଷଣାରେ ସୀମିତ ରହିଗଲା। ଶିକ୍ଷା କ୍ଷେତ୍ରରେ ବିଗତ ୨୧ ବର୍ଷ ଭିତରେ ଓଡ଼ିଶା ଅତ୍ୟନ୍ତ ଦୟନୀୟ ସ୍ଥିତିରେ ପହଂଚିଛି।

କରୋନା ବିପତ୍ତିବେଳେ ମାସ୍କ, ଭେଂଟିଲେଟର ତଥା ବିଭିନ୍ନ ଚିକିତ୍ସା ଉପକରଣ କିଣିବାରେ କୋଟି କୋଟି ଟଙ୍କାର ଦୁର୍ନୀତି ଏ ସରକାରର ସମ୍ବେଦନହୀନତାକୁ ପଦାରେ ପକାଇ ଦେଇଛି। ଏଭଳି ଏକ ସରକାରକୁ ପ୍ରଭୁ ଜଗନ୍ନାଥ କଦାପି କ୍ଷମା କରିବେ ନାହିଁ ବୋଲି ଶ୍ରୀ ଚେଲାକୁମାର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପ୍ରଦୀପ ମାଝୀ ଓ ପଂଚାନନ କାନୁନଗୋ ଉପସ୍ଥିତ ଥିଲେ।

Related story