କଟକ(ଓଡ଼ିଶା ରିପୋର୍ଟର): ବାଟରେ ପଥର, ଇଟା, ମାଟି ପକାଇ ରାସ୍ତା ଅବରୋଧ କରୁଛନ୍ତି। ଏହି ସମୟରେ ମାଲ୍ ବୋଝେଇ ଟ୍ରକ୍ ଅଟକିଲେ ସେଥିରେ ଥିବା କର୍ମଚାରୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରୁଛନ୍ତି। ଏପରିକି ଦାଦାବଟି ନ ଦେଲେ ଜୀବନରୁ ମାରିଦେବାକୁ ଧମକ ବି ଦେଉଛନ୍ତି। କଟକ ଜିଲ୍ଲା ପାହାଳ ଥାନା ଅଧୀନରେ ଅସାମାଜିକ ଯୁବକଙ୍କ ଏପରି ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାର ଶିକାର ହୋଇଛନ୍ତି ଜଣେ ଘରୋଇ କମ୍ପାନୀର କର୍ମଚାରୀ।
ସୂଚନା ଅନୁଯାୟୀ, ପାହାଳ ଥାନା ବାଟପୁରଣ ଗ୍ରାମରେ ଏକ ଘରୋଇ କମ୍ପାନୀର ଗୃହ ନିର୍ମାଣ କାମ ଚାଲିଛି। ସେଥିରେ ନିଯୁକ୍ତ ଜଣେ କର୍ମଚାରୀ ଗତକାଲି କମ୍ପାନୀର ମାଲ ପରିବହନ ଗାଡ଼ିରେ ସାଇଡକୁ ଯାଉଥିଲେ। ଏହି ସମୟରେ ରାସ୍ତାରେ ବିଭିନ୍ନ ସ୍ଥାନରେ ପଥର ଓ ମାଟି ଆଦି ଗଦା ହୋଇଥିଲା ।
ଏହା ଦେଖି ଡ୍ରାଇଭର ଗାଡ଼ି ସ୍ଲୋ କରିଦେବାରୁ ହଠାତ୍ କିଛି ଯୁବକ ଚାରିପଟୁ ଘେରିଗଲେ। ଏହାପରେ ସେମାନେ କମ୍ପାନୀ କର୍ମଚାରୀଙ୍କୁ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ନିର୍ଧୂମ ପିଟିଥିଲେ। ଏପରିକି ୨୦ ଲକ୍ଷ ଦେଲେ ଛାଡ଼ିବୁ ବୋଲି ବି ଧମକ ଦେଇଥିଲେ।
ଖବର ପାଇ କମ୍ପାନୀ ଏମ୍ଡି ଘଟଣାସ୍ଥଳରେ ପହଞ୍ଚିବା ସହ ଏନେଇ ସେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ମୁକୁଳାଇଥିବା ବେଳେ ଅସାମାଜିକ ଯୁବକମାନେ ଫେରାର ହୋଇଯାଇଥିଲେ। ସେମାନଙ୍କ ଆକ୍ରମଣରେ କମ୍ପାନୀ କର୍ମଚାରୀଜଣକ ଗୁରୁତର ହେବା ସହ ତାଙ୍କ ମୁଣ୍ଡ ଫାଟି ଯାଇଛି।
ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ବି କାହାକୁ ଗିରଫ କରି ନ ଥିବା ଜଣାଯାଇଛି।