ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଘଟଣା: ବିଜେପିର ୩ ବିଧାୟକ ସସ୍‌ପେଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଓ ଇୟରଫୋନ୍ ଫିଙ୍ଗା ଘଟଣାରେ ୩ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ ଓ ମୋହନ ମାଝୀଙ୍କୁ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଚଳିତ ଅଧିବେଶନରୁ ନିଲମ୍ବନ କରିଛନ୍ତି। ତେବେ ଏହାର ପ୍ରତିବାଦରେ ବିଜେପି ବିଧାୟକମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ଆଜି ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଫିଙ୍ଗା ଯିବା ଘଟଣାକୁ ନେଇ ଶାସକ […]

Odisha Assembly

Ordigital Desk
  • Published: Saturday, 03 April 2021
  • , Updated: 03 April 2021, 10:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଓ ଇୟରଫୋନ୍ ଫିଙ୍ଗା ଘଟଣାରେ ୩ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ ଓ ମୋହନ ମାଝୀଙ୍କୁ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଚଳିତ ଅଧିବେଶନରୁ ନିଲମ୍ବନ କରିଛନ୍ତି। ତେବେ ଏହାର ପ୍ରତିବାଦରେ ବିଜେପି ବିଧାୟକମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି।

ଆଜି ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଫିଙ୍ଗା ଯିବା ଘଟଣାକୁ ନେଇ ଶାସକ ଦଳ ସଦସ୍ୟମାନେ ଉଦବେଗ ବ୍ୟକ୍ତ କରିବା ଘଟଣାର ନିନ୍ଦା କରିଥିଲେ।

ବିଜେଡି ବିଧାୟକ ଭୂପିନ୍ଦର ସିଂ, ପ୍ରତାପ କେଶରୀ ଦେବ ଓ ଶଶୀଭୂଷଣ ବେହେରା ଏହି ଘଟଣାରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଚସ୍ପତିଙ୍କ ନିକଟରେ ଦାବି ରଖିଥିଲେ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହି ଘଟଣାକୁ ନିନ୍ଦା କରିଥିଲେ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ, ଷୋଡ଼ଶ ବିଧାନସଭାରେ ଏକ ନିଆରା ଅନୁଭୂତି ହୋଇଛି। ସମସ୍ତଙ୍କୁ ସମାନ ନଜରରେ ବାଚସ୍ପତି ଦେଖନ୍ତୁ। ଗୃହକୁ ବିଶ୍ୱାସରେ ନିଅନ୍ତୁ । ଏହି ଅଧିବେଶନରେ ଶାସକ ଦଳର ନେତାମାନେ ଗୃହର ମଧ୍ୟଭାଗକୁ ଆସି ଅଚଳ କରିଥିଲେ। କଂଗ୍ରେସର ମୁଲତବୀ ପ୍ରସ୍ତାବକୁ ଶାସକ ଦଳର ଚାପରେ ବାଚସ୍ପତି ଗ୍ରହଣ କଲେନି । ବିରୋଧୀଙ୍କୁ ବିଶ୍ୱାସକୁ ନେଇ ବାଚସ୍ପତି ଗୃହ କାର୍ଯ୍ୟ ଚଳାନ୍ତୁ। ଏହି ଘଟଣାକୁ ଆଉ ଆଗକୁ ନନେଇ ବିରାଟ ହୃଦୟ ସହ ଏହାକୁ ଭୁଲି ଗୃହ କାର୍ଯ୍ୟ କରିବା ପାଇଁ ସେ ଅନୁରୋଧ କରିଥିଲେ। ଚପଲ ଫିଙ୍ଗା ଘଟଣା ପାଇଁ ମଧ୍ୟ ସେ ଦୁଃଖପ୍ରକାଶ କରିଥିଲେ।

ତେବେ ବାଚସ୍ପତି ଶ୍ରୀ ପାତ୍ର ସଦସ୍ୟମାନଙ୍କ ମନ୍ତବ୍ୟ ଶୁଣିବା ପରେ କହିଥିଲେ ଯେ, ବିଧାନସଭା ସମସ୍ତ ଭିଡ଼ିଓ କ୍ଲିପିଂ ଦେଖିବା ପାଇଁ ସେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ଡାକିଛନ୍ତି। ବିଭାଗ ମଧ୍ୟ ଏସବୁ ଭିଡିଓ ଫୁଟେଜ୍ ତାଙ୍କ ଚାମ୍ବରରେ ଉପସ୍ଥାପନ କରିବ। ଭିିଡିଓ ଫୁଟେଜକୁ ଅନୁଧ୍ୟାନ କରିବା ପରେ ସମସ୍ତଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି କହିବା ସହ ଗୃହକୁ ୧୫ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ।

ଭିଡିଓକୁ ଦେଖିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ବାଚସ୍ପତି ନିଜ ଚାମ୍ବରକୁ ଡାକିବା ସହ ପୁଣିଥରେ ଗୃହକୁ ୧୫ମିନିଟ ପାଇଁ ମୁଲତବୀ କରିଥିଲେ।

ଏହି ଭିଡିଓ କ୍ଲିପିଂକୁ ଅନୁଧ୍ୟାନ କରିବା ପରେ ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୃହରେ ଏନେଇ ସରକାର ମୁଖ୍ୟ ସଚେତକ ଶ୍ରୀମତୀ ମଲ୍ଲିକ ନିଲମ୍ବନ ପାଇଁ ଏକ ପ୍ରସ୍ତାବ ଆଣିଥିଲେ। ତା’ପରେ ବାଚସ୍ପତି ଶ୍ରୀ ପାତ୍ର ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ, ଉପମୁଖ୍ୟ ସଚେତକ ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ରଙ୍କୁ ଚଳିତ ଅଧିବେଶନରୁ ନିଲମ୍ବନ କରିଛନ୍ତି। ଚଳିତ ବଜେଟ୍ ଅଧିବେଶନ ଶେଷ ପର୍ଯ୍ୟନ୍ତ ସେମାନେ ଗୃହ କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ ବୋଲି ବାଚସ୍ପତି ରୁଲିଂ ଦେଇଛନ୍ତି।

Related story