ବାରିପଦା(ମାନିକ୍ ଲାଲ୍ ପାଣି): ବାରିପଦା-ଉଦଳା ରାସ୍ତାରୁ ଜବତ ହୋଇଥିବା ମହାବଳ ବାଘ ଛାଲ ଶିମିଳିପାଳ ଅଭୟାରଣ୍ୟର। ଆଜି ଏ ନେଇ ସ୍ପଷ୍ଟ କରିଛି ଓ୍ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ। ତେବେ କେବେ ଓ କେଉଁଠି ଏହି ବାଘକୁ ଶିକାର କରାଯାଇଥିଲା, ବାଘର ମାଂସକୁ କଣ କରିଛନ୍ତି ଶିକାରୀ, ଆଉ କେଉଁମାନେ ଏହି ଘଟଣାରେ ସଂଶ୍ଳିଷ୍ଟ, ଚମଡା କାରବାର ରାକେଟ ଯେଉଁ ପର୍ଯ୍ୟନ୍ତ ଲମ୍ବିଛି ସେ ନେଇ ଏସଟିଏଫ୍ ଏବଂ ବାରିପଦା ବନ ବିଭାଗର ଏକ ଟିମ୍ ତନାଘନା ଆରମ୍ଭ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ମିଳିତ ଟିମ୍ ଚଢ଼ାଉ ଜାରି ରଖିଛି। ଏନେଇ ବାରିପଦା ଆରସିସିଏଫ୍ ସୂଚନା ଦେଇଛନ୍ତି।
ସୂଚନା ଥାଉକି, ଏକ ମହାବଳ ବାଘ ଛାଲକୁ ଗତ ୧୪ରେ ଜବତ କରିଥିଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ଏହାପରେ ଓ୍ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆକୁ ଜବତ ବାଘ ଛାଲର ଫଟୋ ପଠାଯାଇଥିଲା। ଏହାପରେ ଛାନଭିନ କରି ଓ୍ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସ୍ପଷ୍ଟ କରିିଛି ଯେ, ଶିମିଳିପାଳରେ ବାଘର ଗତିବିଧିକୁ ଲକ୍ଷ୍ୟ କରିବା ଏବଂ ବାଘ ଗଣନା ବେଳେ ଟ୍ରାପିଂ କରି ବାଘର ଫଟୋ ରଖାଯାଇଥାଏ। ଏହି ଆଧାରରେ ଏହା ଶିମିଳିପାଳ ବାଘର ଛାଲ ବୋଲି ସ୍ପଷ୍ଟ ହୋଇଛି। ପୂର୍ବରୁ ଏସଟିଏଫ୍ ଟିମ୍ ଦୁଇ ଜଣଙ୍କୁ ବାଘ ଛାଲ ରଖିଥିବା ନେଇ ଗିରଫ କରି କୋର୍ଟ ଚାଲାଣ କରିଛି।
ଜଣେ ଶିକାରୀ ମହାବଳ ବାଘ ଛାଲ ରଖିଥିବା ନେଇ ଏସ୍ଟିଏଫ୍କୁ ବାରିପଦାର ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ ଜଣାଇଥିଲେ। ଏହାପରେ ଏସ୍ଟିଏଫ୍ ଟିମ୍ ଦୁଇ ଜଣଙ୍କୁ ଗିରଫ କରିଥିଲା। ମହାବଳ ବାଘର ଛାଲ ଜବତ ପରେ ଶିମିଳିପାଳ ଅଭୟାରଣ୍ୟରେ ବାଘ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏନେଇ ଆରସିସିଏଫ୍ ଟି. ଅଶୋକ କୁମାର କହିଛନ୍ତି, ଏସ୍ଟିଏଫ୍ ସହ ମିଶି ବାରିପଦା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଡିଏଫ୍ଓ ତଦନ୍ତ କରୁଛନ୍ତି। ଏଥିରେ କେଉଁମାନଙ୍କ ଲିଙ୍କ ରହିଛି ଖୋଳତାଡ଼ କରାଯାଉଛି। ତଦନ୍ତ ସରିବା ପରେ ସବୁକିଛି ସ୍ପଷ୍ଟ କରାଯିବ।