କାହ୍ନା ଅଭୟାରଣ୍ୟର ଘୋରେଲା ଜଙ୍ଗଲରେ ସୁନ୍ଦରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟର ଘୋରେଲା ଜଙ୍ଗଲରେ ଘୂରି ବୁଲୁଛି ବାଘୁଣୀ ସୁନ୍ଦରୀ। ବୁଧବାର ମଧ୍ୟରାତ୍ରିରେ ତାକୁ ଯନ୍ତାରୁ ଜଙ୍ଗଲକୁ ଛଡ଼ା ଯାଇଛି। ମଞ୍ଚା ବାନ୍ଧି ଓ ସିସିଟିଭିରେ ସୁନ୍ଦରୀର ଗତିବିଧି ଉପରେ ନଜର ମଧ୍ୟ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି କାହ୍ନା ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ। ସୂଚନାଯୋଗ୍ୟ, ପ୍ରାୟ ୩ ବର୍ଷର ରହଣୀ ପରେ ମଙ୍ଗଳବାର ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ାରୁ ସୁନ୍ଦରୀକୁ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟକୁ ନିଆଯାଇଥିଲା। ୨୦୧୮ରେ ସାତକୋଶିଆ […]

sundari

Manoranjan Sial
  • Published: Thursday, 25 March 2021
  • , Updated: 25 March 2021, 04:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟର ଘୋରେଲା ଜଙ୍ଗଲରେ ଘୂରି ବୁଲୁଛି ବାଘୁଣୀ ସୁନ୍ଦରୀ। ବୁଧବାର ମଧ୍ୟରାତ୍ରିରେ ତାକୁ ଯନ୍ତାରୁ ଜଙ୍ଗଲକୁ ଛଡ଼ା ଯାଇଛି। ମଞ୍ଚା ବାନ୍ଧି ଓ ସିସିଟିଭିରେ ସୁନ୍ଦରୀର ଗତିବିଧି ଉପରେ ନଜର ମଧ୍ୟ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି କାହ୍ନା ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ।

ସୂଚନାଯୋଗ୍ୟ, ପ୍ରାୟ ୩ ବର୍ଷର ରହଣୀ ପରେ ମଙ୍ଗଳବାର ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ାରୁ ସୁନ୍ଦରୀକୁ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟକୁ ନିଆଯାଇଥିଲା।

୨୦୧୮ରେ ସାତକୋଶିଆ ଆସିଥିଲେ ସୁନ୍ଦରୀ ଓ ମହାବୀର

ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ୨୦୧୮ ମସିହାରେ ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟାରେ ସାତକୋଶିଆ ଅଭୟାରଣ୍ୟକୁ ଆସିଥିଲା ବାଘୁଣୀ ସୁନ୍ଦରୀ ଓ ବାଘ ମହାବୀର। ହେଲେ ସାତକୋଶିଆରେ ମହାବୀର ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରୀ ଅଭୟାରଣ୍ୟର କୋର୍‌ ଏରିଆକୁ ଯାଇ ନଥିଲା। ସବୁବେଳେ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂରି ବୁଲୁଥିଲା। ଆଉ ସମୟ ସୁବିଧା ଦେଖି ଶିକାର କରୁଥିଲା। ଯାହାକୁ ନେଇ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ସୁନ୍ଦରୀକୁ ଶୀଘ୍ର ସ୍ଥାନାନ୍ତର କରିବାକୁ ଗାଁ ଲୋକେ ଦାବି କରିଥିଲେ। ଏହାକୁ ନେଇ ଜଳାପୋଡ଼ା ହୋଇଥିଲା।

ଶିକାର କରିବା ଭୁଲି ଯାଇଥିଲା ସୁନ୍ଦରୀ

ଦିନକୁ ଦିନ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ଦେଖି ବନ ବିଭାଗ ସୁନ୍ଦରୀକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା। ଆଉ ତା’ପରେ ସୁନ୍ଦରୀକୁ ଧରିବା ପାଇଁ ଆରମ୍ଭ ହୋଇଥିଲା ଅପରେଶନ୍‌। ହେଲେ ସୁନ୍ଦରୀ ଧରା ଦେଇନଥିଲା। ଦୀର୍ଘ ଦିନ ଲୁଚାଛପା ଖେଳ ପରେ ଶେଷରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରିଥିଲା ବନ ବିଭାଗ। ତା’ପରେ ତାକୁ ଅଭୟାରଣ୍ୟର ରାଇଗୁଡ଼ାରେ ଛଡ଼ା ଯାଇଥିଲା। ସେଠାରେ ବନ୍ଦୀ ଜୀବନ କାଟିବା ପରେ ସୁନ୍ଦରୀ ଶିକାର କରିବା ଭୁଲି ଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ସୁନ୍ଦରୀକୁ ଫେରାଇ ନେବାକୁ ମଧ୍ୟ ପ୍ରଦେଶ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା।

ଶେଷରେ ବନ ବିଭାଗ ସୁନ୍ଦରୀକୁ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଥିଲେ। ଏହା ପରେ ମଧ୍ୟପ୍ରଦେଶ ସରକାର ସୁନ୍ଦରୀକୁ ଫେରାଇ ନେଉଛି। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରି କାବୁ କରାଯାଇଥିଲା। ପରେ ତାକୁ ଏକ ସ୍ୱତନ୍ତ୍ର ଗାଡ଼ିରେ ମଧ୍ୟପ୍ରଦେଶକୁ ନିଆଯାଇଥିଲା। ସେଠାରେ ପ୍ରଥମେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ଅର୍ଥାତ୍‌ ବୁଧବାର ମଧ୍ୟରାତିରେ ସୁନ୍ଦରୀକୁ ଜଙ୍ଗଲରେ ଛଡ଼ା ଯାଇଛି।

Related story