ଜଳେଶ୍ୱର/ରାଜକନିକା (ଓଡ଼ିଶା ରିପୋର୍ଟର): ଓଡିଶାର ଆଗାମୀ ନିର୍ବାଚନ ଓଡ଼ିଆ ଲୋକଙ୍କ ପାଇଁ ଜବାବ ମାଗିବାର ନିର୍ବାଚନ ହେବ ବୋଲି ବାଲେଶ୍ୱର ଜିଲା ଭୋଗରାଇ ଓ କେନ୍ଦ୍ରାପଡାର ଓଳାଭର ଠାରେ ଜନପରାମର୍ଶ ପଦଯାତ୍ରା ଓ ସାଧାରଣ ସଭାକୁ ଉଦବୋଧନ ଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯେ ପର୍ଯ୍ୟନ୍ତ ଓଡ଼ିଆ ଲୋକମାନେ ହକ ପାଇଁ ଏକ୍ ହେବେ ନାହିଁ, ୧୯ ବର୍ଷ ଧରି ଶାସନରେ ଥିବା ଲୋକମାନେ ଜନସେବା ବଦଳରେ ଓଡିଶାକୁ ନିଜର ଜାଗିର ଓ ବ୍ୟକ୍ତିଗତ ସମ୍ପତ୍ତି ବୋଲି ଭାବି ଚାଲିଥିବେ ବୋଲି ସେ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୦-୧୫ ଦିନ ହେଲା ଗୋଟିଏ ପ୍ରଶ୍ନ ସାରା ଓଡିଶାବାସୀଙ୍କୁ ସ୍ତମ୍ଭୀଭୂତ କରିଛି । ଗୁଡ୍ ନ୍ୟୁଜ ଇଣ୍ଡିଆ ନାମକ ଏକ ସଂସ୍ଥା ବାଳାଶ୍ରମ ଚଳାଇବା ନାଁରେ ଅନ୍ତେବାସୀ ମାନଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିଲେ। କେବଳ ସେତିକି ନୁହେଁ, ଓଡିଶାର ଛୁଆଙ୍କୁ ବିକ୍ରି କରୁଥିଲେ। ଓଡିଶାରେ ଧର୍ମ ପରିବର୍ତ୍ତନ ସଂକ୍ରାନ୍ତ କଡ଼ା ନିୟମ ଥିବାବେଳେ ରାଜ୍ୟରେ ଧର୍ମାନ୍ତରୀକରଣ ଚାଲିଛି । ଏନେଇ ଜାତୀୟ ଶିଶୁ ଅଧିକାର ବୋର୍ଡ ବର୍ଷେ ତଳେ ରାଜ୍ୟ ସରକାରଙ୍କୁ ଜଣାଇଥିବା ବେଳେ ମନ୍ତ୍ରୀ କହୁଛନ୍ତି ଆମେ ଜାଣିନାହୁଁ। କଳାପାହାଡ଼ ରୂପୀ ଦଳେ ଲୋକ ଓଡିଶାକୁ ଲୁଟି ଚାଲିଥିବା ବେଳେ ଓଡିଶାକୁ ୧ ନମ୍ବର କରିଥିବାର ମିଛ ବାହାବା ମାରୁଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତୁି ଯେ, ଭୋଗରାଇ ଅଞ୍ଚଳରେ ଜନସାଧାରଣଙ୍କ ସହିତ କଥା ହେଲା ବେଳେ ତୃଣମୂଳ ସ୍ତରର ଦୁର୍ନୀତିର ପ୍ରସଙ୍ଗ ସାଧାରଣ ଲୋକ ଉଠାଉଛନ୍ତି । ୭୫ ବର୍ଷର ବୃଦ୍ଧା ହାତଗୁଂଜା ନ ଦେବାରୁ ଭତ୍ତା ପାଇନାହିଁ। ଗରିବ ମା ବଢ଼ିଲା ଝିଅକୁ ଧରି କୁଡ଼ିଆରେ ପଡ଼ିଛି , ହେଲେ ଲାଞ୍ଚ ନଦେବାରୁ ଘର ମିଳୁନି। ଆମ ଗାଁ ଆମ ବିକାଶ ଯୋଜନାରେ ଟଙ୍କା ତ ବଣ୍ଟା ହେଉଛି ମାତ୍ର ଏ କ୍ଷେତ୍ରରେ ସ୍ଥାନୀୟ ଯୁବକ ତା ସହିତ ଧୋକା ହେଉଥିବାର ଅଭିଯୋଗ କରୁଛି। କ'ଣ କାମ ହେଉଛି, କିଏ କାମ ପାଉଛି ତାକୁ ଜଣାନାହିଁ। କାମ କରି ଦି ପଇସା ରୋଜଗାର କରିବାରୁ ସେ ବଞ୍ଚିତ
ଶ୍ରୀ ପ୍ରଧାନ ପିଠା ଯୋଜନାକୁ ବୃଦ୍ଧ ବ୍ୟାଘ୍ରର ସ୍ୱର୍ଣ କଙ୍କଣ ଉପାଖ୍ୟାନ ବୋଲି କହିଛନ୍ତି। ବିନା ଲାଞ୍ଚରେ କିଛି ହୋଇପାରୁନି। ଯୁବକ ବେକାର, ମହିଳା ଅସୁରକ୍ଷିତ ଓ ଚାଷୀ ସବୁଠାରୁ ବଡ଼ ସମସ୍ୟା ମଧ୍ୟରେ ରହିଛି। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ସବୁଘରେ ବିଜୁଳି ଓ ପାଇଖାନା ପାଇଁ ମୋଦି ସରକାର ଟଙ୍କା ପଠାଇଛନ୍ତି ମାତ୍ର ଓଡ଼ିଆ ଲୋକମାନେ ବିନା ବିଜୁଳି ଓ ବିନା ପାଇଖାନାରେ କାହିଁକି ଅଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ସେହିପରି ଭାରତ ସରକାରଙ୍କ ଜନସେବାକାରୀ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଇର୍ଷା କାରଣରୁ ଲାଗୁ କଲେନାହିଁ । ଯାହାଦ୍ୱାରା ସାଧାରଣ ଓଡିଆ ଲୋକଙ୍କ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଲେ ବୋଲି ସେ କହିଛନ୍ତିା