ରାତି ପାହିଲେ ଉପନିର୍ବାଚନ, ସିଲ ହେବ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଭୋଟ୍‌। ସିଲ୍‌ ହେବ ସବୁ ଦଳର ପ୍ରାର୍ଥୀଙ୍କ ଭାଗ୍ୟ। ଚଳିତବର୍ଷ କୋଭିଡ୍‌ ଯୋଗୁ ନିର୍ବାଚନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ଆସନରେ ଆସନ୍ତାକଲି ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ଭୋଟଗ୍ରହଣ ହେବ। ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ବୁଥ୍ ରହିଛି। ପ୍ରତି ବୁଥ୍‌ରେ ଏକ ହଜାର ଭୋଟର ମତଦାନ କରିବେ। ତେଣୁ ବୁଥ୍ ସଂଖ୍ୟା ବଢ଼ାଯାଇଛି। ଏଥିପାଇଁ ନିଯୁକ୍ତ ହୋଇଛନ୍ତି […]

evm-1

Manoranjan Sial
  • Published: Monday, 02 November 2020
  • , Updated: 02 November 2020, 07:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଭୋଟ୍‌। ସିଲ୍‌ ହେବ ସବୁ ଦଳର ପ୍ରାର୍ଥୀଙ୍କ ଭାଗ୍ୟ। ଚଳିତବର୍ଷ କୋଭିଡ୍‌ ଯୋଗୁ ନିର୍ବାଚନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ଆସନରେ ଆସନ୍ତାକଲି ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ଭୋଟଗ୍ରହଣ ହେବ।

ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ବୁଥ୍ ରହିଛି। ପ୍ରତି ବୁଥ୍‌ରେ ଏକ ହଜାର ଭୋଟର ମତଦାନ କରିବେ। ତେଣୁ ବୁଥ୍ ସଂଖ୍ୟା ବଢ଼ାଯାଇଛି। ଏଥିପାଇଁ ନିଯୁକ୍ତ ହୋଇଛନ୍ତି ୩୫୦୦ ପୋଲିଂ କର୍ମଚାରୀ ଓ ୮୦୦ ଲେଖାଏଁ ଆଶାକର୍ମୀ ଏବଂ ସ୍ୱେଚ୍ଛାସେବୀ। ଥର୍ମାଲ ସ୍କ୍ରିନିଂ ପରେ କେବଳ ସୁସ୍ଥ କର୍ମଚାରୀଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି।

ବୁଥ୍‌ ଗୁଡ଼ିକୁ ସାନିଟାଇଜ କରାଯାଇଛି। ଆସନ୍ତାକାଲି ବି ବାରମ୍ବାର ସାନିଟାଇଜ କରାଯିବ। ପୁଲିଂ ଅଫିସଙ୍କୁ ପିପିଇ କିଟ ପ୍ରଦାନ କରାଯାଇଛି। ପ୍ରତ୍ୟେକ ଭୋଟରଙ୍କୁ ଥର୍ମାଲ ସ୍କ୍ରିନିଂ କରାଯିବ। ତା’ସହ ଗୋଟିଏ ଲେଖାଏଁ ଗ୍ଲୋବସ୍‌ ଦିଆଯିବ। ଡାହାଣ ହାତରେ ଗ୍ଲୋବସ ପିନ୍ଧି ମତଦାତା ଭୋଟ ଦେବେ। ସାମାଜିକ ଦୂରତା ବଜାୟ ରଖି ଭୋଟରମାନେ ଲାଇନରେ ଯାଇ ସର୍କଲ ଭିତରେ ରହିବେ। ସ୍କ୍ରିନିଂ ସମୟରେ କାହାକୁ ଯଦି କରୋନା ହୋଇଥିବାର ସନ୍ଦେହ ହୁଏ, ତାଙ୍କୁ ଟୋକନ ଦିଆଯିବ। ସେମାନେ ଶେଷ ଏକ ଘଣ୍ଟା ଅର୍ଥାତ ସଂଧ୍ୟା ୫ଟାରୁ ୬ଟା ଭିତରେ ଭୋଟ ଦେଇପାରିବେ। କେହି ପୂର୍ବରୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ମଧ୍ୟ ଏହି ସମୟରେ ଭୋଟ ଦେଇପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।

ଆସନ୍ତାକାଲି ବାଲେଶ୍ୱର ମ୍ୟୁନିସିପାଲଟିର ୩୧ଟି ଓ୍ୱାର୍ଡ ଓ ସଦରର ୨୬ ପଂଚାୟତରେ ୨ଲକ୍ଷ ୩୦ ହଜାର ୨୯୭ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିବେ। ସେପଟେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୩୭ ହଜାର ୨୮୨ ଜଣ ଭୋଟର୍ ଭୋଟ ଦେବେ। ବାଲେଶ୍ୱରରେ ୮୬ଟି ଓ ତିର୍ତ୍ତୋଲରେ ୧୫୫ କ୍ରିଟିକାଲ୍‌ ବୁଥ୍‌ ରହିଛି। ଉଭୟ ଆସନ ପାଇଁ ମୋଟ୍‌  ୯୦ ପ୍ଲାଟୁନ ପୁଲିସ ଫୋର୍ସ, ୬ କମ୍ପାନି ସିଏପିଏଫ୍‌ ଓ ୨୫୦ ପୁଲିସ ଅଫିସର ନିଯୁକ୍ତି କରାଯାଇଛି। ଏହାବାଦ ବୁଥ୍‌ ଗୁଡ଼ିକରେ ସିସିଟିଭି ଓ ୱେବକାଷ୍ଠି ବ୍ୟବସ୍ଥା କରାଯାଇଛି।

ଏଥର ବାଲେଶ୍ୱରରେ ମୁଖ୍ୟତଃ ବିଜେଡିରୁ ସ୍ୱରୂପ ଦାସ, ବିଜେପିରୁ ମାନସ ଦତ୍ତ ଓ କଂଗ୍ରେସରୁ ମମତା କୁଣ୍ଡୁଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ସେହିପରି ତିର୍ତ୍ତୋଲରେ ବିଜେଡିରୁ ବିଜୟ ଶଙ୍କର ଦାସ, ବିଜେପିରୁ ରାଜକିଶୋର ବେହେରା ଓ କଂଗ୍ରେସରୁ ହିମାଂଶୁ ମଲ୍ଲିକଙ୍କ ମଧ୍ୟରେ ହେଉଛି ଲଢ଼େଇ।

୨୦୧୯ ନିର୍ବାଚନରେ ବାଲେଶ୍ୱରରେ ବିଜେପିର ମଦନ ମୋହନ ଦତ୍ତ ୧୩ ହଜାର ୪୦୬ ଭୋଟରେ ବିଜେଡିର ଜୀବନ ପ୍ରଦୀପ ଦାସଙ୍କୁ ହରାଇଥିଲେ। ଅନ୍ୟପକ୍ଷରେ ତିର୍ତ୍ତୋଲରେ ବିଜେଡିର ବିଷ୍ଣୁ ଦାସ ୪୦ ହଜାର ୩୮୬ ଭୋଟ ବ୍ୟବଧାନରେ ବିଜେପିର ରମାକାନ୍ତ ଭୋଇଙ୍କୁ ପରାସ୍ତ କରିଥିଲେ।

Related story