କଲ୍ୟାଣସିଂହପୁର (ମାଉଡ଼ି ବାରିକ): ରାତି ପାହିଲେ ଦେଶ ପାଳିବ ‘ବିଶ୍ୱ ଜନଜାତି ଦିବସ’। ଏଥିପାଇଁ ସଭା ଓ ସମିତି ଆୟୋଜିତ ହେବ। ନେତା, ରାଜନେତା ଓ ଅଧିକାରୀମାନେ ଜନଜାତିର ଲୋକଙ୍କ ଜୀବନ ଶୈଳୀ ଉପରେ ଭାଷଣ ଦେବେ। ଜଙ୍ଗଲ,ପାହାଡ଼ରେ ବାସ କରୁଥିବା ଜନଜାତି ଲୋକଙ୍କ ପାଇଁ କରାଯାଇଥିବା ଯୋଜନା ଓ ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିବେ। ତେବେ ଓଡ଼ିଶାର ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ଜୀବନ ଶୈଳୀରେ କେତେ ପରିବର୍ତ୍ତନ ହୋଇଛି? ଆସନ୍ତୁ, ଏହା ଉପରେ ନଜର ପକାଇବା।
ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ରହିଛି ନିୟମଗିରି ପାହାଡ଼। ଏଠାରେ ବସବାସ କରୁଛନ୍ତି ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ। ଜିଲ୍ଲାର ୩ଟି ବ୍ଳକ୍ କଲ୍ୟାଣସିଂହପୁର ୩୬, ବିଷମକଟକ ୩୨ ଓ ମୁନିଗୁଡ଼ା ବ୍ଲକରେ ୩୦ଟି ଗାଁରେ ମୋଟ୍ ୯୯ଟି ଗାଁରେ ୧୦ ହାଜର ୩୦୦ ଜଣ ଡ଼ଙ୍ଗରିଆ କନ୍ଧ ବାସ କରୁଛନ୍ତି। ଦିନ ଥିଲା ଏମାନେ ଭାତ, ଡାଲି କିମ୍ୱା ତେଲ ମସଲା ଖାଉନଥିଲେ। ଜଙ୍ଗଲଜାତ ଦ୍ରବ୍ୟକୁ ସିଝାଇ ଖାଉଥିଲେ। ବିଶେଷ କରି ମାଣ୍ଡିଆ ଜାଉ, ସଲପ, ସଲପ ଜାଉ, କନ୍ଦା ଓ ଶାଗ ଖାଉଥିଲେ। ପୋଡୁ ଚାଷ କରି ଜୀବିକା ନିର୍ବାହ କରୁଥିଲେ।
ସମୟ ସହିତ ପାଦ ଦେଇ ବଳିଛି ସେମାନଙ୍କ ଜୀବନ ଶୈଳୀ। ଜଙ୍ଗଲରେ ମିଳୁଥିବା ପାରମ୍ପରିକ ଖାଦ୍ୟ ଖାଇବା ସହିତ ଭାତ ଓ ଡାଲି ଖାଇଲେଣି। ପାହାଡ ଶିଖରରୁ ତଳକୁ ଓହ୍ଲାଇଲେଣି। ହାଟ ବଜାର କଲେଣି। ପାଠ ପଢ଼ିଲେଣି। ଜଙ୍ଗଲ ଛାଡି ସହରୀ ହାୱା ଖାଇଲେଣି। ଡଙ୍ଗରିଆ କନ୍ଧମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେଣି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବିଷମ କଟକ ବ୍ଲକରେ।
ବିଷମକଟକ ବ୍ଳକ୍ କୁର୍ଲୀ ପଞ୍ଚାୟତ ଖଜୁରୀ ଗାଁରେ ପ୍ରତିଷ୍ଠା କରାଯାଇଛି ପ୍ଲେଟ୍ ତିଆରି କାରଖାନା। ସକାଳେ ସନ୍ଧ୍ୟା ବେଳେ ମେଶିନ୍ରେ ତିଆରି ହେଉଛି କାଗଜ ପ୍ଲେଟ୍। ଡଙ୍ଗରିଆ ମହିଳାମାନେ ଏହି କାମରେ ନିୟୋଜିତ ହେଉଛନ୍ତି। ପୂର୍ବରୁ ଯେଉଁ ଡଙ୍ଗରିଆ କନ୍ଧମାନେ କେବଳ ନିୟମଗିରି ପାହାଡ଼ରୁ ଲଘୁଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିଲେ, ଆଜି ସେମାନଙ୍କ ଜୀବନରେ ପରିବର୍ତ୍ତନ ଘଟିଛି। ନିୟମଗିରି ଡଙ୍ଗରିଆ କନ୍ଧମାନେ କେବଳ କାଗଜ ପ୍ଲେଟ୍ ତିଆରି କରୁନାହାନ୍ତି- ହଳଦୀ ଓ ଖଲିପତ୍ର ପ୍ରସ୍ତୁତିରେ ନିଜକୁ ନିୟୋଜିତ କରୁଛନ୍ତି।
ଏନେଇ ଜିଲ୍ଲାପାଳ ସ୍ଵଦଦେବ ସିଂହ କହିଛନ୍ତି, ସରକାରଙ୍କ ବିଭିନ୍ନ ଯୋଜନା ଡଙ୍ଗରିଆ କନ୍ଧଙ୍କ ପାଇଁ ରହିଛି। ସେହି ସବୁ ଯୋଜନା ସେମାନଙ୍କ ନିକଟରେ ଯେମିତି ପହଞ୍ଚିବ, ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି।
ଗତ ସପ୍ତାହରେ ରାୟଗଡ଼ା ଜିଲ୍ଲାପାଳ କଲ୍ୟାଣସିଂହପୁର ବ୍ଳକ ନିୟମଗିରି ପାହାଡ଼ର ଦୁର୍ଗମ ଅଞ୍ଚଳ ଲାଖାପଦର ଗାଁକୁ ଜାଇ ଡଙ୍ଗରିଆ କନ୍ଧଙ୍କ ସହିତ ଆଲୋଚନା କରି ତାଙ୍କ ପାରମ୍ପରିକ ଖାଦ୍ୟ ଖାଇ ଚର୍ଚ୍ଚାକୁ ଆସିଥିଲେ।