ରାତି ପାହିଲେ ନୂଆଁଖାଇ, ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ସମ୍ବଲପୁର(ଓଡ଼ିଶା ରିପୋର୍ଟର):ରାତି ପାହିଲେ ନୂଆଁଖାଇ। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ଏଥିପାଇଁ ବଲାଙ୍ଗିରରେ ପୂର୍ବଦିନ ପାଳିତ ହୋଇଥାଏ ପାହୂର ଯାତ୍ରା। ନୂତନ ବସ୍ତ୍ର, ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ଶୋଭାଯାତ୍ରରେ ସବୁ ଇଷ୍ଟଦେବୀଙ୍କ ପୀଠକୁ ନିଆଯାଇଥାଏ।  ଆଜି ଅପରାହ୍ଣରେ ଏହି ପର୍ବ ବେଶ୍ ଜାକଜମକରେ ଅନୁଷ୍ଠିତ ହୋଇଛି। ସେପଟେ ସମ୍ବଲପୁରରେ ମାଆ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର ହୋଇଛି। […]

nuakhai-1

Tapas Behera
  • Published: Monday, 02 September 2019
  • , Updated: 03 September 2019, 07:31 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର):ରାତି ପାହିଲେ ନୂଆଁଖାଇ। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ଏଥିପାଇଁ ବଲାଙ୍ଗିରରେ ପୂର୍ବଦିନ ପାଳିତ ହୋଇଥାଏ ପାହୂର ଯାତ୍ରା। ନୂତନ ବସ୍ତ୍ର, ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ଶୋଭାଯାତ୍ରରେ ସବୁ ଇଷ୍ଟଦେବୀଙ୍କ ପୀଠକୁ ନିଆଯାଇଥାଏ।  ଆଜି ଅପରାହ୍ଣରେ ଏହି ପର୍ବ ବେଶ୍ ଜାକଜମକରେ ଅନୁଷ୍ଠିତ ହୋଇଛି।

ସେପଟେ ସମ୍ବଲପୁରରେ ମାଆ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର ହୋଇଛି। ଏଥିପାଇଁ ମନ୍ଦିରରେ ଚାଲିଛି ପ୍ରସ୍ତୁତି। ଦେବୀଙ୍କ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରକୁ ସଫା କରାଯାଇଛି। ପାର୍ଶ୍ୱ ଦେବଦେବୀଙ୍କୁ ସିନ୍ଦୁର ପ୍ରଲେପ ଦିଆଯିବା ସହ ମନ୍ଦିରରେ ରଙ୍ଗଦିଆ କାମ ମଧ୍ୟ ଶେଷ ପର୍ଯ୍ୟାୟରେ।

ତେଣେ ନୂଆଁଖାଇ ପାଇଁ ଘରେ ଘରେ ପ୍ରସ୍ତୁତି ଶେଷ ହେଲାଣି। ବାହାରେ ରହୁଥିବା ସଦସ୍ୟ ଏକାଠି ନୂଆଁଖାଇବା ପାଇଁ ଘରେ ପହଞ୍ଚିସାରିଲେଣି।  ନବାନ୍ନ ଲାଗି ପାଇଁ ଆବଶ୍ୟକ ସାମଗ୍ରୀ କିଣିବାକୁ ବଜାରରେ ଭିଡ଼ ଦେଖିବାକୁ ମିଳୁଛି। ନୂଆଁଖାଇ ସାମଗ୍ରୀ ବିକ୍ରି ପାଇଁ ବିଭିନ୍ନ ସ୍ଥାନରେ ବସିଛି ତିହାର୍ ହାଟ୍ ବା ସ୍ୱତନ୍ତ୍ର ବଜାର। ସରିଆ ଧାନ, ସୂତାରାଖି, ନୂଆ ଶାଢ଼ି, କୁଲା, ଭୁଗା, ଖଡ଼ିକା, ସରଗୀ, ମହୁଲ ପତ୍ର ଆଦି କିଣି ନେଉଛନ୍ତି ଲୋକେ। ଆଦିବାସୀ ପରମ୍ପରା ଅନୁସାରେ କଳାହାଣ୍ଡିର ଧର୍ମଗଡ଼ ଅଞ୍ଚଳରେ ପୂଜାର୍ଚ୍ଚନା ପାଇଁ ବ୍ୟବହୃତ ହୁଏ ହାତ ତିଆରି ଦେଶୀ ଗୁଡ଼।  ଏହାଛଡ଼ା ବଜାରରେ ବାଉଁଶ କରଡ଼ିର ମଧ୍ୟ ବେଶ ଚାହିଦା ରହିଛି।

ନୂଆଁଖିଆ ପରେ ଆରମ୍ଭ ହେବ ଜୁହାର ଭେଟଘାଟ୍। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଜୁହାର ଭେଟଘାଟକୁ ରଙ୍ଗାରଙ୍ଗ କରିବା ପାଇଁ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଢାପ୍ ବାଜାର ତାଳେତାଳେ ଧାଙ୍ଗଡ଼ା ଧାଙ୍ଗଡ଼ି ନାଚ ପାଇଁ କଳାହାଣ୍ଡିରେ ଅଭ୍ୟାସ ଚାଲିଛି। ସେପଟେ ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଅଞ୍ଚଳରେ ରସରକେଲୀ, ରଙ୍ଗବତୀ ଆଦି ଗୀତରେ ନୃତ୍ୟାଭ୍ୟାସ କରୁଛନ୍ତି କଳାକାର।

Related story