ଅତ୍ୟନ୍ତ ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ‘ଫୋନି’: କାଲି ସନ୍ଧ୍ୟା ସୁଦ୍ଧା ପୁରୀ ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଅତ୍ୟନ୍ତ ଭୟଙ୍କର ରୂପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ଏହା ପୁରୀଠାରୁ ୬୮୦ କିଲୋମିଟର ଦୂରରେ ରହିଥିବା ବେଳେ ୩ ତାରିଖ ଅପରାହ୍ଣରେ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି। ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ‘ଫୋନି’ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଏହି ସାମୁଦ୍ରିକ ଝଡ଼ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଉଦୟଗିରିରେ ଲ୍ୟାଣ୍ଡଫଲ୍ କରିବ […]

sea

sea

Jitendra Garnayak
  • Published: Wednesday, 01 May 2019
  • Updated: 01 May 2019, 12:07 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଅତ୍ୟନ୍ତ ଭୟଙ୍କର ରୂପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ଏହା ପୁରୀଠାରୁ ୬୮୦ କିଲୋମିଟର ଦୂରରେ ରହିଥିବା ବେଳେ ୩ ତାରିଖ ଅପରାହ୍ଣରେ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି। ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ‘ଫୋନି’ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଏହି ସାମୁଦ୍ରିକ ଝଡ଼ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଉଦୟଗିରିରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆମେରିକାର ଜଏଣ୍ଟ୍ ଟାଇଫୁନ୍ ସେଣ୍ଟର ପୂର୍ବାନୁମାନ କରିଛି।

ଏସବୁ ଆଶଙ୍କା ଓ ପୂର୍ବାନୁମାନ ଭିତରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପୁରୀ ଛାଡ଼ିବାକୁ ପର୍ଯ୍ୟଟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଏହା ସହିତ ୩ରୁ ୪ ତାରିଖ ମଧ୍ୟରେ ସାମୁଦ୍ରିକ ଝଡ଼ ‘ଫୋନି’ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ମଧ୍ୟ ଛାଡ଼ିବାକୁ ପର୍ଯ୍ୟଟକମାନଙ୍କୁ କୁହାଯାଇଛି। ଏହି ଦିନଗୁଡ଼ିକରେ ଅନାବଶ୍ୟକ ଭ୍ରମଣରୁ ବିରତ ରହିବାକୁ ପର୍ଯ୍ୟଟକମାନଙ୍କୁ କୁହାଯାଇଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

ସେହିଭଳି ଦୁଇ ତାରିଖ ସନ୍ଧ୍ୟା ସୁଦ୍ଧା ଉପକୂଳ ଓଡ଼ିଶାର ତଳୁଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ। ସର୍ବନିମ୍ନ ଆସବାବପତ୍ର ସହିତ ଲୋକେ ବାତ୍ୟା ଆଶ୍ରୟସ୍ଥଳକୁ ଆସିବାକୁ ଓ ପ୍ରଶାସନିକ ଅଧିକାରୀଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିବାକୁ ଏସ୍‌ଆର୍‌ସି ଅନୁରୋଧ କରିଛନ୍ତି।

‘ଫୋନି’ ଯେତେବେଳେ ସ୍ଥଳଭାଗ ଛୁଇଁବ ସେତେବେଳେ ଘଣ୍ଟାପ୍ରତି ୧୮୫ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ‘ଫୋନି’କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

ଏହାର ପ୍ରଭାବରେ ୨ ତାରିଖରୁ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ସହିତ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ବର୍ଷା ହେବ। ‘ଫୋନି’ ପାଇଁ ବିଭିନ୍ନ ଜିଲ୍ଲାରେ ଅରେଞ୍ଜ, ରେଡ୍‌ ଓ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୨ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ରାୟଗଡ଼ା ଓ କନ୍ଧମାଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ଏସବୁ ସ୍ଥାନରେ କୁଆ ପଥର ବର୍ଷାର ଆଶଙ୍କା ରହିଛି।

୩ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ରେର୍ଡ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ସେହିପରି ୩ ତାରିଖରେ ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ରେ ହଳଦିଆ ୱାର୍ଣ୍ଣିଂ ଜାରି କରାଯାଇଛି। ଏଠାରେ ପାଗ ମେଘୁଆ ରହିବା ସହ କାଁ ଭାଁ ବର୍ଷା ହୋଇପାରେ।

୪ ତାରିଖରେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଅର୍ଥାତ ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ସେହିପରି ୪ ତାରିଖରେ କଟକ, ଢେଙ୍କାନାଳ ଓ ଅନୁଗୁଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଠାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos