ଯାଜପୁର(ଜନ୍ମେଜୟ ଦାଶ): ମନରେ ଅସୁମାରୀ ଆଶା। ଆଖିରେ ଅନେକ ସ୍ୱପ୍ନ। ପାଠ ପଢ଼ିବି। ବଡ଼ ମଣିଷ ହେବି। ଦୃଢ଼ ଇଚ୍ଛାଶକ୍ତି ଓ ମନବଳ ଆଗରେ ହାର ମାନିଛି ୧୨ କିଲୋମିଟରରୁ ଅଧିକ ଜଙ୍ଗଲ ପାହାଡ଼ ଘେରା ଚଲା ରାସ୍ତା। ଖୁବ୍ କଷ୍ଟ ହେଉଛି। ହେଲେ ନିଶା ସ୍କୁଲରେ ପହଞ୍ଚିବି ପାଠପଢ଼ିବି। ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ କିଆଝର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଟୁଙ୍ଗେଇଶୁଣୀ ଗ୍ରାମର ଛାତ୍ରଛାତ୍ରୀମାନେ ପ୍ରତିଦିନ ପାଠପଢ଼ିବାକୁ ଏଭଳି ସଂଘର୍ଷ କରିବାକୁ ପଡ଼ୁଛି। ତାଙ୍କ ଗାଁ ପାଖରେ ହାଇସ୍କୁଲ ନ ଥିବାରୁ ସୁଦୂର ଟମକା ନିକଟସ୍ଥ ଜନପ୍ରିୟ ହାଇସ୍କୁଲରେ ସେମାନେ ପାଠ ପଢ଼ୁଛନ୍ତି। ସରକାର ଓ ସରକାରୀ ସହାୟତା ସେମାନଙ୍କ ନିକଟରେ ପହଞ୍ଚି ପାରିନି। ବିପଦସଙ୍କୁଳ ମାଟି ଘରେ ରହୁଛନ୍ତି। ଓଳିଏ ଖାଇଲେ, ଓଳିଏ ଉପାସ ରହୁଛନ୍ତି। ହେଲେ ଶିକ୍ଷକ ପଢ଼ାଇଥିବା `ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ' କଥାଟିକୁ ଭୁଲି ନାହାନ୍ତି। ତେଣୁ ଅଦମ୍ୟ ସାହାସ ଦେଖାଇ ପାଠପଢ଼ି ଚାଲିଛନ୍ତି।
ସୂଚନା ମୁତାବକ ଟୁଙ୍ଗେଇଶୁଣୀ ଗ୍ରାମର ଏକାଧିକ ଛାତ୍ରଛାତ୍ରୀ ୮ମ ଓ ୯ମ ଶ୍ରେଣୀରେ ପାଠପଢ଼ନ୍ତି। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମିଳୁଥିବା କୌଣସି ସରକାରୀ ସହାୟତା ସେମାନଙ୍କୁ ମିଳିନି। ପ୍ରତିଦିନ ସେମାନଙ୍କୁ ଜଙ୍ଗଲ ଓ ଘାଟି ରାସ୍ତା ପାର ହୋଇ ସ୍କୁଲକୁ ପାଠପଢ଼ିବାକୁ ଯିବାକୁ ପଡ଼ୁଛି। ବାଟରେ ଜଙ୍ଗଲ ଜନ୍ତୁଙ୍କ ସମେତ ଦୁର୍ବୃତ୍ତଙ୍କ ଆକ୍ରମଣର ଭୟ ରହିଛି। ପରିବାର ଲୋକେ ମଧ୍ୟ ଏକଲା ଏହି ଛାତ୍ରଛାତ୍ରୀଙ୍କୁ ଏତେବାଟ ପାଠପଢ଼ିବା ନିମନ୍ତେ ଛାଡ଼ିବାକୁ ଅରାଜି। ପାଠପଢ଼ୁଥିବା ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଏ ବାପା ଛେଉଣ୍ଡ ତ କିଏ ମାଆ ଛେଉଣ୍ଡ। କିଏ ମାମୁଁଙ୍କ ପାଖରେ ରହି ପଢୁଛି ତ କିଏ ଭାଇ-ଭାଉଜଙ୍କ ପାଖରେ ରହି ପଢ଼ୁଛି। ପାରିବାରିକ ଦୁଃସ୍ଥିତି ଯୋଗୁ ଏମାନେ ସାଇକେଲ ଖଣ୍ଡେ କିଣିବାକୁ ମଧ୍ୟ ଅସମର୍ଥ।
ଗାଁ ପାଖରେ ସ୍କୁଲ ନ ଥିବାରୁ ଅନେକ ପିଲା ପାଠପଢ଼ା ବନ୍ଦ କରିଦେଇଥିଲେ। ପାଠପଢ଼ା ଛାଡ଼ି ହାଣ୍ଡିଆ ବିକ୍ରି କରୁଥିଲେ। ଏହି ଘଟଣା କିଛି ସ୍ୱେଚ୍ଛାସେବୀଙ୍କ ନଜରରେ ପଡ଼ିଥିଲା। ପିଲାମାନଙ୍କର ପାଠ ପଢ଼ିବାକୁ ଇଚ୍ଛା ଥିବା ଜାଣି ସ୍ୱେଚ୍ଛାସେବୀ ମାନେ ଗାଁ ଠାରୁ ୧୨ କି.ମି. ଦୂର ଜନପ୍ରିୟ ଉଚ୍ଚ ବିଦ୍ୟାଳୟରେ ସେମାନଙ୍କ ନାମ ଲେଖାଇଥିଲେ। ଯେଉଁ କାମ ଶିକ୍ଷା ବିଭାଗ ଅଧିକାରୀମାନେ କରିବା କଥା ତାହା ସ୍ୱେଚ୍ଛାସେବୀ କରିଲେ। କାରଣ ସ୍କୁଲ ଛାଡ଼ୁଥିବା ପିଲାମାନଙ୍କ ବିଷୟରେ ସର୍ଭେ କରି ପୁନଃ ସ୍କୁଲ ଆଣି ପାଠପଢ଼ାଇବା ଶିକ୍ଷା ବିଭାଗ ଅଧିକାରୀମାନଙ୍କ ଦାୟିତ୍ୱ।
ତେବେ ବର୍ଷକ ୧୨ ମାସ ପ୍ରତିଦିନ ଏତେବାଟ ସ୍କୁଲ ଚାଲିଚାଲି ଯାଇ ପାଠପଢ଼ିବା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। ସେମାନେ ବିଭିନ୍ନ ରୋଗରେ ପଡ଼ୁଛନ୍ତି। ତେଣୁ ଅନେକ ଦିନ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି।
ଆଦିବାସୀ ଛାତ୍ରୀ ଦୁଲି ମୁର୍ମୁ କହିଛନ୍ତି, ପାଠପଢ଼ିବାକୁ ଖୁବ୍ ଇଚ୍ଛା ଅଛି। ପାଠପଢ଼ି ବଡ଼ ମଣିଷ ହେବା ଲକ୍ଷ୍ୟ ରହିଛି। ସରକାର ଯଦି ଟିକିଏ ସାହାଯ୍ୟ କରନ୍ତେ ତେବେ ଖୁବ୍ ଉପକାର ହୁଅନ୍ତା। ଚାଲିଚାଲି ସବୁଦିନ ସ୍କୁଲ ଯିବା କଷ୍ଟକର ହେଉଛି। ବେଳେବେଳେ ଲିଫ୍ଟ ମିଳିଲେ ଯିବା ସହଜ ହେଉଛି। ସକାଳ ୭ଟା ୩୦ରେ ଘରୁ ବାହାରିଲେ ଚାଲିଚାଲି ପୂର୍ବାହ୍ନ ୧୦.୩୦ରେ ସ୍କୁଲରେ ପହଞ୍ଚୁଛନ୍ତି। ଆଉ ୪ ଟାରେ ସ୍କୁଲ ଛୁଟି ହେଲେ ଘରେ ପହଞ୍ଚିବା ବେଳକୁ ସନ୍ଧ୍ୟା ୬ଟା ୩୦ ହୋଇଯାଉଛି। ଶୀତ ଓ ବର୍ଷା ଦିନେ ଯିବାଆସିବା ସବୁଠାରୁ ବେଶୀ ବିପଦ ରହିଥାଏ।
ଅଭିଭାବକ ବୈଶାଖୀ ମୁର୍ମୁଙ୍କ କହିବା କଥା, ପିଲାମାନେ ଘରକୁ ଫେରିବାରେ ବିଳମ୍ବ ହେଲେ ବ୍ୟସ୍ତ ଲାଗୁଛି। ଜଙ୍ଗଲ ଘାଟି ରାସ୍ତାରେ ପିଲାଙ୍କୁ ସ୍କୁଲ ଛାଡିବାକୁ ଡର ଲାଗୁଛି। ପିଲାମାନଙ୍କର ପାଠ ପଢିବାକୁ ଇଚ୍ଛା ଅଛି। ଆମ ପାଖରେ ତ ସାଇକେଲ ନାହିଁ କି ଗାଡି ବି ନାହିଁ। ତେଣୁ ସରକାର ସାହାଯ୍ୟ କରନ୍ତୁ।
ସ୍ୱେଚ୍ଛାସେବୀ ପାର୍ଥ ସାରଥୀ ନାୟକ କହିଛନ୍ତି, ଯଦି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଯାଇ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇପାରିଲେ, ତେବେ ଏହି ପିଲାମାନଙ୍କ ସ୍ୱପ୍ନ କାହିଁକି ପୂରଣ ନ ହୋଇପାରିବ। ସରକାର ଉଦ୍ଯୋଗ ରହିବା ଉଚିତ। ପଛୁଆ ଅଞ୍ଚଳ ଓ ଜନଜାତି ପିଲାଙ୍କ ବିକାଶ କଥା କହୁଥିବା ସରକାର ଓ ସରକାରୀ ବାବୁମାନେ ଚୁପ୍ ବସିିଯିବା ଉଚିତ୍ ନୁହେଁ।
ଯାଜପୁର ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି କହିଛନ୍ତି, ଏହି ଆଦିବାସୀ ପିଲାମାନଙ୍କ ନିମନ୍ତେ ସାଇକେଲ ପ୍ରଦାନ କରାଯିବ। ଜିଲ୍ଲା ମଙ୍ଗଳ ଅଧିକାରୀ ମଧ୍ୟ ପିଲାମାନଙ୍କୁ ହଷ୍ଟେଲ ରହଣି ସୁବିଧା ପ୍ରଦାନ ନିମନ୍ତେ ଚିଠି କରିସାରିଛନ୍ତି।
[caption id="attachment_754004" align="aligncenter" width="650"]
ଶିକ୍ଷା ଓ ସେମାନଙ୍କ ମୌଳିକ ଅଧିକାର ବିଷୟରେ ଜାଣି ନ ଥିବା ଛାତ୍ରୀଙ୍କ ଏଭଳି ଦୁଃଖଭରା କଣ୍ଠରେ କହିବା ସ୍ୱାଭାବିକ। ହେଲେ ପ୍ରତି ଆଦିବାସୀ ଛାତ୍ରୀଙ୍କୁ ସାଇକେଲ, ହଷ୍ଟେଲ ରହଣି ସୁବିଧା ସାଙ୍ଗକୁ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଗାଇ ଦେବା ଶିକ୍ଷା ଓ ସମାଜ ମଙ୍ଗଳ ବିଭାଗର ଦାୟିତ୍ୱ। ହେଲେ ଏଠାରେ କିଶୋରୀ ଛାତ୍ରୀମାନଙ୍କ ଦାୟିତ୍ୱ ନେବାକୁ କାହାରି ପ୍ରଚେଷ୍ଟା ନାହିଁ। ତେଣୁ ଦେଖିବାର କଥା ପ୍ରଶାସନ କେତେ ଶୀଘ୍ର ଏହି ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚୁଛି ଓ ସରକାରୀ ସମସ୍ତ ସହାୟତା ପ୍ରଦାନ କରୁଛି।