ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ତାତିଲେ ଆଦିବାସୀ। ସଭା କରିବାକୁ ଦେଲେନାହିଁ! ଆଉ ପ୍ରଶ୍ନ ପଚାରି ମନ୍ତ୍ରୀଙ୍କୁ ଘାଇଲା କଲେ। ରାଜ୍ୟ ସରକାର ଆଦିବାସୀଙ୍କ ସଂରକ୍ଷଣ କୋଟା କାହିଁକି କାଟିଲେ ବୋଲି ପ୍ରଶ୍ନ କଲେ? ଯାହାର ଉତ୍ତର ଦେଇପାରିଲେନି ମନ୍ତ୍ରୀ। ଯେଉଁଥିପାଇଁ ଆଜି ମନ୍ତ୍ରୀ ହଟହଟା ହୋଇଥିବା ଦେଖିବାକୁ ମିଳିଛି। ବିରୋଧ ବେଳେ ଆଦିବାସୀ ମହିଳା ଓ ମନ୍ତ୍ରୀଙ୍କ ସମର୍ଥକ ଭିତରେ ଧସ୍ତାଧସ୍ତି ହୋଇଥିବା ଅଭିଯୋଗ ହୋଇଛି।
ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ୩୧ ନମ୍ବର ଜୋନ୍ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ହେଉଛନ୍ତି ରିତାରାଣୀ ହାତୀ। ଆଜି ତାଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ ମନ୍ତ୍ରୀ ଟୁକୁନି ସାହୁ। ହେଲେ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ତାଙ୍କୁ ଜୋରଦାର ବିରୋଧ କରାଯାଇଥିଲା। ଆଉ ପଚରା ଯାଇଥିଲା ଅନେକ ପ୍ରଶ୍ନ। ଯାହାର ଉତ୍ତର ଦେଇପାରିନଥିଲେ ମନ୍ତ୍ରୀ। ଏହା ପରେ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଆଦିବାସୀମାନେ ଚେତାବନୀ ଦେଇଥିଲେ। ଯେଉଁଥିପାଇଁ ମନ୍ତ୍ରୀ ଓ ତାଙ୍କ ସମର୍ଥକ ହଟହଟା ହୋଇଥିଲେ। ଏହା ପରେ ମନ୍ତ୍ରୀ ଭୂସ୍କିମାଲ ଗାଁକୁ ଚାଲି ଯାଇଥିଲେ। ସେଠାରେ ମଧ୍ୟ ମନ୍ତ୍ରୀଙ୍କୁ ଆଦିବାସୀ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା।
ଭୂସ୍କିମାଲ ଗାଁରୁ ଫେରି ମନ୍ତ୍ରୀ ଓ ତାଙ୍କ ସମର୍ଥକମାନେ ଡୁମେରମୁଣ୍ଡାକୁ ଯାଇଥିଲେ। ସେଠାରେ ମନ୍ତ୍ରୀ ସଭାରେ ଭାଷଣ ଦେଉଥିଲେ। ଠିକ୍ ସେହି ସମୟରେ ସଂଘର କର୍ମକର୍ତ୍ତାମାନେ ଆସି ତୀବ୍ର ବିରୋଧ କରିଥିଲେ। କିଛି ବିଜେଡିର କର୍ମୀମାନେ ଆଦିବାସୀ ମହିଳାମାନଙ୍କ କଣ୍ଠରୋଧ କରିବା ପାଇଁ ଉଦ୍ୟମ କରିଥିଲେ। ଯାହାକୁ ନେଇ ଆଦିବାସୀ ମହିଳା ଓ ବିଜେଡି କର୍ମୀ ଏବଂ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ଘଟଣାକୁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ କଡା ନିନ୍ଦା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।