ସ୍କୁଲରୁ ଫେରୁଥିବା ବେଳେ ଡମ୍ଫର ଧକ୍କାରେ ଛାତ୍ରୀ ମୃତ

ରାଇରଙ୍ଗପୁର (ରାଜେଶ ଶର୍ମା): ସ୍କୁଲରୁ ଦୁଇ ସାଥୀଙ୍କ ସହ ପଡ଼ୋଶୀଙ୍କ ବାଇକ୍‌ରେ ଘରକୁ ଫେରୁଥିଲେ ଆରତୀ। ହେଲେ ରାସ୍ତାରେ ଧକ୍କା ଦେଲା ଏକ ଡମ୍ଫର। ଘରକୁ ଫେରିବା ପୂର୍ବରୁ ଚାଲିଗଲା ଆରତୀଙ୍କ ଜୀବନ। ତାଙ୍କ ସାଥୀ ଓ ପଡ଼ୋଶୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଘଟିଛି। ଧାଙ୍ଗଡ଼ିମୋତା ଗାଁର ଛେଡ଼ଗା ଭଦ୍ରା ଆଜି ୩ ଜଣ ଛୋଟ ଝିଅଙ୍କୁ ବାଇକ୍‌ରେ ବସାଇ ସରସ୍ୱତୀ ଶିଶୁ […]

truck-accident-badampahada-thana-aria

Manoranjan Sial
  • Published: Tuesday, 27 August 2019
  • , Updated: 27 August 2019, 04:39 PM IST

ରାଇରଙ୍ଗପୁର (ରାଜେଶ ଶର୍ମା): ସ୍କୁଲରୁ ଦୁଇ ସାଥୀଙ୍କ ସହ ପଡ଼ୋଶୀଙ୍କ ବାଇକ୍‌ରେ ଘରକୁ ଫେରୁଥିଲେ ଆରତୀ। ହେଲେ ରାସ୍ତାରେ ଧକ୍କା ଦେଲା ଏକ ଡମ୍ଫର। ଘରକୁ ଫେରିବା ପୂର୍ବରୁ ଚାଲିଗଲା ଆରତୀଙ୍କ ଜୀବନ। ତାଙ୍କ ସାଥୀ ଓ ପଡ଼ୋଶୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଘଟିଛି।

ଧାଙ୍ଗଡ଼ିମୋତା ଗାଁର ଛେଡ଼ଗା ଭଦ୍ରା ଆଜି ୩ ଜଣ ଛୋଟ ଝିଅଙ୍କୁ ବାଇକ୍‌ରେ ବସାଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ଘରକୁ ଫେରୁଥିଲେ। ତେବେ ବାଦାମପାହାଡ଼ ଲୁହା ଖଣି କାର୍ଯ୍ୟାଳୟ ସମ୍ମୁଖରେ ଏକ ଡମ୍ଫର ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୬ ବର୍ଷର ଝିଅ ଆରତୀ ଭଦ୍ରାଙ୍କ ମୃତ୍ୟୁ ଘଟିଥିଲା। ଛେଡ଼ଗା ଓ ତାଙ୍କ ବାଇକ୍‌ ପଛରେ ବସିଥିବା ୨ ଝିଅ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବାଦାମପାହାଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପ୍ରଘଟ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଡମ୍ଫର ଡ୍ରାଇଭର ଫଗୁ ହାଁସଦାଙ୍କୁ କାବୁ କରି ନିର୍ଧୁମ ଛେଚିଥିଲେ। ଏପରିକି ଲୁହାପଥର ଖଣି କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଥିଲେ। ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ବସି ରହିଛନ୍ତି। ବ୍ୟବଚ୍ଛେଦ ପାଇଁ ମୃତଦେହ ଉଠାଇବାକୁ ଦେଉନାହାନ୍ତି। ଘଟଣା ସ୍ଥଳରେ ରାଇରଙ୍ଗପୁର ଏସ୍‌ଡିପିଓ, ବାଦାମପାହାଡ଼ ତହସିଲଦାର ଓ ଆଇଆଇସି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ଅନ୍ୟପକ୍ଷରେ ଗୁରୁତର ଆହତ ହୋଇଥିବା ଡମ୍ଫର ଡ୍ରାଇଭର ଫଗୁଙ୍କୁ ଗୁରୁତର ଭାବେ ରାଇରଙ୍ଗପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Related story