ଦୁଇ ପ୍ରେମ ପକ୍ଷୀଙ୍କ ରହସ୍ୟ ଜନକ ମୃତ୍ୟୁ, ସମୁଦ୍ର କୂଳରୁ ମିଳିଲା ଗଳିତ ମୃତଦେହ

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଦୁଇ ପ୍ରେମପକ୍ଷୀ ପରସ୍ପରକୁ ବହୁ ଭଲ ପାଉଥିଲେ! ଜଣେ ଅନ୍ୟ ଜଣକୁ ନଦେଖିଲେ ରହିପାରୁନଥିଲେ! ଆଉ ସମୟ ପାଇଲେ ପରସ୍ପରକୁ ମନର କଥା କହୁଥିଲେ! ହେଲେ ଏହି ପ୍ରେମପକ୍ଷୀ କାହାକୁ କିଛି ନକହି ୪ ଦିନ ତଳେ ନିଖୋଜ ହୋଇଗଲେ। ଆଉ କାଲି ଅର୍ଥାତ ଶୁକ୍ରବାର ସେମାନଙ୍କ ଗଳିତ ମୃତଦେହ ସମୁଦ୍ର କୂଳରୁ ମିଳିଲା। ଦୁହିଁଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ଥିବାରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ପୂରା ଘଟଣାଟି […]

Kendrapara

Manoranjan Sial
  • Published: Saturday, 10 April 2021
  • , Updated: 10 April 2021, 04:25 PM IST

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଦୁଇ ପ୍ରେମପକ୍ଷୀ ପରସ୍ପରକୁ ବହୁ ଭଲ ପାଉଥିଲେ! ଜଣେ ଅନ୍ୟ ଜଣକୁ ନଦେଖିଲେ ରହିପାରୁନଥିଲେ! ଆଉ ସମୟ ପାଇଲେ ପରସ୍ପରକୁ ମନର କଥା କହୁଥିଲେ! ହେଲେ ଏହି ପ୍ରେମପକ୍ଷୀ କାହାକୁ କିଛି ନକହି ୪ ଦିନ ତଳେ ନିଖୋଜ ହୋଇଗଲେ। ଆଉ କାଲି ଅର୍ଥାତ ଶୁକ୍ରବାର ସେମାନଙ୍କ ଗଳିତ ମୃତଦେହ ସମୁଦ୍ର କୂଳରୁ ମିଳିଲା। ଦୁହିଁଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ଥିବାରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

ପୂରା ଘଟଣାଟି ଏମିତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଓସ୍ତା ଗାଁର ପ୍ରଶାନ୍ତ ପାତ୍ର। ସେ ଭୁବନେଶ୍ୱର ସ୍ଥିତ ରାଜଧାନୀ ମହାବିଦ୍ୟାଳୟର ଯୁକ୍ତ ଦୁଇ (କଳା) ଦ୍ୱିତୀୟ ବର୍ଷର ଛାତ୍ର। ଭୁବନେଶ୍ୱରରେ ରହି ପାଠ ପଢ଼ନ୍ତି। ମଝିରେ ମଝିରେ ଘରକୁ ଆସନ୍ତି। ପ୍ରଶାନ୍ତ ଯେତେବେଳେ ଘରକୁ ଆସନ୍ତି, ସେତେବେଳେ ଦେଖାହୁଏ ପୂର୍ଣ୍ଣିମା ମହାନ୍ତିଙ୍କ ସହିତ। ପୂର୍ଣ୍ଣିମାଙ୍କ ଘର ପଟ୍ଟାମୁଣ୍ଡାଇ ଚନ୍ଦନନଗରରେ ହୋଇଥିଲେ ମଧ୍ୟ ସେ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ପଢ଼ନ୍ତି। ନିୟମିତ ମାମୁ ଘର ଓସ୍ତା ଗାଁକୁ  ଆସନ୍ତି। ସେହିଠାରେ ଦୁହିଁଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ଆଲୋଚନା ହେଉଛି।

ଦୁଇ ପ୍ରେମପକ୍ଷୀ ନୂଆ ଜୀବନକୁ ନେଇ ମଶ‌ଗୁଲ ଥିଲା ବେଳେ ହଠାତ୍‌ ୪ ଦିନ ତଳେ ନିଖୋଜ ହୋଇଯାଇଥିଲେ। ଉଭୟଙ୍କ ପରିବାର ଲୋକେ ଚାରିଆଡ଼େ ଖୋଜି ଥିଲେ ମଧ୍ୟ ପାଇନଥିଲେ।

ପୁଅ ନିଖୋଜ ନେଇ ପ୍ରଶାନ୍ତ ପରିବାର ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିପରି ଝିଅ ନିଖୋଜ ନେଇ ପୂର୍ଣ୍ଣିମାଙ୍କ ପରିବାର ଲୋକେ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦୁଇ ଥାନାର ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ କୌଣସି ପତ୍ତା ପାଇନଥିଲା।

ଶୁକ୍ରବାର ବନ ବିଭାଗ ରାଜନଗର ପେଣ୍ଠ ସମୁଦ୍ର କୂଳରେ ପାଟ୍ରୋଲିଂ କରୁଥିବା ବେଳେ ଦୁଇଟି ମୃତଦେହ ପାଇଥିଲା। ଦୁଇ ମୃତଦେହରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ପରେ ବନ ବିଭାଗ ଏନେଇ ରାଜନଗର ଥାନାକୁ ଖବର ଦେଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ଅନ୍ୟପକ୍ଷରେ ସମୁଦ୍ର କୂଳରେ ଦୁଇଟି ମୃତଦେହ ପଡ଼ିଥିବା ଖବର ପାଇ ପ୍ରଶାନ୍ତ ଓ ପୂର୍ଣ୍ଣିମାଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ମୃତଦେହକୁ ଚିହ୍ନିଥିଲେ। ଏହା ପରେ ପୁଲିସ ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପ୍ରାଥମିକ ତଦନ୍ତରୁ ପ୍ରଶାନ୍ତ ଓ ପୂର୍ଣ୍ଣିମାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ କିଏ କାହିଁକି ହତ୍ୟା କଲା, ତାହା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

Related story