ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ବାତ୍ୟା ‘ୟାସ୍’ ପ୍ରଭାବରେ ଉତ୍ତର ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ‘ୟାସ’ ଯୋଗୁ ୨ଜଣଙ୍କର ମୃତ୍ୟୁ ହୋଇଥିବାର ପ୍ରାଥମିକ ସୂଚନା ମିଳିଥିବାବେଳେ ଏବେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର କରାଯାଉଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି।
ବାତ୍ୟା ‘ୟାସ’ ଉତ୍ତର ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ପରେ ଏବେ ତାହା ଝାଡ଼ଖଣ୍ଡ ଅଭିମୁଖେ ମୁହାଁଇଥିବାବେଳେ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ନେଇ ଏସଆରସି ଶ୍ରୀ ଜେନା କହିଛନ୍ତି ଯେ, ବାତ୍ୟା ‘ୟାସ’ରେ ୨ଜଣଙ୍କ ମୃତ୍ୟୁ ହୋଇଥିବାର ପ୍ରାକ୍ ରିପୋର୍ଟ ମିଳିଛି । ଗଛ ପଡ଼ି ବାଲେଶ୍ୱରରେ ଓ କେନ୍ଦୁଝର ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ଏବଂ ତା’ର ତଦନ୍ତ ଚାଲିଛି। ବାଲେଶ୍ୱର ଓ ଭଦ୍ରକରେ କ୍ଷୟକ୍ଷତି ଅଧିକ ହୋଇଛି। ଏବେ ସେଠାରେ ରାସ୍ତା ପଡ଼ି ରହିଥିବା ଗଛକୁ ସଫା କରିବା କାର୍ଯ୍ୟ ଆରମ୍ଭ ହୋଇଛି। ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଉଛି ।
ନୀଳଗିରି ଅଂଚଳରେ ବେଶୀ ଗଛ ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି। ଜୁଆର ଯୋଗୁ କେତେକ ଅଂଚଳରେ ପାଣି ମାଡ଼ିବାରୁ ବହୁତ ଗାଁ ଜଳମଗ୍ନ ହୋଇଛି। ବାତ୍ୟା ଉପକୂଳ ଅତିକ୍ରମ କରିବା ସମୟରେ ପବନର ଗତି ଘଣ୍ଟା ପ୍ରତି ୧୩୦ରୁ ୧୫୦କିମି ରହିଥିଲା । ପ୍ରାଥମିକ ରିପୋର୍ଟ ଅନୁସାରେ ବାତ୍ୟା ଯୋଗୁ ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଶେଷ କ୍ଷତି ହୋଇନି। ଏହି ୩ ଜିଲ୍ଲାରେ ବିଦ୍ୟୁତ ସେବା କାମ ଆରମ୍ଭ ହୋଇଛି। ବାତ୍ୟା ଯୋଗୁ କେଉଁଠି ବି ମୋବାଇଲ ସେବା ବ୍ୟାଘାତ ହୋଇନି ବୋଲି ଶ୍ରୀ ଜେନା କହିଛନ୍ତି। ଜିଲ୍ଲାଗୁଡ଼ିକରୁ ପ୍ରାଥମିକ ରିପୋର୍ଟ ମିଳିବାପରେ ପ୍ରକୃତରେ କେତେ କ’ଣ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଆଜି ବାତ୍ୟାର ପ୍ରଭାବ କମିବା ପରେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ରେଡକ୍ରସ ପକ୍ଷରୁ ରିଲିଫ କାର୍ଯ୍ୟରେ ପ୍ରାୟ ୩୨୦୦ ଲୋକଙ୍କୁ ସାମିଲ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକରେ ଆଜି ସନ୍ଧ୍ୟା ସୁଦ୍ଧା ରିଲିଫ ସାମଗ୍ରୀ ପହଂଚିଥିବାବେଳେ ରାସ୍ତା ସଫା ହୋଇଗଲେ ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ମଧ୍ୟ ରାତି ସୁଦ୍ଧା ରିଲିଫ ସାମଗ୍ରୀ ପଠାଯିବ। କେନ୍ଦ୍ରାପଡ଼ା ଜିଲ୍ଲାକୁ ଏବେ ୨୫୦୦ ପ୍ୟାକେଟ୍ ଶୁଖିଲା ଖାଦ୍ୟ ପଠାଯାଇଛି ବୋଲି ଇଣ୍ଡିଆନ ରେଡ୍କ୍ରସ ସୋସାଇଟିର ଓଡ଼ିଶା ଶାଖା ସମ୍ପାଦକ ସିଟିଏମ୍ ସୁଗୁଣା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।