ଆଳି (ବନମାଳି ସାହୁ): ଘରେ କେହିନଥିଲେ। ଏହି ସମୟରେ ଦୁଇ ସାଙ୍ଗ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପାଣି ଭିତରେ ଥିଲା ଯମ। ଦୁଇ ସାଙ୍ଗ ଗାଧୋଇବା ବେଳେ ସେମାନଙ୍କୁ ମାଡ଼ି ବସିଲା ଯମ। ଆଜି ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଘଟିଛି।
ରାଜନଗର କନ୍ଦୁରିଆ ଗାଁର ଅକ୍ଷୟ ସେଠୀଙ୍କ ଝିଅ ରୁପାରାଣୀ ମାମୁ ଘର ରାଜକନିକା ବ୍ଲକ ଗଜରାଜପୁର ଗାଁରେ ରହି ପାଠ ପଢ଼ୁଥିଲେ। ଏବେ ଗ୍ରୀଷ୍ମ ଅବକାଶ ଛୁଟି ଥିବାରୁ ଆଜି ରୁପା ସାଙ୍ଗ ଲିଜାରାଣୀ ମଲ୍ଲିକଙ୍କ ସହିତ ମିଶି ଘର ପଛ ପାର୍ଶ୍ୱ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ଦୁଇ ସାଙ୍ଗ ବୁଡ଼ି ଯାଇଥିଲେ। ଉଭୟଙ୍କ ପରିବାର ଲୋକେ ସେମାନଙ୍କୁ ଚାରିଆଡେ ଖୋଜିଥିଲେ ମଧ୍ୟ ପାଇନଥିଲେ। ପରେ ପୋଖରୀରେ ଖୋଜିବାରୁ ସେମାନଙ୍କ ମୃତଦେହ ମିଳିଥିଲା।