ଓଡ଼ିଶାରେ ନକ୍ସଲ ଛିଡ଼ୁଛି ନା ବଢ଼ୁଛି: ‘ସର୍ବାଧିକ ନକ୍ସଲ ପ୍ରଭାବିତ’ ତାଲିକାରେ ଆଉ ୨ ଜିଲ୍ଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନକ୍ସଲ ହିଂସା ଓ ସ୍ଥିତିକୁ ନେଇ ଏବେ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ଗତ ୨ବର୍ଷ ମଧ୍ୟରେ ୧୧ଟି ଜିଲ୍ଲାକୁ ନକ୍ସଲଙ୍କ ପ୍ରଭାବରୁ ମୁକ୍ତ କରାଯାଇଛି ବୋଲି ଗତବର୍ଷ ଜୁଲାଇ ମାସରେ ପୁଲିସ ଡିଜି ଅଭୟଙ୍କ ଦମ୍ଭୋକ୍ତିର ବର୍ଷେ ନପୁରୁଣୁ ଦେଶର ‘ସର୍ବାଧିକ ୨୫ ନକ୍ସଲ ପ୍ରଭାବିତ ଜିଲ୍ଲା’ ତାଲିକାରେ ଓଡ଼ିଶାର ଆଉ ୨ଟି ନୂଆ ଜିଲ୍ଲା କନ୍ଧମାଳ ଓ କଳାହାଣ୍ଡିକୁ ସାମିଲ କରାଯାଇଛି।ଏହାସହିତ କେନ୍ଦ୍ର ସରକାର କୋରାପୁଟକୁ ‘ଚିନ୍ତାଜନକ ଜିଲ୍ଲା’ […]

Maoists

Ordigital Desk
  • Published: Tuesday, 27 July 2021
  • , Updated: 27 July 2021, 09:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନକ୍ସଲ ହିଂସା ଓ ସ୍ଥିତିକୁ ନେଇ ଏବେ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ଗତ ୨ବର୍ଷ ମଧ୍ୟରେ ୧୧ଟି ଜିଲ୍ଲାକୁ ନକ୍ସଲଙ୍କ ପ୍ରଭାବରୁ ମୁକ୍ତ କରାଯାଇଛି ବୋଲି ଗତବର୍ଷ ଜୁଲାଇ ମାସରେ ପୁଲିସ ଡିଜି ଅଭୟଙ୍କ ଦମ୍ଭୋକ୍ତିର ବର୍ଷେ ନପୁରୁଣୁ ଦେଶର ‘ସର୍ବାଧିକ ୨୫ ନକ୍ସଲ ପ୍ରଭାବିତ ଜିଲ୍ଲା’ ତାଲିକାରେ ଓଡ଼ିଶାର ଆଉ ୨ଟି ନୂଆ ଜିଲ୍ଲା କନ୍ଧମାଳ ଓ କଳାହାଣ୍ଡିକୁ ସାମିଲ କରାଯାଇଛି।ଏହାସହିତ କେନ୍ଦ୍ର ସରକାର କୋରାପୁଟକୁ ‘ଚିନ୍ତାଜନକ ଜିଲ୍ଲା’ ବର୍ଗ(ନୂଆ କାଟାଗୋରି)ରେ ସାମିଲ କରିଛନ୍ତି। ରାଜ୍ୟ ସରକାରଙ୍କ ସହ ବିଚାରବିମର୍ଶ ପରେ କେନ୍ଦ୍ର ସରକାର ଏହି ବର୍ଗୀକରଣ କରିଥିବା ରାଜ୍ୟ ଗୃହ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ରାଜ୍ୟ ଗୃହ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୨୦୧୫ ମସିହାରେ ଦେଶର ସର୍ବାଧିକ ନକ୍ସଲ ପ୍ରଭାବିତ ୩୫ଟି ଜିଲ୍ଲାକୁ ଚିହ୍ନଟ କରାଯାଇଥିଲା। ଯେଉଁଥିରେ ଓଡ଼ିଶାର ୨ଟି ଜିଲ୍ଲା ମାଲକାନଗିରି ଓ କୋରାପୁଟ ରହିଥିଲା । ୨୦୧୮ ମସିହାରେ ଏହି ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକର ସ୍ଥିତି ସମୀକ୍ଷା କରି କେନ୍ଦ୍ର ସରକାର ଜିଲ୍ଲା ସଂଖ୍ୟାକୁ ୩୫ରୁ ୩୦କୁ ହ୍ରାସ କରିଥିଲେ ମଧ୍ୟ ଓଡ଼ିଶାର ଏହି ୨ଜିଲ୍ଲା ରହିଥିଲା । ମାତ୍ର ନିକଟରେ ହୋଇଥିବା ସମୀକ୍ଷାରେ ଦେଶର ସର୍ବାଧିକ ୨୫ଟି ନକ୍ସଲ ପ୍ରଭାବିତ ଜିଲ୍ଲା ତାଲିକାରେ ଓଡ଼ିଶାର ୩ଟି ଜିଲ୍ଲା ଯଥା ମାଲକାନଗିରି, କଳାହାଣ୍ଡି ଓ କନ୍ଧମାଳକୁ ରଖାଯାଇଛି। ସମଗ୍ର ଦେଶରେ ହେଉଥିବା ମୋଟ ନକ୍ସଲ ହିଂସାର ୮୫% ହିଂସା ହିଁ ଏସବୁ ଜିଲ୍ଲାରେ ହୋଇଥାଏ।  ଦେଶରେ ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ହ୍ରାସ ପାଉଥିବାବେଳେ ଓଡ଼ିଶାରେ ଏହି ଜିଲ୍ଲା ସଂଖ୍ୟା ବୃଦ୍ଧି ପାଇବା ଉଦବେଗର କାରଣ ହୋଇଛି। ତେବେ ଲୋକଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ସେବାର ଅଭାବକୁ ପୂରଣ କରିବା ଦିଗରେ ଏହି ଯୋଜନାରେ ଗୁରୁତ୍ୱ ଦିଆଯାଇଥାଏ ଓ କେନ୍ଦ୍ର ସରକାର ପାଣ୍ଠି ଯୋଗାଇ ଦେଇଥାନ୍ତି। କୋରାପୁଟ ଜିଲ୍ଲାକୁ ‘ଚିନ୍ତାଜନକ ଜିଲ୍ଲା’ ବର୍ଗରେ ରଖାଯାଇ ସେଠାରେ  ନକ୍ସଲମାନେ ଯେଭଳି ପୁନଃସଂଗଠିତ ନହେବେ ଓ ଯେତିକି ଅଂଚଳରେ ରହିଛନ୍ତି ସେମାନଙ୍କୁ ଆଉ ଅଧିକ ଅଂଚଳରେ ବ୍ୟାପିବା ପାଇଁ ନଦିଆଯିବ ସେଥିନିମନ୍ତେ କୋରାପୁଟ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକୁ ବ୍ୟାପକ ଭାବେ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

ସେହିପରି ଏସଆରଇ(ନିରାପତ୍ତା ସଂକ୍ରାନ୍ତ ବ୍ୟୟ) ଜିଲ୍ଲା ଭାବେ ଓଡ଼ିଶାର ୧୫ଟି ଜିଲ୍ଲା ଥିବାବେଳେ ୨୦୨୧ ଜୁଲାଇ ୧ରୁ ଏହା ରାଜ୍ୟର ୧୦ଟି ଜିଲ୍ଲା ମଧ୍ୟରେ ସୀମିତ ରହିବ।  କେନ୍ଦ୍ର ସରକାର ସମସ୍ତ ନକ୍ସଲ ପ୍ରଭାବିତ ରାଜ୍ୟକୁ ‘ପୁଲିସ ଆଧୁନିକୀକରଣ’ ଯୋଜନାରେ ୨ଟି ଉପଯୋଜନା ଭାବେ ‘ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲା’ ଓ ‘ଏସଆରଇ’ ଯୋଜନାକୁ କାର୍ଯ୍ୟକାରୀ କରି କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। ୨୦୨୦ ମସିହାରେ ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ କୌଣସି ନକ୍ସଲ ହିଂସା ହୋଇନଥିଲେ ମଧ୍ୟ ଏହି ଦୁଇ ଜିଲ୍ଲା ଦେଶର ୭୦ଟି ‘ଏସଆରଇ ଜିଲ୍ଲା’ ତାଲିକାରେ ରହିଛନ୍ତି। ଓଡ଼ିଶାର ବରଗଡ଼, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ଏହି ଏସଆରଇ ଜିଲ୍ଲା ତାଲିକାରେ ରଖାଯାଇଛି, ଯାହାକି ଚଳିତ ଜୁଲାଇ ମାସ ୧ରୁ ବଳବତ୍ତର ରହିଛି। ଏହି ଯୋଜନାରେ କେନ୍ଦ୍ର ସରକାର ସୁରକ୍ଷା କର୍ମୀଙ୍କ ପ୍ରଶିକ୍ଷଣ ଓ ଅପରେସନ୍ ପାଇଁ ଉଦ୍ଦିଷ୍ଟ ଅର୍ଥ ସମେତ ନକ୍ସଲ ହିଂସାରେ ମୃତ ସୁରକ୍ଷାକର୍ମୀ ଅବା ସାଧାରଣ ଲୋକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା, ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ କ୍ଷତିପୂରଣ,  ଜିଲ୍ଲାରେ ସୁରକ୍ଷା ସଂକ୍ରାନ୍ତ ଭିତ୍ତିଭୂମି ସୃଷ୍ଟି ଓ ବିଭିନ୍ନ ଯୋଜନାରେ ଏହି ଜିଲ୍ଲାଗୁଡ଼ିକୁ ଅଧିକ ଅର୍ଥ ପ୍ରଦାନ କରିଥାନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ୨୦୧୮,୨୦୧୯,୨୦୨୦ ମସିହାରେ ଓଡ଼ିଶାରେ ଯଥାକ୍ରମେ ୭୫,୪୫ ଓ ୫୦ଟି ନକ୍ସଲ ହିଂସା ହୋଇଛି ଓ ସେଥିରେ ଯଥାକ୍ରମେ ୧୨,୧୧ ଓ ୯ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଆଜି ଲୋକସଭାରେ ଶ୍ରୀ ରାଏ କହିଛନ୍ତି ଯେ, ଓଡ଼ିଶା ସରକାର ନକ୍ସଲ ପ୍ରଭାବିତ ଜିଲ୍ଲାରେ ଦୁଇ ବାଟାଲିୟନ କେନ୍ଦ୍ରୀୟ ଫୋର୍ସ ମୁତୟନ ନିମନ୍ତେ ଅନୁରୋଧ କରିଥିଲେ। ତେବେ ଓଡ଼ିଶାରେ ନକ୍ସଲ ମୁକାବିଲା ପାଇଁ ବହୁ ସଂଖ୍ୟକ କେନ୍ଦ୍ରୀୟ ଫୋର୍ସ ବାଟାଲିୟନ ମୁତୟନ ଅଛନ୍ତି। ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକରେ କେନ୍ଦ୍ରୀୟ ଫୋର୍ସ ମୁତୟନ ଏକ ଡାଇନୋମିକ ପ୍ରୋସେସ୍ ଯାହାକି ପରିସ୍ଥିତି, ଫୋର୍ସ ଉପଲବ୍ଧତା ଓ ବାସ୍ତବିକ ସ୍ଥିତିକୁ ଦୃଷ୍ଟିରେ ରଖି କରାଯାଇଥାଏ।

ଏବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ନକ୍ସଲ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ପୁଲିସଠୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମସ୍ତେ ଦମ୍ଭୋକ୍ତି ବାଢ଼ୁଥିବାବେଳେ ‘ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲା’ ତାଲିକାରେ ୨୦୨୧ରେ ଆଉ ୨ଟି ଜିଲ୍ଲା କନ୍ଧମାଳ ଓ କଳାହାଣ୍ଡିକୁ ସାମିଲ କରାଯିବା କ’ଣ ରାଜ୍ୟରେ ସୁରକ୍ଷାର ସ୍ଥିତି ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ କି? ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର ୨୦୧୯ ମସିହାରୁ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ହେବାପରେ ହିଁ ତାଙ୍କ ଜିଲ୍ଲାକୁ କେନ୍ଦ୍ର ସରକାର ‘ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲା’ ବର୍ଗରେ ସାମିଲ କରିବା ଉଭୟ ସରକାର ଓ ଗୃହ ମନ୍ତ୍ରୀଙ୍କ ପାରିବାପଣିଆ ଓ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related story