ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ମୁକୁଳା ଡ୍ରେନ୍ ନେଉଛି ଗୋଟିଏ ପରେ ଗୋଟିଏ ଜୀବନ। ଅସରାଏ ବର୍ଷାରେ ଉବୁଟୁବୁ ସ୍ମାର୍ଟ ସିଟିର ଅନେକ ସ୍ଥାନରେ ଡ୍ରେନ୍ ଉପରେ ସ୍ଲାବ୍ ନଥିବାରୁ ପ୍ରତି ବର୍ଷ ଘଟୁଛି ଅଘଟଣ। କେଉଁଠି ଶିଶୁ ତ କେଉଁଠି ବୃଦ୍ଧ ବୃଦ୍ଧାଙ୍କୁ ଭସାଇ ନେଇଛି ବର୍ଷା ପାଣିର ସୁଅ। ଗତକାଲି ନୟାପଲ୍ଲୀ ଏକାମ୍ର ଭିଲ୍ଲା ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ବିଏମ୍ସିର ପାରିବାପଣିଆ ଉପରେ ପୁଣି ପ୍ରଶ୍ନଚିହ୍ନ ଲାଗିଛି। ଦେଖିବାକୁ ଗଲେ ଗତ ୫ ବର୍ଷରେ ଡ୍ରେନ୍ ନେଲାଣି ୫ ଜୀବନ।
ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷା ପରେ ଭାସୁଛି ରାଜଧାନୀ। ରାସ୍ତାରେ ଜମା ହେଉଛି ପାଣି। ରାସ୍ତାର ଭ୍ରମ ସୃଷ୍ଟି କରୁଛି ଡ୍ରେନ୍। ଅନ୍ୟପକ୍ଷରେ ଡ୍ରେନ୍ ଉପରେ ସ୍ଲାବ୍ ପଡ଼ି ନଥିବାରୁ ଏହା ପଥଚାରୀଙ୍କ ପାଇଁ ମରଣ ଯନ୍ତା ପାଲଟିଛି। ଗତକାଲି ବର୍ଷା ପରେ ନୟାପଲ୍ଲୀ ଏକାମ୍ର ଭିଲ୍ଲା ଅଞ୍ଚଳରେ ଡ୍ରେନ୍ରେ ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।
ରାଜଧାନୀରେ ବିପର୍ଯ୍ୟସ୍ତ ଡ୍ରେନେଜ୍ ଓ ଜଳ ନିଷ୍କାସନ ବ୍ୟବସ୍ଥାରେ ସୁଧାର ଲାଗି କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଜାର କୋଟିର ପ୍ୟାକେଜ୍ ଘୋଷଣା କରିଥିଲେ। ତେବେ ସରକାରଙ୍କ ହାଇ ବଜେଟ୍ ଓ ବିଏମ୍ସିର ବିସ୍ତୁତ ଯୋଜନା ପରେ ମଧ୍ୟ ପୁଣି ଡ୍ରେନ୍ରେ ଜୀବନ ଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରାଜଧାନୀବାସୀ।