ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ‘ପରଧନରେ ଗୁରୁବାର’ ନୀତି ଆପଣାଇଛି ବିଜେଡି। ଯୁବ,ମହିଳା ଓ ଚାଷୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀ କାର୍ଯ୍ୟକ୍ରମ ଆଳରେ ଏବେ ବିଜେଡି ନିଜର ନିର୍ବାଚନୀ ପ୍ରଚାରରେ ରାଜକୋଷର କୋଟିକୋଟି ଟଙ୍କା ବ୍ୟୟ କରିବାରେ ଲାଗିଛି। ମିଶନ ଶକ୍ତି ଯୋଜନାରେ ମହିଳା ସମାବେଶ, କାଳିଆ ଯୋଜନାରେ ଚାଷୀ ସମାବେଶ, ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମରେ ଯୁବ ଓ ଛାତ୍ର ସମାବେଶ କରି ବିଜେଡି ଏବେ ରାଜ୍ୟ ରାଜକୋଷ ଉପରେ ଚାପ ପକାଇବାରେ ଲାଗିଛି ବୋଲି ଏକ ଧାରଣା ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଗତକାଲି ୨୫ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନାର ଶୁଭାରମ୍ଭ ପୁରୀର ମାଳତୀପାଟପୁରରୁ କରିଥିଲେ। ଏହି ସମାବେଶରେ ସରକାରୀ ଖର୍ଚ୍ଚରେ ପ୍ରାୟ ୧ଲକ୍ଷ ଚାଷୀ(ବିଜେଡି ସମର୍ଥିତ)ଙ୍କୁ ଏକଜୁଟ କରିବାର ଦାୟିତ୍ୱ ବିଜେଡି ନେତା ଓ ବିଧାୟକମାନଙ୍କୁ ଦିଆଯାଇଥିଲା। ପ୍ରତ୍ୟେକ ବ୍ଲକରୁ ୨୦୦ ଚାଷୀଙ୍କୁ ଅଣାଯାଇଥିବାବେଳେ ପୁରୀ, କଟକ,ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଅଧିକ ସଂଖ୍ୟାରେ ଚାଷୀଙ୍କୁ ସମାବେଶ ସ୍ଥଳକୁ ବୁହାଯାଇଥିଲା।
ତେବେ ଭୁବନେଶ୍ୱରରୁ ପୁରୀ ଯିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସଡ଼କ ମାର୍ଗ ପରିବର୍ତ୍ତେ ଆକାଶ ମାର୍ଗରେ ଯାଇଥିଲେ। ଭୁବନେଶ୍ୱରରୁ ପୁରୀ ସଡ଼କ ମାର୍ଗରେ ଯାଇଥିଲେ ରାଜକୋଷ ଅର୍ଥ ସଞ୍ଚୟ ହୋଇପାରିଥାନ୍ତା ଓ ତାହା କୌଣସି ଗରିବ ଚାଷୀର କାମରେ ଲାଗିପାରିଥାନ୍ତା। ମାତ୍ର ବିଭିନ୍ନ ସମୟରେ ସଡ଼କ ପଥରେ ଯାଉଥିବା ମୁଖ୍ୟମନ୍ତ୍ରୀ ଅଚାନକ ଗରିବ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥରୁ ‘ବିମାନ ଉଡ଼ାଣ’ କରିବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।
ସେହିପରି ପୁରୀ ଚାଷୀ ସମାବେଶରେ ସାମିଲ ହୋଇଥିବା ପ୍ରତ୍ୟେକ ତଥାକଥିତ ଚାଷୀ (ଦଳୀୟ କର୍ମୀ)ଙ୍କୁ ୪୦୦ରୁ ୫୦୦ଟଙ୍କା ଦିଆଯାଇଛି। ଏହି ଦୃଷ୍ଟିରୁ ଦେଖିଲେ ପ୍ରାୟ ୪ରୁ ୫କୋଟି ଟଙ୍କା ଦଳୀୟ କର୍ମୀଙ୍କୁ ଦିନକର ପାରିଶ୍ରମିକ ଆକାରରେ ଦିଆଯାଇଛି। ସମାବେଶ ସ୍ଥଳକୁ ଚାଷୀ(କର୍ମୀ)ଙ୍କୁ ଅଣାଯିବା ପାଇଁ ବସ ଓ ଗାଡ଼ିର ବ୍ୟବସ୍ଥା ସହ ଟିଫିନ, ଡ୍ରେସ ଓ ଟୋପିର ବ୍ୟବସ୍ଥା ଅଲଗା ଭାବେ କରାଯାଇଥିବା ଜଣାପଡ଼ିଛି। ତେଣୁ ସରକାରୀ ଚାଷୀ ସମାବେଶ ଆଳରେ ବିଜେଡି ନିଜର ନିର୍ବାଚନୀ ସଭା କରି ରାଜକୋଷରୁ ଅଯଥା କୋଟି କୋଟି ଟଙ୍କା ଲୁଟ କରୁଥିବାର ଧାରଣା କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି।