ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଏକବିଂଶ ଶତାବ୍ଦୀରେ ନିଜର ସର୍ବଶ୍ରେଷ୍ଠ ସାମୁଦ୍ରିକ ଅର୍ଥନୀତି ସହ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବ। ଏହାଦ୍ୱାରା ରାଜ୍ୟରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ। ବୁଧବାର ମାରିଟାଇମ ଇଣ୍ଡିଆ ଶିଖର ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନରେ ‘ଓଡ଼ିଶାରେ ପୁଞ୍ଜିନିବେଶ’ ଶୀର୍ଷକ ଭର୍ଚୁଆଲ ଆଲୋଚନାରେ ସାମିଲ ହୋଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, “ହଜାର ହଜାର ବର୍ଷ ପୂର୍ବରୁ ଓଡ଼ିଶାର ସାଧବ ପୁଅମାନେ ସମୁଦ୍ର ପଥରେ ବିଶ୍ୱର ବିଭିନ୍ନ ଅଂଚଳକୁ ଯାଇ ବାଣିଜ୍ୟ ବ୍ୟବସାୟ କରି ରାଜ୍ୟର ଗୌରବ ବଢାଇଥିଲେ। ସେହି ସମୟରେ କଳିଙ୍ଗ ଓ ଉତ୍କଳ ଭଳି ସଭ୍ୟତା ଉଦାହରଣ ସୃଷ୍ଟି କରିଥିଲା। ତେବେ ବର୍ତ୍ତମାନ ସମୟରେ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ଆମେ ଉପସ୍ଥିତ ହୋଇଥିବା ବେଳେ ଭାରତକୁ ୫ ଟ୍ରିଲିୟନ୍ ଅର୍ଥନୀତିରେ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ’ର ଆହ୍ୱାନ ଦେଇଛନ୍ତି। ତେବେ ଆତ୍ମନିର୍ଭର ଭାରତ କେବଳ ଏକ ଚିନ୍ତାଧାରା ନୁହେଁ, ବରଂ ଓଡ଼ିଶା ତଥା ଭାରତକୁ ପ୍ରଗତିର ପଥରେ ନେବା ପାଇଁ ସୁଚିନ୍ତିତ ଯୋଜନା।”
ସେ ଆହୁରି କହିଛନ୍ତି-“ଏକବିଂଶ ଶତାବ୍ଦୀରେ ସମୁଦ୍ର ପଥ ବିଶାଳ ନେଟୱାର୍କ ହୋଇଛି। ଓଡ଼ିଶାରେ ବନ୍ଦରଭିତ୍ତିକ ଅର୍ଥନୀତି କରିବା ଦିଗରେ ପାରାଦୀପ, ଧାମରା, ଗୋପାଳପୁର, ଅସ୍ତରଙ୍ଗ, ସୁବର୍ଣ୍ଣରେଖା ବନ୍ଦରକୁ ବିକଶିତ କରାଯାଉଛି। ଏହି ହିସାବରେ ଓଡ଼ିଶାରେ ଶିଳ୍ପଭିତ୍ତିକ ବନ୍ଦର ଅର୍ଥନୀତି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ରାଜ୍ୟରେ ଥିବା ୫ଟି ବନ୍ଦରରୁ ୨୫ ପର୍ଯ୍ୟନ୍ତ ବନ୍ଦର ବଢ଼ାଯିବା ପାଇଁ ପ୍ରଚେଷ୍ଟା କରିବା ଦରକାର। କେନ୍ଦ୍ର ସରକାର ଚଳିତ ବଜେଟରେ ମେରିଟାଇମ୍ ଇକୋନୋମୀକୁ ଗୁରୁତ୍ୱାରପ କରିବା ସହ ପାରାଦୀପରେ ମାଛବନ୍ଦର ପ୍ରତିଷ୍ଠା ହେବା ନେଇ ବଜେଟରେ ଘୋଷଣା ହୋଇଛି। ଅପରପକ୍ଷରେ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ସମନ୍ୱୟରେ ଓଡ଼ିଶାରେ ରେଳ, ସଡ଼କପଥ, ଜଳପଥ, ବିମାନପଥକୁ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ମହାନଦୀରେ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ଉପରେ ପ୍ରାଥମିକତା ମଧ୍ୟ ସରକାରଙ୍କ ପ୍ରାଥମିକତାରେ ରହିଛି।”
ଶ୍ରୀ ପ୍ରଧାନ କହିଛନ୍ତି-“ରାଜ୍ୟରେ ପେଟ୍ରୋଲିୟମ ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ସହ ଗ୍ୟାସ ଗ୍ରୀଡ୍ରେ ଅଧିକ ପୁଞ୍ଜିନିବେଶ ପାଇଁ ଯୋଜନା କରାଯାଉଛି। ଏହା ଦ୍ୱାରା ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ସହ ରୋଜଗାର ସୃଷ୍ଟି ହେବ। ପ୍ରଧାନମନ୍ତ୍ରୀଙ୍କ ଏହି ଆତ୍ମନିର୍ଭର ଭାରତର ଅଭିଯାନ ଏବଂ ଦେଶକୁ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ କରିବା ପାଇଁ ଓଡ଼ିଶା ମଧ୍ୟ ନିଜକୁ ପ୍ରସ୍ତୁତ କରିବା ସହ ବିଭିନ୍ନ ରୋଡ୍ମ୍ୟାପ୍ ତିଆରି କରିବା ଦରକାର।”
ସେ କହିଛନ୍ତି-“ଗୋଟିଏ ପକ୍ଷରେ ଯାଜପୁର କଳିଙ୍ଗନଗରକୁ ଇସ୍ପାତର ପେଣ୍ଠସ୍ଥଳି କରିବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ସମନ୍ୱୟରେ ଓଡ଼ିଶାରେ ସର୍ବବୃହତ୍ ଇସ୍ପାତ୍ କାରଖାନା ପ୍ରତିଷ୍ଠା ହେବା ପାଇଁ ଯୋଜନା କରାଯାଉଛି। ଅରପକ୍ଷରେ ପ୍ରଧାନମନ୍ତ୍ରୀ ନିଜର ‘ପୂର୍ବୋଦୟ ମିଶନ’ରେ ପୂର୍ବ ଭାରତର ଅଭିବୃଦ୍ଧି ନିମନ୍ତେ ନିରନ୍ତର ପରିଶ୍ରମ କରୁଥିବା ବେଳେ ପାରାଦୀପ ମଧ୍ୟ ଉର୍ଜା କ୍ଷେତ୍ରରେ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବା ପାଇଁ ଯାଉଛି। ଓଡ଼ିଶାରେ ନିର୍ମାଣ ହେବାକୁ ଥିବା ପୁଞ୍ଜିନିବେଶରେ ହେବାକୁ ଥିବା ପାରାଦୀପ-ବଡବିଲ ମଧ୍ୟରେ ଅର୍ଥନୈତିକ କୋରଡିର, କୋଷ୍ଟାଲ ହାଇେୱ, ପାରାଦୀପରେ ୱେଷ୍ଟର୍ଣ୍ଣ ଡକର ନିର୍ମାଣ, ପରାଦୀପ-ହରିଦାସପୁର ରେଳ ଲାଇନ ପାରାଦୀପ ସମେତ ବିଭିନ୍ନ ବନ୍ଦରଭିତିକ ଅର୍ଥନୀତିକୁ ମଜବୁତ କରିବାରେ ସହାଯ୍ୟ କରିବ।”
ଶ୍ରୀ ପ୍ରଧାନ କହିଛନ୍ତି-“ସରକାର ୱେଲଥ୍ କ୍ରିଏସନ ପାଇଁ ନୁହେଁ ଶିଳ୍ପାୟନ ନିମନ୍ତେ ବଂର ସୁବିଧା, ସୁଯୋଗ, ଭିତିଭୂମି, ନୀତି, ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ ମତ ଦେଇଛନ୍ତି। ଓଡ଼ିଶାର ସୁଦୀର୍ଘ ବେଳାଭୂମି ମଧ୍ୟ କେବଳ ଓଡ଼ିଶା ନୁହଁ ବରଂ ପୂର୍ବ ଭାରତକୁ ପ୍ରଗତିର ପଥରେ ଆଗେଇ ନେବାରେ ପେଣ୍ଠସ୍ଥଳି ହେବ। ଅଧିକ ନିଯୁକ୍ତି ସୁଯୋଗ ଏବଂ ବ୍ୟବସାୟିକ ପ୍ରକ୍ରିୟା ଅର୍ଥନୀତିକୁ ସଶକ୍ତ କରିବ। ଏତବ୍ୟତୀତ ରାଜ୍ୟରେ ପାଇପଲାଇନ୍ ଭିତିଭୂମିକୁ
କାର୍ଯ୍ୟକାରୀ କରାଯିବା ସହ ଏଲ୍ଏନ୍ଜି ଧାମରା କାର୍ଯ୍ୟକାରୀ ହେବ। ରେଳ, ସଡ଼କପଥ, ଗ୍ୟାସ ଗ୍ରୀଡି, ସିଟି ଗ୍ୟାସ ନେଟୱାର୍କରେ ବହୁତ ପୁଞ୍ଜିନିବେଶ ହେବ। ଓଡ଼ିଶାର ସୁଦୀର୍ଘ ବେଳାଭୂମି ମଧ୍ୟ ରାଜ୍ୟର ବିକାଶରେ ଗେମ-ଚେଞ୍ଜର ହେବ।”