ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଓଡିଶାରେ ହକି ବିଶ୍ୱକପ ଚାଲୁଥିବା ବେଳେ ଓଡିଶାର ହକି ଖେଳାଳିମାନଙ୍କ ସମ୍ପର୍କରେ ଲିଖିତ ପୁସ୍ତକ 'ହକି ହି ଜିନ୍ଦେଗୀ' ପୁସ୍ତକକୁ ଲୋକାର୍ପିଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ସତ୍ୟପାଲ ସିଂହଙ୍କ ଏକ ବର୍ଷ ବ୍ୟାପୀ ପରିଶ୍ରମ ଆଧାରରେ ଲେଖା ଯାଇଥିବା ଏହି ପୁସ୍ତକକୁ ନ୍ୟାସନାଲ ୟୁଥ କୋଅପରେଟିଭ ତରଫରୁ ପ୍ରକାଶିତ କରାଯାଇଛି।
ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ, ବିଶ୍ୱ ଦରବାରରେ ଓଡିଆ ଖେଳାଳି ମାନଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି। ସେମାନଙ୍କ ଉଦ୍ୟମ ଓ ପରାକାଷ୍ଠା ବଳରେ ସେମାନେ ଓଡିଶା ଓ ସାରା ଦେଶପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଗୋଟିଏ ପଟେ ହକି ବିଶ୍ୱକପ ଓଡ଼ିଶାରେ ହେଉଥିବା ସମୟରେ 'ହକି ହି ଜିନ୍ଦେଗୀ' ଭଳି ପୁସ୍ତକ ଓଡିଶାରେ ଲୋକାର୍ପଣ ହେବା ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା। ତେବେ ଏହି ପୁସ୍ତକର ଓଡ଼ିଆ ଓ ଇଂରାଜୀ ସଂସ୍କରଣ ପ୍ରକାଶ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।
ଭାରତୀୟ ହକି ଦଳର ଅନ୍ୟାନ୍ୟ ସଦସ୍ୟ ସହ ଉପସ୍ଥିତ ଥିବା ଅଧିନାୟକ ମନପ୍ରୀତ୍ ସିଂହଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣିଥିବା ଓ ପଞ୍ଜାବର ଜଣେ ଚାଷୀଙ୍କ ପୁଅ ହୋଇ ମଧ୍ୟ ସେ ଭାରତୀୟ ଦଳର ନେତୃତ୍ୱ ନେଇଥିବା ଗର୍ବର ବିଷୟ ବୋଲି କହିଥିଲେ। ହକି ବିଶ୍ୱକପରେ ହକି ଦଳର କ୍ରୀଡା ପ୍ରଦର୍ଶନ ଉଚ୍ଚମାନର ବୋଲି କହିବା ସହ ଆଗାମୀ ବିଶ୍ୱକପର ଅଧିକାରୀ ଭାରତୀୟ ଦଳ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥିଲେ।