ମହେନ୍ଦ୍ରଗିରିର ବିକାଶରେ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ୍‌ ଅଧୀନରେ ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟକୁ ସହଯୋଗ କରିବା ସହ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଏଥିପାଇଁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେବାକୁ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି-“ପୂର୍ବରୁ ସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧୀନରେ ମହେନ୍ଦ୍ରଗିରିର ବିକାଶ ପାଇଁ ପ୍ରସ୍ତାବ […]

naveen-and-dharmendra

Manoranjan Sial
  • Published: Saturday, 05 September 2020
  • , Updated: 05 September 2020, 06:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ୍‌ ଅଧୀନରେ ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟକୁ ସହଯୋଗ କରିବା ସହ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଏଥିପାଇଁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେବାକୁ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି-“ପୂର୍ବରୁ ସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧୀନରେ ମହେନ୍ଦ୍ରଗିରିର ବିକାଶ ପାଇଁ ପ୍ରସ୍ତାବ ଦେବା ପାଇଁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରାଯାଇଥିଲା। ମାତ୍ର ରାଜ୍ୟ ସରକାର ଏପର୍ଯ୍ୟନ୍ତ ବିଭାଗୀୟ

ମନ୍ତ୍ରଣାଳୟକୁ ଏହି ପ୍ରସ୍ତାବ ପଠାଇନାହାନ୍ତି। ଭାରତ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ ଯୋଜନାରେ ପର୍ଯ୍ୟଟନ ସୁବିଧାକୁ ବିକଶିତ କରିବା ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଚିହ୍ନଟ କରିଛି। ଓଡ଼ିଶାରେ ଥିବା ପର୍ଯ୍ୟଟନସ୍ଥଳୀ ଯଥା ରାମାୟଣ ସର୍କିଟ ଅଧୀନରେ ମହେନ୍ଦ୍ରଗିରି, କ୍ରୀଷ୍ଣା ସର୍କିଟ ଅଧୀନରେ ପୁରୀ ଓ ଉପକୂଳ ସର୍କିଟ ଅଧୀନରେ ଗୋପାଳପୁର, ବରକୁଳ, ସାତପଡ଼ା ଏବଂ ଟମ୍ପପଡା ଭଳି ସ୍ଥାନକୁ ଚିହ୍ନଟ କରାଯାଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ ଯୋଜନାରେ ଉପକୂଳ ସର୍କିଟ ଅଧୀନରେ ଗୋପାଳପୁର, ବରକୁଳ, ସାତପଡ଼ା ଓ ଟମ୍ପପଡାର ବିକାଶ ପାଇଁ ୭୦.୮୨ କୋଟି ଟଙ୍କା ମଞ୍ଜୁର କରିଥିଲା।”

ଶ୍ରୀ ପ୍ରଧାନ ପତ୍ରରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି-“ମହେନ୍ଦ୍ରଗିରି ପୂର୍ବଘାଟରେ ଅବସ୍ଥିତ। ଏହା ମହେନ୍ଦ୍ରଗିରି ପର୍ବତ ଭାବରେ ରାମାୟଣର କଥାବସ୍ତୁ ସହ ଜଡିତ। କୁହାଯାଏ ଯେତେବେଳେ ଭଗବାନ ରାମ ଭଗବାନ ଶିବଙ୍କ ଧନୁକୁ ଭାଙ୍ଗିଥିଲେ ପର୍ଶୁରାମ ମହେନ୍ଦ୍ରଗିରି ପର୍ବତ ଉପରେ ତପସ୍ୟା କରିଥିଲେ। ମହେନ୍ଦ୍ର ଗିରିରେ ଧାର୍ମିକ ଗୁରୁତ୍ୱ ଥିବା ହେତୁ ଏଠାରେ ସାମାଜିକ-ସାଂସ୍କୃତିକ ପର୍ଯ୍ୟଟନର ବିକାଶ ପାଇଁ ଆନେକ ସମ୍ଭାବନା ରହିଛି। ମହେନ୍ଦ୍ରଗିରିରେ ପର୍ଯ୍ୟଟନ ସ୍ଥଳର ବିକାଶ ହେଲେ ସ୍ଥାନୀୟ ଅଂଚଳରେ ଅଧିକ ନିଯୁକ୍ତି ସୃଷ୍ଟି ହେବ ଓ ଅର୍ଥନୈତିକ ବିକାଶ ମଧ୍ୟ ତ୍ୱରାନ୍ୱିତ କରିବ। ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ସହଯୋଗ କରିବା ସହ ସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧୀନରେ ମହେନ୍ଦ୍ରଗିରିର ଉନ୍ନତି ପାଇଁ ନିର୍ଦ୍ଦିଷ୍ଟ ବିଭାଗକୁ ପ୍ରସ୍ତାବ ଦେବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ।”

Related story