ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସର ଗାଇଡଲାଇନ୍ ଜାରି କରାଯାଇଛି। ନୂଆ ଗାଇଡଲାଇନ୍ ଆଜି ଠାରୁ କାର୍ଯ୍ୟକାରୀ ହୋଇଛି। ନୂଆ ଗାଇଡଲାଇନ୍ ସହ ଆଜିଠାରୁ ଖୋଲିଛି ସାରା ଓଡ଼ିଶା। ତେବେ କଟକ, ଭୁବନେଶ୍ୱର ଓ ପୁରୀ ସହରରେ କୋଭିଡ୍ ସଂକ୍ରମଣ ଅଧିକ ଥିବାରୁ ଏହି ତିନି ପ୍ରମୁଖ ସହରରେ ସପ୍ତାହାନ୍ତ ଶଟଡାଉନ୍ ବଳବତ୍ତର ରହିଛି। ଏ ତିନି ସହରକୁ ଫୋକସରେ ରଖି ଏଠାରେ ସର୍ଭିଲାନ୍ସ ବଢାଇବା ସହ ଟେଷ୍ଟିଂ, ଟ୍ରାକିଂ, ଟିକାକରଣ ଓ କୋଭିଡ୍ ନିୟମ ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି।
ତିନି ମାସର କଟକଣା ପରେ ବି ସଂପୂର୍ଣ୍ଣ ଭାବେ ସ୍ୱାଭାବିକ ସ୍ଥିତିକୁ ଫେରିନି ରାଜ୍ୟର ଏହି ତିନି ପ୍ରମୁଖ ସହର। ଅଗଷ୍ଟ ଗାଇଡଲାଇନ୍ ଅନୁସାରେ ଏଠାରେ ସପ୍ତାହନ୍ତ ଶଟଡାଉନ୍ ବଳବତ୍ତର ରହିଛି। ସେହିପରି ମଲ୍, ରେଷ୍ଟୁରାଣ୍ଟ, ସିନେମା ହଲ୍ ଖୋଲିବାକୁ ଯଦିଓ ଅନୁମତି ମିଳିଛି, ତେବେ ଗ୍ରାହକଙ୍କୁ ଟିକାକରଣ ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ। ତେବେ ସାରା ରାଜ୍ୟରେ ସଂକ୍ରମଣ କମୁଥିଲେ ବି ଭୁବନେଶ୍ୱର-କଟକରେ କିନ୍ତୁ ଆଖିଦୃଶିଆ ଭାବେ କମିନି।
ରାଜ୍ୟରେ ଏବେ ବି ପ୍ରାୟ ୧୫ ହଜାର ଉପରେ ଆକ୍ଟିଭ୍ କେସ୍ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୫୫୬, କଟକ ଜିଲ୍ଲାରେ ୨୦୨୬ ଓ ପୁରୀ ଜିଲ୍ଲାରେ ୯୬୨ ଆକ୍ଟିଭ୍ କେସ ରହିଛି। ସେଥିମଧ୍ୟରୁ କେବଳ ଭୁବନେଶ୍ୱରରେ ୨୪୨୨ ଓ କଟକ ସହରରେ ରହିଛି ୧୧୩୨ ଆକ୍ଟିଭ୍ କେସ୍। ପ୍ରଶାସନିକ ଓ ବ୍ୟାବସାୟିକ କାର୍ଯ୍ୟ ବ୍ୟତୀତ ମେଡିକାଲ ସେବା ଓ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ଏ ତିନି ସହରରେ ଅଧିକ ପଜିଟିଭ୍ କେସ୍ ଚିହ୍ନଟ ହେଉଛନ୍ତି। ତେଣୁ ଏହା ଉପରେ ଫୋକସ୍ କରିଛନ୍ତି ରାଜ୍ୟ ସରକାର।
ସେପଟେ ସାରା ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା। ଭୁବନେଶ୍ୱର, କଟକ ଓ ପୁରୀ ସହରକୁ ଛାଡ଼ିଦେଲେ ଉପକୂଳର ଅନ୍ୟ ଅଞ୍ଚଳରୁ ସପ୍ତାହାନ୍ତ ଶଟଡାଉନ୍ ହଟିଯିବା ସହ ସନ୍ଧ୍ୟା ୮ଟା ଯାଏଁ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି। ଫଳରେ ପ୍ରାୟ ତିନି ମାସ ପରେ ସନ୍ଧ୍ୟା ସମୟରେ ଚଳପ୍ରଚଳ ହୋଇଛି ବଜାର। ସେହିପରି ମଲ୍ ଓ ରେଷ୍ଟୁରାଣ୍ଟ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାକୁ ନେଇ ଖୋଲିବା ପରେ ଏଠାକୁ ବି ଗ୍ରାହକଙ୍କ ଆଗମନ ଆରମ୍ଭ ହୋଇଛି। ସିନେମା ହଲ୍ ଗୁଡ଼ିକ ବି ଖୋଲିବା ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ତେବେ ତିନି ସହରରେ ଏବେ ବି ସପ୍ତାହାନ୍ତ କଟକଣା ବଳବତ୍ତର ରହିବ ଏବଂ ରାତି ୮ଟା ଯାଏ ବ୍ୟବସାୟ ପାଇଁ ଅନୁମତି ମିଳିଥିବାରୁ ସିନେମା ଓ ହୋଟେଲ୍ ବ୍ୟବସାୟ ସହ ଜଡ଼ିତ ବ୍ୟବସାୟୀ ପୂରା ଖୁସି ନୁହଁନ୍ତି। ତେଣେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବାରୁ ଯାତ୍ରା କେମିତି ଚାଲିବ ବୋଲି ପ୍ରଶ୍ନ କରିଛନ୍ତି ଯାତ୍ରା କଳାକାର।