୧୫ ଦିନ ହେଲା ବାସ ଖୋଜୁଛନ୍ତି ଗୋଟିଏ ପରିବାର

ରାୟଗଡା (ମନୋଜ କୁମାର ପାତ୍ର): ଗାଁରୁ ତଡ଼ା ଖାଇଲେ। ଏବେ ଜୀବନ ଓ ଜୀବିକାକୁ ନେଇ ରହିବା ପାଇଁ ବାସ ଖୋଜୁଛନ୍ତି ଗୋଟିଏ ପରିବାର। ଗତ ୧୫ ଦିନ ହେଲା ସେମାନେ ଚାରିଆଡ଼େ ବୁଲୁଛନ୍ତି। ମାତ୍ର ରହିବା ପାଇଁ ବାସ ନପାଇ ଗାଁକୁ ଫେରିବାକୁ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି। ଗୁଣିଗାରେଡ଼ି ସନ୍ଦେହରେ ଉକ୍ତ ପରିବାରକୁ ଗାଁରୁ ତଡି ଦିଆଯାଇଥିବା ଅଭିଯୋଗ ହୋଇଛି। ଚାନ୍ଦିଲି ଥାନା ଜିଞ୍ଜିଲିବାଡି ଗାଁର ସାଙ୍ଗମା ହିମିରିକାଙ୍କ ୩୫ ବର୍ଷର […]

Rayagada

Manoranjan Sial
  • Published: Wednesday, 01 September 2021
  • , Updated: 01 September 2021, 09:08 PM IST

ରାୟଗଡା (ମନୋଜ କୁମାର ପାତ୍ର): ଗାଁରୁ ତଡ଼ା ଖାଇଲେ। ଏବେ ଜୀବନ ଓ ଜୀବିକାକୁ ନେଇ ରହିବା ପାଇଁ ବାସ ଖୋଜୁଛନ୍ତି ଗୋଟିଏ ପରିବାର। ଗତ ୧୫ ଦିନ ହେଲା ସେମାନେ ଚାରିଆଡ଼େ ବୁଲୁଛନ୍ତି। ମାତ୍ର ରହିବା ପାଇଁ ବାସ ନପାଇ ଗାଁକୁ ଫେରିବାକୁ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି। ଗୁଣିଗାରେଡ଼ି ସନ୍ଦେହରେ ଉକ୍ତ ପରିବାରକୁ ଗାଁରୁ ତଡି ଦିଆଯାଇଥିବା ଅଭିଯୋଗ ହୋଇଛି।

ଚାନ୍ଦିଲି ଥାନା ଜିଞ୍ଜିଲିବାଡି ଗାଁର ସାଙ୍ଗମା ହିମିରିକାଙ୍କ ୩୫ ବର୍ଷର ପୁଅ ହିମିରିକା କାମିଆଙ୍କ ଗତ ୧୬ ତାରିଖରେ କୌଣସି ଅଜଣା ରୋଗରେ ମୃତ୍ୟୁ ହୋଇଥିଲା। ଗୁଣି ଗାରେଡି ଯୋଗୁ ପୁଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ସନ୍ଦେହ କରିଥିଲେ। ଏଥିପାଇଁ ହିମିରିକା ମୂର୍ତ୍ତିଙ୍କ ପରିବାରକୁ ସନ୍ଦେହ କରୁଥିଲେ ସାଙ୍ଗମା। ଏହାକୁ ଦୁଇ ପରିବାର ଭିତରେ ଆଭ୍ୟନ୍ତରୀଣ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।

ତେବେ ଗତ ୧୭ ତାରିଖ ରାତିରେ ସ୍ଥିତି ଭୟଙ୍କର ହୋଇଥିଲା। ସାଙ୍ଗମାଙ୍କ ପରିବାର ଲୋକଙ୍କ ସହ କେତେକ ଗାଁ ଲୋକେ, ମୂର୍ତ୍ତିଙ୍କ ଘରକୁ ଆସିଥିଲେ। ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ପରେ ମୂର୍ତ୍ତିଙ୍କ ପରିବାର ଲୋକଙ୍କୁ ମାଡ଼ ମାରିବା ସହ ଗାଁ ଛାଡି ଚାଲି ଯିବାକୁ ଧମକ ଦେଇଥିଲେ। ଗାଁରୁ ନଗଲେ କିରାସିନି ଢାଳି ପୋଡ଼ି ମାରିଦେବାକୁ ଚେତାବନୀ ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତ ପରିବାର ଲୋକେ।

ଗାଁ ଲୋକଙ୍କ ଚେତାବନୀ ପରେ ମୂର୍ତ୍ତିଙ୍କ ପରିବାର ଲୋକ ଭୟଭୀତ ହୋଇ ଗାଁ ଛାଡି ଚାଲି ଯାଇଥିଲେ। ସେମାନଙ୍କ ପାଇଁ କେଉଁଠି ସ୍ଥାୟୀ ଠିକଣା ନଥିବାରୁ ଏଠିସେଠି ବୁଲି ଚଳୁଛନ୍ତି। ଖାଇବାକୁ ଗଣ୍ଡେ ନପାଇ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏନେଇ ମୂର୍ତ୍ତିଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଥାନାଠାରୁ ନିରାଶ ହେବା ମୂର୍ତ୍ତିଙ୍କ ପରିବାର ଲୋକେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।

ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ନିର୍ଯାତନାରେ ଶିକାର ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ ଶୁଣିଥିଲେ। ମାମଲାରେ ତଦନ୍ତ କରିବାକୁ ତହସିଲଦାରଙ୍କୁ ନିଦ୍ଦେର୍ଶ ଦେଇଛନ୍ତି।  ସବିଶେଷ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

Related story